Advertisment

ମହାନଦୀରେ ବୁଡ଼ିଲା ଡଙ୍ଗା; ୨ ମୃତ, ୭ ନିଖୋଜ

ଡଙ୍ଗାରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Mahanadi

Mahanadi

ମହାନଦୀରେ ଏକ ଡଙ୍ଗା ବୁଡ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି ଏହି ଘଟଣା। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେହିପରି ନିଖୋଜଙ୍କ ମଧ୍ୟରେ ୪ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି।

Advertisment

ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ। ସମସ୍ତେ ଛତିଶଗଡ଼ର ଖରସେନି ଅଞ୍ଚଳର। ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବାବେଳେ ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ଘଟିଥିଲା ଦୁର୍ଘଟଣା। ଡଙ୍ଗାରେ ଥିବା ୪୦ରୁ ଅଧିକ ଲୋକଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ।

ଡଙ୍ଗାଟି କେମିତି ବୁଡ଼ିଲା, ତାହା ଜଣାପଡ଼ି ନାହିଁ। ତେବେ ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସିଥିଲେ ବୋଲି କୁହାଯାଉଛି। ସେହିପରି ତାହା ଏକ ପୁରୁଣା ଡଙ୍ଗା ଥିଲା ଓ ସେଥିରେ ଲାଇଫ ଜ୍ୟାକେଟ ବ୍ୟବସ୍ଥା ମଧ୍ୟ ନଥିଲା।

Advertisment

ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ପୁଲିସ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ାକୁ ୨ଟି ସର୍ଚ୍ଚ କ୍ୟାମେରା ପଠାଯାଇଛି। ତା’ସହିତ ୫ ଜଣ ସ୍କୁବା ଡାଇଭରଙ୍କୁ ମଧ୍ୟ ସେଠାକୁ ପଠାଯାଇଛି। 

୨ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହିତ ଉଦ୍ଧାର ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ
ଦେଇଛନ୍ତି। 

Boat Capsizes