Accident
ଓଡ଼ିଶାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ମୃତାହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପିଛା ୨ ଲକ୍ଷ ଓ ଆହତଙ୍କୁ ୫୦ ଟଙ୍କା ଲେଖାଏ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି।
ରବିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।
ପୂରା ରାଜ୍ୟକୁ ଏହି ଘଟଣା ସ୍ତବ୍ଧ କରି ଦେଇଥିବା ବେଳେ ବିଭିନ୍ନ ମହଲରେ ଶୋକ ମଧ୍ୟ ପ୍ରକାଶ କରାଯାଉଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ପିଏମଓ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ମୁଁ ମର୍ମାହତ। ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।
ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠି(PMNRF)ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଆହତ ମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ।”
ସେହିପରି ଅମିତ ଶାହ ଟ୍ୱିଟ କରି କହିଛନ୍ତି ଯେ “ଓଡ଼ିଶାର ଦିଗପହଣ୍ଡିରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନର କ୍ଷତିରେ ମର୍ମାହତ। ଏହି ଦୁଃଖର ଘଡ଼ିରେ ମୋର ସମବେଦନା ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଅଛି। ଈଶ୍ୱର ସେମାନଙ୍କୁ ସହିବାକୁ ଶକ୍ତି ଦିଅନ୍ତୁ। ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”
ରବିବାର ରାତି ପ୍ରାୟ ଗୋଟାଏ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଗୋଟିଏ ବସ୍ରେ ପ୍ରାୟ ୨୫ ଜଣ ଲୋକ ଖଣ୍ଡଦେଉଳିକୁ ଫେରୁଥିଲେ। ଆଉ ମାତ୍ର ୭ କିମି ପରେ ସେମାନେ ନିଜ ଘରେ ପହଞ୍ଚି ଯାଇଥାନ୍ତେ। କିନ୍ତୁ ଖେମୁଣ୍ଡି କଲେଜ ନିକଟରେ ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା OSRTC ବସ୍ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୧୨ ଜଣ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣ ପୁରୁଷ,୪ ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି।
ଖବର ପାଇ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1687759585.jpeg)