Advertisment

ଆସିଲେନି ଯାତ୍ରା ପାର୍ଟି ମାଲିକ, ଅସନ୍ତୋଷ ଝାଡ଼ିଲେ ଟେକ୍ନିସିଆନ୍‌! ସହାୟତା କଲେ ରାନୀ ପଣ୍ଡା

ବାରିପଦା ବାଙ୍ଗିରିପୋଷୀ ଦ୍ୱାରଶୁଣୀ ଘାଟିରେ ଘଟିଥିବା ବସ୍‌ ଦୁର୍ଘଟଣାରେ ୬ ଜଣ ଯାତ୍ରା ପାର୍ଟି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

author-image
Manoranjan Sial
Jatra

Jatra

ଯାତ୍ରା ପାର୍ଟି ବସ୍‌ ଦୁର୍ଘଟଣା ଘଟିବାକୁ ଦୁଇ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଆହତ ଟେକ୍ନିସିଆନ୍‌ଙ୍କୁ ଭେଟି ନାହାନ୍ତି ଯାତ୍ରା ପାର୍ଟି ମାଲିକ। ଆଜି ଏପରି ଅଭିଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ଆହତ ଯାତ୍ରା ଟେକ୍ନିସିଆନ୍‌। ଅନ୍ୟପକ୍ଷରେ ଆଇଟମ୍‌ ଡ୍ୟାନ୍ସର ରାନୀ ପଣ୍ଡା ମେଡ଼ିକାଲ୍‌ରେ ଆହତ ଟେକ୍ନିସିଆନ୍‌ଙ୍କୁ ଭେଟିଛନ୍ତି। ଆହତଙ୍କୁ ୫ ହଜାର ଓ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି। ଏହାଛଡ଼ ମୃତଦେହ ଘରକୁ ପଠାଇବା ପାଇଁ ରାନୀ ବନ୍ଦୋବସ୍ତ କରୁଥିବା ଚର୍ଚ୍ଚା ହେଉଛି।

Advertisment

ବାରିପଦା ବାଙ୍ଗିରିପୋଷୀ ଦ୍ୱାରଶୁଣୀ ଘାଟିରେ ଘଟିଥିବା ବସ୍‌ ଦୁର୍ଘଟଣାରେ ୬ ଜଣ ଯାତ୍ରା ପାର୍ଟି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌ ସ୍ଥାନାନ୍ତରିତ କରାଯାଇଛି। ତେବେ ବର୍ତ୍ତମାନ ବାରିପଦାରେ ୮ ଜଣଙ୍କ ଚିକିତ୍ସା ଚାଲିଛି। ଏହି ଖବର ପାଇ ଭାଙ୍ଗି ପଡ଼ିଥିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା। ଆଜି ସେ ମେଡ଼ିକାଲ୍‌ରେ ପହଞ୍ଚି ଥିଲେ। ଆହତଙ୍କ ସହିତ ଆଲୋଚନା କରିଥିଲେ। ମେଡ଼ିକାଲ୍‌ରେ ଚାଲିଥିବା ଚିକିତ୍ସା ସେବା ସମ୍ପର୍କରେ ପଚାରି ବୁଝିଥିଲେ।

କଥାବାର୍ତ୍ତା ସମୟରେ ଅସନ୍ତୋଷ ଝାଡ଼ିଥିଲେ ଆହତ ଯାତ୍ରା କର୍ମଚାରୀମାନେ। ଦୁର୍ଘଟଣା ଘଟିବାକୁ ଦୁଇ ଦିନ ବିତିବାକୁ ବସିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଧଉଳି ଯାତ୍ରା ପାର୍ଟି ମାଲିକ ବା ମ୍ୟାନେଜର ଦେଖା କରିବାକୁ ଆସିନଥିବା ଆହତମାନେ ଅଭିଯୋଗ କରିଥିଲେ। ରାନୀ ପଣ୍ଡା ସେମାନଙ୍କୁ ଆଶ୍ୱାସନା ଦେବା ସହିତ ଗୁରୁତର ଆହତଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଏପରିକି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଓ ମୃତଦେହ ଘରକୁ ନେବା ପାଇଁ ରାନୀ ପଣ୍ଡା ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

