Advertisment

ବାଇକ୍ ସହ ଜଳିଗଲେ ପୁଲିସ୍ ଏଏସ୍‌ଆଇ, ପରିବାର ଲୋକେ କି ଅଭିଯୋଗ ଆଣିଲେ

ଗତକାଲି ବିଳମ୍ବିତ ରାତିରେ ସେ ବାଇକରେ ଭବାନୀପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିଲେ।

author-image
Jitendra Garnayak
Burnt Bike

Burnt Bike

କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ବାଇକ୍‌ ସହିତ ଜଳି ଯାଇଛନ୍ତି ଜଣେ ପୁଲିସ୍ ଏଏସ୍‌ଆଇ। ବାଇକ୍‌ଟି ପାଉଁଶ ପ୍ରାୟ ହୋଇଯାଇଥିବା ବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଥିଲା ଏଏସ୍‌ଆଇଙ୍କ ମୃତଦେହ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହା ଏକ ଦୁର୍ଘଟଣା ବୋଲି ଆଶଙ୍କା କରୁଛି।

Advertisment

ମୃତ ପୁଲିସ ଏଏସଆଇଙ୍କ ନାମ ପବିତ୍ର ଗୋଲାପୀ (୪୩)। ତାଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ସାନଦୁବଲି ଗାଁରେ। ସେ କଳାହାଣ୍ଡି ଜିଲ୍ଲା କେଗାଁ ଥାନାରେ ନିଯୁକ୍ତ ହୋଇଥିବା ବେଳେ କାର୍ଯ୍ୟରେ ଅବହେଳା ପାଇଁ ଗତ ମାସ ଶେଷ ଆଡ଼କୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ଅବଧିରେ ତାଙ୍କୁ ଭବାନୀପାଟଣା ସ୍ଥିତ ପୁଲିସ ରିଜର୍ଭରେ ରିପୋର୍ଟ କରିବାକୁ କୁହାଯାଇଥିଲା।

ଗତକାଲି ବିଳମ୍ବିତ ରାତିରେ ସେ ବାଇକରେ ଭବାନୀପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିଲେ। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ବନମାଳିପୁର ଛକ ନିକଟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ସେ ପିଟି ହୋଇଥିଲେ। ଦୁର୍ଘଟଣା ଘଟିବା ପରେ ବାଇକ୍‌ରେ ନିଆଁ ଲାଗିଯାଇଥିଲା। ତା’ସହିତ ଏଏସ୍‌ଆଇ ପବିତ୍ର ଗୋଲାପୀଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ସେ ପୋଡ଼ି ଯାଇଥିଲେ। ଖବର ପାଇବା ପରେ ଆଜି ସକାଳେ ପୁଲିସ ସାଇଣ୍ଟିଫିକ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

Advertisment
Pabitra Golapiମୃତ ପୁଲିସ ଏଏସ୍‌ଆଇ ପବିତ୍ର ଗୋଲାପୀ

ଗତକାଲି ରାତିରେ ଦୁର୍ଘଟଣା ବେଳର ଦୃଶ୍ୟକୁ କିଛି ସ୍ଥାନୀୟ ଲୋକଙ୍କ ସହିତ ସେହି ବାଟ ଦେଇ ଯାଉଥିବା କୋରାପୁଟ ଜିଲ୍ଲାର ଜଣେ ମହିଳା ପୁଲିସ ଅଧିକାରୀ ଦେଖିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ ଉକ୍ତ ଟ୍ରକକୁ ଖୋଜୁଛି।

ଜୁନାଗଡ଼ ଥାନା ଆଇଆଇସି ଶେଷଦେବ ବେହେରା କହିଛନ୍ତି, ଏହି ଘଟଣା ନେଇ ମୃତକଙ୍କ ଭାଇ ଥାନାରେ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ କରାଯାଉଛି। ଯେହେତୁ ଜାତୀୟ ରାଜପଥ ଉପରେ ଏହି ଘଟଣା ଘଟିଛି, ତେଣୁ ଆମେ ଏହାକୁ ଏକ ଦୁର୍ଘଟଣା ବୋଲି ଭାବୁଛୁ। ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିଲା। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ସେ ଟ୍ରକ୍‌ରେ ପିଟି ହୋଇଥିଲେ ବୋଲି ଜଣାପଡ଼ିଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ।

ପରିବାର ଲୋକଙ୍କ ଅଭିଯୋଗ

ମୃତ ଏଏସ୍‌ଆଇ ପବିତ୍ର ଗୋଲାପୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ସେ କେଗାଁ ଥାନାରେ କାର୍ଯ୍ୟ କରୁଥିବା ବେଳେ ସେଠାକାର ଆଇଆଇସି ମୁକୁନ୍ଦ ନାୟକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଯେହେତୁ ସେ ତାଙ୍କ ଚାକିରିକୁ ନେଇ ଚିନ୍ତିତ ଥିଲେ ଓ କେଗାଁ ଥାନା ଅଧିକାରୀଙ୍କ ଯୋଗୁ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥିଲେ, ସେଥିପାଇଁ ଦୁର୍ଘଟଣାର ଶିକାର ହୋଇଥାଇପାରନ୍ତି। ତାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥାଇପାରେ। ଏ କଥାକୁ ଆମେ ଅସ୍ୱୀକାର କରୁ ନାହୁଁ। ତେବେ ସେ କାହିଁକି ସବୁବେଳେ ମାନସିକ ସ୍ତରରେ ଦୁର୍ବଳ ରହୁଥିଲେ, ତା’ର ତଦନ୍ତ କରାଯାଉ ବୋଲି ତାଙ୍କ ଭାଇ ନରେନ୍ଦ୍ର ଗୋଲାପୀ ଦାବି କରିଛନ୍ତି।

Odisha Police Accident