Advertisment

ପାର୍ଟି ସରିଲା ଲୁହରେ; ଅଧା ବାଟରେ ଲିଭିଗଲା ୬ ସାଙ୍ଗଙ୍କ ଜୀବନ ଦୀପ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ ଚୂରମାର୍ ହୋଇ ଯାଇଥିବାବେଳେ ମୃତକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି।

author-image
Debibandita Barick
Accident

Accident

ଉତ୍ତରାଖଣ୍ଡର ଡେରାଡୁନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଲୁହରେ ଧୋଇ ଯାଇଛି ପାର୍ଟିର ଖୁସି। କାରଣ ରାତିରେ ପାର୍ଟି ସାରି ଫେରୁଥିବା ଛଅ ସାଙ୍ଗଙ୍କ ଜୀବନ ଦୀପ ଲିଭିଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି। 

Advertisment

ସୂଚନା ଅନୁସାରେ, ନଭେମ୍ବର ୧୨ରେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ଦେଢଟା ସମୟରେ ସାତ ଜଣ ସାଙ୍ଗ ପାର୍ଟି ସାରି ଟୟୋଟା ଇନୋଭାରେ ଘରକୁ ଫେରୁଥିଲେ। ଏହି ସମୟରେ ONGC ଚୌକ ନିକଟରେ ସେମାନଙ୍କ କାର୍ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଛଅ ଜଣଙ୍କ ଜୀବନ ଚାଲିଯାଇଛି।

ଦୁର୍ଘଟଣା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଭାଇରାଲ୍ ଭିଡିଓ ଅନୁସାରେ, ଟ୍ରକକୁ ଧକ୍କା ଦେବା ପରେ କାରଟି ସମ୍ପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି। ଏଥିସହ ମୃତକଙ୍କ ମୁଣ୍ଡ ବିହୀନ ଶରୀର ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳୁଛି। ଦୁଇ ଜଣ ଯୁବକଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ଯାଇ ଥିବାବେଳେ ଅନ୍ୟମାନଙ୍କ ଶରୀର କାର୍ ତଳେ ଚାପି ହୋଇଯାଇଛି।

Advertisment

ଅନ୍ୟପଟେ, ପାର୍ଟି ସମୟର ମଧ୍ୟ ଭିଡିଓ ସାମ୍ନାକୁ ଆସିଛି। ପାର୍ଟି ପୂର୍ବର ଏବଂ ପରର ଭିଡିଓ ଜୀବନର ମୂଲ୍ୟକୁ ବୁଝାଇ ଦେଉଛି। ଖୁସିମଜା କରି ଘରକୁ ଫେରୁଥିବା ଲୋକେ କିପରି ଅଧାବାଟରେ ରହିଯାଏ, ସେନେଇ ସୋଶାଲ ମିଡିଆରେ ଆଲୋଚନା ହେଉଛି। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାତ ଜଣ ସାଙ୍ଗ ଗୋଟିଏ କାରରେ ପାର୍ଟି ସାରି ଘରକୁ ଫେରୁଥିଲେ। ଯୁବକମାନଙ୍କ ବୟସ 19ରୁ 25 ବର୍ଷ ମଧ୍ୟରେ ହେବ। ସେମାନେ ସମସ୍ତେ ମଦ୍ୟପାନ କରିଥିଲେ। ପାର୍ଟିରୁ ଫେରିବା ପରେ ପୁଣି ଲଙ୍ଗ୍ ଡ୍ରାଇଭରେ ଯିବାକୁ ମନସ୍ତ କରିଥିଲେ। କିନ୍ତୁ ନିଶବ୍ଦ ରାତିରେ ସେମାନଙ୍କ ମଜାମସ୍ତି କାଳ ହୋଇଯାଇଛି। 

୬ ଜଣ ସାଙ୍ଗଙ୍କର ଜୀବନ ଚାଲିଯାଇ ଥିବାବେଳେ ଅନ୍ୟ ଜଣେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା କୁହାଯାଉଛି।

ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଇଛନ୍ତି। 

Accident Dehradun Dehradun Accident Uttarakhand News