Advertisment

Accident: ରଙ୍ଗରୁଟ୍‌ରେ ଯାଉଥିବା ବସ୍‌କୁ ପିଟିଲା ଟ୍ରକ୍‌: ୫ ମୃତ, ୨୦ରୁ ଅଧିକ ଆହତ

ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Bus Accident

ବସ୍‌କୁ ପିଟିଲା ଟ୍ରକ୍‌ Photograph: (OR)

Advertisment

ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନାଠାରୁ ମାତ୍ର କିଛି ଦୂରରେ ୫୨୦ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା (accident) ଘଟିଛି। ଏକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରକ୍ ସମ୍ମୁଖରୁ ପିଟି ଦେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

Advertisment

ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ମୃତକମାନେ ହେଉଛନ୍ତି, କରମପାଲ ସିଂ, ଶବର ବଳ, ପୁଷ୍ପା ଗୋପୀ, ସତ୍ୟଭାମା ଠାକୁର ଓ ମେରୀନାଗ। ଆହତଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଲହୁଣୀପଡ଼ା ଓ କେ.ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବସ୍‌ଟି ରାଉରକେଲାରୁ କୋଇଡା ଅଭିମୁଖେ ଯାଉଥିଲା। ଆହତ ବସ୍‌ଯାତ୍ରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କେ. ବଲାଙ୍ଗ ପରେ ପରେ ବସ୍‌ଟି ରଙ୍ଗ୍‌ ରୁଟ୍‌କୁ ଚାଲିଯାଇଥିଲା। ରାସ୍ତା ଜାମ୍ ଥିବା ଯୋଗୁ ଡ୍ରାଇଭର ବସ୍‌ଟି ରଙ୍ଗରୁଟ୍‌କୁ ନେଇଯାଇଥିଲେ। ବସ୍‌ଟି ରଙ୍ଗରୁଟ୍‌ରେ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ବସ୍‌ଟିକୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟିର ସମ୍ମୁଖଭାଗ ପୂରା କ୍ଷତିଗ୍ରସ୍ତ ହୋଇଥିଲା। ବସ୍‌ଟିର ସମ୍ମୁଖଭାଗ ସହିତ ଏହାର ଡାହାଣ ପାର୍ଶ୍ୱର ଅଧିକାଂଶ ଭାଗ ନଷ୍ଟ ହୋଇଯାଇଛି। ଟ୍ରକ୍‌ର ସମ୍ମୁଖଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Advertisment

ଦୁର୍ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିବାଟ ଦେଇ ଯାଉଥିବା ଲୋକେ ତଥା ସ୍ଥାନୀୟ ଲୋକେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଝରକା ଦେଇ ବସ୍‌ରୁ ବାହାର କରିଥିଲେ। ତେବେ କିଛି ଯାତ୍ରୀ ବସ୍‌ ଭିତରେ ଫସି ରହିଥିଲେ।  କେ.ବଲାଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ବାହାର କରିଥିଲା। ସେମାନେ ଆହତମାନଙ୍କୁ କେ.ବଲାଙ୍ଗ ଓ ଲହୁଣୀପଡ଼ା ଡାକ୍ତରଖାନାକୁ ପଠାଇଥିଲେ। ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଥିଲା, ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୃତକମାନଙ୍କୁ ଲହୁଣୀପଡ଼ା ଡାକ୍ତରଖାନା ନିଆଯାଇଥିଲା।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।    
 

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe