Advertisment

ବଞ୍ଚି ଥାଉଥାଉ ଜଙ୍ଗଲରେ ଫିଙ୍ଗି ଦେଲେ, ମୁହଁ ଖୋଲୁନାହାନ୍ତି ମିଲ୍‌ ମାଲିକ୍‌

ନତିନ ଅହମ୍ମଦ ମରି ଯାଇଛନ୍ତି ଭାବି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ହେଲେ ନତିନ ଅହମ୍ମଦ ବଞ୍ଚିଥିଲେ। ତାଙ୍କ ସଂଜ୍ଞା ଫେରିଲା ବେଳକୁ ସେ ଜଙ୍ଗଲରେ ପଡ଼ିଥିବା ନିଜକୁ ପାଇଥିଲେ।

Jharsuguda

Jharsuguda

Advertisment

ମରିଗଲା ମାନବିକତା। ବଞ୍ଚି ଥାଉଥାଉ ଜଣେ ଶ୍ରମିକଙ୍କୁ ଜଙ୍ଗଲରେ ଫିଙ୍ଗି ଦେଲେ। ସୌଭାଗ୍ୟକୁ ତାଙ୍କ ଜୀବନ ବଞ୍ଚିଗଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଝାରସୁଗୁଡ଼ାରୁ ଆସିଛି ଏପରି ହୃଦୟବିଦାରକ ଘଟଣା। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ରାଇସ୍‌ ମିଲ୍‌ ମାଲିକ୍‌।

Advertisment

ରେଙ୍ଗାଲି ଥାନା ବାଦିମାଲ ସ୍ଥିତ ସଙ୍ଖଲିଆ ରାଇସ୍‌ ମିଲରେ ଉତ୍ତରପ୍ରଦେଶ ବରେଲି ଅଞ୍ଚଳର ନତିନ ଅହମ୍ମଦ ଗତ କିଛି ମାସ ହେବ କାମ କରୁଥିଲେ। ରବିବାର ସେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଯେଉଁଥିପାଇଁ ସେ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ। ତାଙ୍କ ସାଙ୍ଗରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ଏହା ଦେଖି ଡ଼ରି ଯାଇଥିଲେ। ନତିନ ଅହମ୍ମଦ ମରି ଯାଇଛନ୍ତି ଭାବି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ହେଲେ ନତିନ ଅହମ୍ମଦ ବଞ୍ଚିଥିଲେ। ତାଙ୍କ ସଂଜ୍ଞା ଫେରିଲା ବେଳକୁ ସେ ଜଙ୍ଗଲରେ ପଡ଼ିଥିବା ନିଜକୁ ପାଇଥିଲେ। ଜଙ୍ଗଲକୁ ଆସିଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ୱାର୍ଡରେ ଏବେ ତାଙ୍କର ଚିକିତ୍ସା ଚାଲିଛି।

ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିବା ପରେ ବ୍ରଜରାଜନଗର SDPO ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଆସି ତଦନ୍ତ ଆରମ୍ଭ କରିଛନ୍ତି। ଯେହେତୁ ନତିନ ଅହମ୍ମଦ ଏବେ ସୁସ୍ଥ ନାହାନ୍ତି, ତେଣୁ ଲିଖିତ ଅଭିଯୋଗ କରି ପାରିନାହାନ୍ତି। କେବଳ ଘଟଣା ସମ୍ପର୍କରେ ପଚାରି ତଦନ୍ତ ଚଳାଇଛି ପୁଲିସ୍‌। ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ।

Advertisment

ରାଇସ୍‌ ମିଲ୍‌ରେ ଏତେ ବଡ଼ ଘଟଣାଟିଏ ଘଟିଗଲା, ହେଲେ ମିଲ ମାଲିକଙ୍କର ଦେଖାନାହିଁ। ଘଟଣା ଗଣମାଧ୍ୟମକୁ ଆସିଲା ପରେ ମଧ୍ୟ ସେ ମୁହଁ ଖୋଲୁନାହାନ୍ତି। ପୁଲିସ୍‌ ତାଙ୍କ ପାଖରେ ପହଞ୍ଚି ପାରିନାହିଁ।

ରିପୋର୍ଟ- ଝାରସୁଗୁଡ଼ାରୁ ଭାଗିରଥୀ ସାହୁ

Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe