Phulbani
ପୁଡ଼ିଆ ଖାଇବାକୁ ମାଆ ଟଙ୍କା ନଦେବାରୁ ଘରୁ ରାଗି ପଳାଇ ଯାଇଥିଲା ପୁଅ। ପ୍ରାୟ ୧୮ ଦିନ ପରେ ଜଙ୍ଗଲ ଭିତରୁ ମିଳିଲା ବଢ଼ିଲା ତା’ର ଝୁଲନ୍ତା ମୃତଦେହ। ମାଆ ଟଙ୍କା ନଦେବାରୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଏପରି ହୃଦୟବିଦାରକ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି।
ଫିରିଙ୍ଗିଆ ଥାନା କେଳାପଡ଼ା ପଞ୍ଚାୟତର ଗୁରୁପଡ଼ା ଗାଁର କୁନାଲ ବେହେରା ଗତ ୯ ତାରିଖରେ ତାଙ୍କ ମାଆଙ୍କୁ ପୁଡ଼ିଆ ଖାଇବା ପାଇଁ ୨୦ ଟଙ୍କା ମାଗିଥିଲେ। ହେଲେ ମାଆ ଟଙ୍କା ନଦେବାରୁ ଘରୁ ରାଗି ପଳାଇ ଯାଇଥିଲେ କୁନାଲ। ରାତି ହେଲା, ହେଲେ କୁନାଲ ଘରକୁ ଫେରିଲେ ନାହିଁ। ବଢ଼ିଲା ପୁଅ ଘରକୁ ନଫେରିବାରୁ ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରିଥିଲେ। ମାତ୍ର ପୁଅ ସମ୍ପର୍କରେ କୌଣସି ଖୋଜଖବର ପାଇନଥିଲେ। ନିଖୋଜ ହେବାର ୫ ଦିନ ପରେ ପରିବାର ଲୋକେ ଏନେଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
କୁନାଲ ବେହେରାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ୍ ମାମଲା ରୁଜୁ କରି ଚୁପ୍ ବସିଥିଲା। ଆଜି କଡ଼ିସର ଜଙ୍ଗଲରେ ଏକ ଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ମୃତକଙ୍କ ସମ୍ପର୍କରେ ଆଖପାଖ ଅଞ୍ଚଳର ଲୋକଙ୍କୁ ଖବର ଦିଆଯାଇଥିଲା। କୁନାଲ୍ଙ୍କ ମାଆ ମୃତଦେହ ଚିହ୍ନିଥିଲେ।
ମାଆଙ୍କ କହିବା ଅନୁସାରେ ଗାଁରେ କାହା ସହିତ କୁନାଲର ଶତ୍ରୁତା ନଥିଲା। ଏପରିକି ସେ କାହା ସହିତ ପାଟିତୁଣ୍ଡ କରିନଥିଲା। ଗୁଟ୍ଖା ପୁଡ଼ିଆ ଖାଇବା ପାଇଁ ମାଆ ୨୦ ଟଙ୍କା ନଦେବାରୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।
ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Phulbani_1701175102.jpg)