Advertisment

ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍‌ ହୋଇଗଲା ପ୍ରାଇଭେଟ ଜେଟ୍, ୬ ମୃତ

ଭାରତୀୟ ସମୟ ଭୋର ପ୍ରାୟ ସାଢେ ୪ଟାରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଲ୍ୟାଣ୍ଡ କରିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

author-image
Niharika Rout
Plane

Plane

ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ସହରରେ ଆଜି ଭୋରରୁ ଏକ ପ୍ରାଇଭେଟ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ସମୟ ଭୋର ପ୍ରାୟ ସାଢେ ୪ଟାରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନଟି ଜଳିଯିବା ସହ ସେଥିରେ ଥିବା ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ବିମାନଟି ଲ୍ୟାଣ୍ଡ କରିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। 

Advertisment

ଜେଟ୍‌ଟି ଲାସ୍‌ ଭେଗାସରୁ କାଲିଫର୍ଣ୍ଣିଆ ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟା ୧୫ ମିନିଟ୍‌ରେ ବିମାନଟି ହ୍ୟାରି ରିଡ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିଥିଲା।

ଯାଞ୍ଚ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆର ମୁରିଏଟା ସହର ଉପରେ ବିମାନଟି ଉଡ଼ୁଥିବା ବେଳେ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରି ବିମାନକୁ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ରନୱେର ଧୂଆଁର ଆସ୍ତରଣ ଜମି ଯାଇଥିଲା। ଫଳରେ ସେ ବିମାନକୁ ଲ୍ୟାଣ୍ଡିଂ କରି ପାରି ନ ଥିଲେ। ଏହାପରେ ସେ ପୁଣି ଥରେ ଦ୍ୱିତୀୟ ପ୍ରୟାସ କରିଥିଲେ । ମାତ୍ର ରନୱେରୁ ମାତ୍ର ୫ଶହ ଫୁଟ ଦୂରରେ ହିଁ ବିମାନଟି କ୍ରାଶ୍‌ କରି ଯାଇଥିଲା। 

Advertisment

ଏକ ଖୋଲା ପଡ଼ିଆରେ ବିମାନଟି ଜଳୁଥିବା ବେଳେ ତାହାକୁ ଠାବ କରାଯାଇଥିଲା। ଏହାପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲେ। ଜେଟ୍‌ରେ ଥିବା ସମସ୍ତ ୬ ଯାତ୍ରୀଙ୍କ ମୃତଦେହ ପୋଡ଼ି ଯାଇଥିବାରୁ ସେମାନଙ୍କ ଚିହ୍ନଟ ହୋଇ ପାରିନି।

ଗତ ମଙ୍ଗଳବାର ମଧ୍ୟ ମୁରିଏଟରେ ଫ୍ରେଞ୍ଚ ଭ୍ୟାଲି ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଏକ ସିଙ୍ଗଲ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ।

USA Plane Crash