Advertisment

ଜାତୀୟ ରାଜପଥରେ ଚଳନ୍ତା ବସ୍‌ରେ ଲାଗିଗଲା ନିଆଁ

ବସ୍‌ରେ ନିଆଁ ଲାଗିବା ଦେଖି ଗାଡ଼ି ରୋକିଥିଲେ ଡ୍ରାଇଭର।

author-image
Jitendra Garnayak
ଅଦ୍ୟତନ ହୋଇଛି
Bus

Bus

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଳଧିଆମାଳ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଆଜି ରାତି ପ୍ରାୟ ୯ଟା ବେଳେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଛି। ବସ୍‌ଟି ସଂପୂର୍ଣ୍ଣ ଜଳି ଯାଇଛି। ତେବେ ସବୁ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

Advertisment

‘ଗୌରବ’ ନାମକ ଏହି ଘରୋଇ ବସ୍‌ଟି କୋରାପୁଟର ଦାମନଯୋଡ଼ିରୁ ରାଉରକେଲା ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୪୦ ଯାତ୍ରୀ ଥିଲେ। ବସ୍‌ଟି କଳାହାଣ୍ଡି ଦେଇ ଯାଇଥିବା ଏନ୍‌ଏଚ୍‌ ୨୬ରେ ଯାଉଥିବା ବେଳେ ବଳଧିଆମାଳ ଛକ ନିକଟରେ ଏଥିରୁ ଧୂଆଁ ବାହାରୁଥିବା ଡ୍ରାଇଭର ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ବସ୍‌କୁ ଅଟକାଇ ଓହ୍ଲାଇ ପଡ଼ିଥିଲେ। ତା’ ପରେ ପରେ ବସ୍‌ର ଅନ୍ୟ କର୍ମଚାରୀ ଓ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। 

Fireବସ୍‌ଟି ଜଳିବା ବେଳର ଦୃଶ୍ୟ ଖୁବ୍ ଭୟଙ୍କର ଥିଲା।

ସୂଚନା ଅନୁଯାୟୀ, ସମସ୍ତେ ବସ୍‌ରୁ ଓହ୍ଲାଇବାର ମାତ୍ର ୫ ମିନିଟ୍ ଭିତରେ ସେଥିରେ ନିଆଁ ଲାଗି ଯାଇଥିଲା। ଆଉ ଦେଖୁ ଦେଖୁ ନିଆଁ ପୂରା ବସ୍‌କୁ ବ୍ୟାପୀ ଯାଇଥିଲା। ବସ୍‌ଟିରେ ନିଆଁ ଲାଗିବାର ଦୃଶ୍ୟ ବେଶ୍ ଭୟଙ୍କର ଥିଲା। ବସ୍‌ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବହୁ ଯାତ୍ରୀଙ୍କ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

Advertisment

ବସ୍‌ରେ ନିଆଁ ଲାଗିଥିବା ଖବର ପାଇ ଜୁନାଗଡ଼ରୁ ଦମକଳ ବାହିନୀ ଆସି ପହଞ୍ଚିଥିଲେ। ପରେ ପରେ ଧର୍ମଗଡ଼ରୁ ମଧ୍ୟ ଦମକଳ ବାହିନୀ ଆସି ପହଞ୍ଚିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନିଆଁକୁ ଆୟତ୍ତ କରାଯାଇଥିଲା। 

ଅନ୍ୟପକ୍ଷରେ କେଉଁ କାରଣରୁ ବସ୍‌ଟିରେ ନିଆଁ ଲାଗିଲା, ତାହା ଜଣାପଡ଼ି ନାହିଁ।  

ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Moving Bus Fire