Advertisment

ବ୍ରିଜ ଉପରେ ସ୍କୁଟିକୁ ନେଇ ବଢ଼ୁଛି ସସ୍‌ପେନ୍ସ; ଆରୋହୀଙ୍କ ପରିଚୟ ମିଳିଲା, ଖୋଜୁଛି ଅଗ୍ନିଶମ ବାହିନୀ

ବ୍ରିଜ ଉପରେ ସ୍କୁଟିକୁ ରଖି ଦେଇ ସେ ନଦୀକୁ ଡେଇଁ ପଡ଼ିଛନ୍ତି ନା କେଉଁଆଡ଼େ ଚାଲି ଯାଇଛନ୍ତି ସେ ନେଇ କିଛି ସୂଚନା ମିଳି ପାରୁନି।

author-image
Niharika Rout
ଅଦ୍ୟତନ ହୋଇଛି
Missing

Missing

କଟକ ତ୍ରିଶୁଳିଆର ସୁବାଷ ସେତୁ ଉପରେ ଥିବା ସ୍କୁଟିକୁ ନେଇ ବଢୁଛି ସସ୍‌ପେନ୍ସ। ଗାଡ଼ି ନମ୍ବର ପ୍ଲେଟରୁ ଆରୋହୀଙ୍କ ପରିଚୟ ଜଣାପଡିଛି। ସ୍କୁଟିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର ବୋଲି ଜଣାପଡ଼ିଛି। ତେବେ ମମତାଙ୍କ ସନ୍ଧାନ ମିଳି ପାରିନି। ବ୍ରିଜ ଉପରେ ସ୍କୁଟିକୁ ରଖି ଦେଇ ସେ ନଦୀକୁ ଡେଇଁ ପଡ଼ିଛନ୍ତି ନା କେଉଁଆଡ଼େ ଚାଲି ଯାଇଛନ୍ତି ସେ ନେଇ କିଛି ସୂଚନା ମିଳି ପାରୁନି।

Advertisment

ଗାଡ଼ି ନମ୍ବର ପ୍ଲେଟରୁ ତାହା ମମତା ସାହୁଙ୍କର ବୋଲି ସ୍ପଷ୍ଟ ହୋଇଛି । ମମତା ସାହୁ କଟକର ଏକ ଘରୋଇ ସ୍କୁଲରେ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷକତା କରି ଆସୁଛନ୍ତି । ନୂଆ ବଜାରରେ ସେ ନିଜ ସ୍ୱାମୀ ଓ ପରିବାର ସହ ରହି ଆସୁଥିଲେ ।

ଗତକାଲି ମମତା ସାହୁଙ୍କ ବାପାଙ୍କ ଶ୍ରାଦ୍ଧ ଥିବାରୁ ସ୍ୱାମୀଙ୍କ ସହ ସେ ସେଠାକୁ ଯାଇଥିଲେ। ରାତି ପ୍ରାୟ ୯ଟା ବେଳେ ଉଭୟ ନିଜ ଘରକୁ ଫେରିଥିଲେ। ମାତ୍ର ଆଜି ଭୋର ପ୍ରାୟ ୩ଟା ବେଳେ ସେ ଘରୁ ସ୍କୁଟି ଧରି ବାହାରି ଯାଇଥିବା ବେଳେ ସାଙ୍ଗରେ ମୋବାଇଲ ଫୋନ୍‌ ବି ନେଇ ନ ଥିଲେ।

Advertisment

ଏହାପରେ ସକାଳେ ବ୍ରିଜ ଉପରେ ଏକ ସ୍କୁଟି ଥିବା ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାଡ଼ିରେ ଚାବି ଲାଗିଥିବା ବେଳେ ପାଖରେ ଚପଲ ବି ଥୁଆ ହୋଇଥିଲା। ପୁଲିସ୍‌ ତଦନ୍ତ ଆରମ୍ଭ କରି ଗାଡ଼ିଟି ମମତାଙ୍କର ବୋଲି ଜାଣିବାକୁ ପାଇଥିଲେ।

ଏହାପରେ ଖବର ପାଇ ମମତାଙ୍କ ପରିବାର ଲୋକେ ବ୍ରିଜ ଉପରେ ପହଞ୍ଚିଥିବା ବେଳେ ଗାଡ଼ିକୁ ଚିହ୍ନଟ କରିଛନ୍ତି । ମାତ୍ର ଗାଡ଼ି ରଖି ମମତା କେଉଁଆଡ଼େ ଗଲେ ଓ ଏହା ପଛର କାରଣ କ’ଣ ସେ ନେଇ ସେମାନେ କିଛି କହି ପାରୁ ନାହାନ୍ତି।

ଘରକୁ ଗତକାଲି ଭଉଣୀ ଯାଇଥିଲା। ରାତି ୯ଟାରେ ଫେରିଲା। କୌଣସି ସମସ୍ୟା ଥିବା ନେଇ ସେ ଆମକୁ ଜଣାଇ ନାହିଁ। ଆଜି ଭୋର ପ୍ରାୟ ୩ଟା ବେଳେ ମମତା ଗାଡ଼ି ଧରି ଘରୁ ବାହାରି ଆସିଥିଲେ। ଏହାପରେ ଗାଡ଼ି ବ୍ରିଜ ଉପରେ ଥିବା ଖବର ପାଇ ଆମେ ଆସିଛୁ ବୋଲି ମମତାଙ୍କ ଭାଇ କହିଛନ୍ତି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଛି।

Cuttack Drown Case