Advertisment

ମେଡ଼ିକାଲ୍‌ରେ ଆହତଙ୍କୁ ଭେଟିବା ପରେ ଯାତ୍ରା ପାର୍ଟି ମାଲିକ ଓ ଯାତ୍ରା କଳାକାର ସଂଘ ଉପରେ ବର୍ଷିଛନ୍ତି ରାନୀ। ଆଉ ସେ କହିଛନ୍ତି, ଏହି ଭାଇମାନଙ୍କ ଦ୍ୱାରା ତିଆରି ହୋଇଥିବା ମଞ୍ଚରେ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରୁଛନ୍ତି। ହେଲେ ଦୁଃଖର ବିଷୟ ସେମାନଙ୍କ ପାଖରେ ଛିଡ଼ା ହେବା ପାଇଁ ଆଜି କେହି ନାହାନ୍ତି। ଶୁଣିବାକୁ ପାଇଲି ଯାତ୍ରା ପାର୍ଟି ମାଲିକ ଆଜି ପର୍ଯ୍ୟନ୍ତ ଆସିନାହାନ୍ତି। ମୁଁ ତାଙ୍କୁ ଅନୁରୋଧ କରୁଛି, ଯଥାଶୀଘ୍ର ଏଠାକୁ ଆସନ୍ତୁ ଓ ଆହତ ଏବଂ ମୃତକଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରନ୍ତୁ। ଆପଣ ଆସିଲେ, ସେମାନଙ୍କ ମନବଳ ଦୃଢ଼ହେବ। ନହେଲେ ସେମାନେ ଭାଙ୍ଗି ପଡ଼ିବେ। ବଡ଼ ବଡ଼ କଳାକାରଙ୍କର ଭାଷଣ ପ୍ରବଳ ଦିଅନ୍ତି। କିନ୍ତୁ ସେମାନଙ୍କ କାମ ଦୁର୍ବଳ। ମୁଁ ଯାତ୍ରା ପାର୍ଟ ମାଲିକମାନଙ୍କୁ କହିବାକୁ ଚାହୁଁଛି, ଆପଣମାନେ କଳାକାରଙ୍କୁ ଯେମିତି ଆତିଥେୟ ଦେଉଛନ୍ତି, ଠିକ୍‌ ସେମିତି ଟେକ୍ନିସିଆନ୍‌ ଭାଇଙ୍କ ପାଇଁ ଗୋଟିଏ ବସ୍‌ର ବନ୍ଦୋବସ୍ତ କରାନ୍ତୁ। ସବୁ କଳାକାର ଯାହା ଖାଇବେ, ଟେକ୍ନିସିଆନ୍‌ ଭାଇମାନେ ସେୟା ଖାଇବା ଦରକାର। ଟେକ୍ନିସିଆନ୍‌ ଭାଇମାନେ ପଖାଳ ଓ ପିଆଜ ନୁହେଁ, ସେମାନେ ମାଛ ଭାଇ ଖାଇ ରହିବା ଦରକାର ବୋଲି ରାନୀ ପଣ୍ଡା କହିଛନ୍ତି।

ସେପଟେ ରାନୀ ପଣ୍ଡାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାତ୍ରା କଳାକାର ସଂଘ ସମ୍ପାଦକ ହରାଲାଲ୍‌। ସେ କହିଛନ୍ତି, ମାଲିକ ଆସିଥିଲେ। ହେଲେ ତାଙ୍କ ଦେହ ହଠାତ୍‌ ଅସୁସ୍ଥ ହେବାରୁ ବାଲେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସଂଘ ତରଫରୁ ଆମେମାନେ ଆସିଛୁ। ସମସ୍ତଙ୍କ କଥା ବୁଝୁଛୁ ବୋଲି ହୀରାଲାଲ କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକ୍‌ଲାଲ ପାଣି

Baripada Accident