ପଶ୍ଚିମବଙ୍ଗର ଖଡ଼ଗପୁର ବସ୍ରେ ଗତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଚେତିଛନ୍ତି ଓଡ଼ିଶାର ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ । ଏପରିକି ଯାତ୍ରୀବାହୀ ବସରେ ବାଣ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ଚେତାବନୀ ଦିଆଯାଇଛି। ଆଜି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡେପୁଟି ଫାଏର ଅଫିସର୍ ଅବନୀ ସ୍ୱାଇଁ ।
ଗତ ରାତିରେ କୋଲକାତା ବସ୍ ‘ଶିବମ’ ନିଆଁ ଲାଗି ଜଳି ଯାଇଥିଲା। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପୁଷ୍ପାଞ୍ଜଳି ଦାସ ନାମ୍ନୀ ମହିଳା ଏହି ଅଗ୍ନିକାଣ୍ଡ ସମ୍ପୂର୍ଣ୍ଣ ଜଳି ଆଖି ବୁଜିଛନ୍ତି। ଉକ୍ତ ବସ୍ରେ ବାଣ ଓ ମହମବତି ଥିବାରୁ ନିଆଁ ଆଖି ପିଛୁଳାକେ ଭୟାବହ ରୂପ ଧାରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି।
ଏହି ଘଟଣା ପରେ ଓଡ଼ିଶାରୁ ଯାଉଥିବା ବସ୍କୁ ନେଇ ଚିନ୍ତା ପ୍ରକାଶ କରାଯାଇଛିା ବସ୍ କିମ୍ବା କୌଣସି ବି ପବ୍ଲିକ୍ ଟ୍ରାନସପୋର୍ଟରେ ବାଣ ନ ନେବାକୁ କଡ଼ା ନିୟମ ରହିଛିା ପୂର୍ବରୁ ଏନେଇ ବସ୍ ମାଲିକଙ୍କୁ ସଚେତନ କରାଯାଇଛି, ଏବେ ଏହି ଘଟଣା ପରେ ପୁଣି ସଚେତନ କରାଯିବ । ଆବଶ୍ୟକ ସ୍ଥଳେ କଡ଼ାକଡ଼ି ବସ୍ ଚେକିଂ କରାଯିବ ବୋଲି କହିଛନ୍ତି ଡେପୁଟି ଫାଏର ଅଫିସର୍ ଅବନୀ ସ୍ୱାଇଁ ।
ଏନେଇ ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ଗତକାଲି ରାତିରେ ପଶ୍ଚିମବଙ୍ଗରେ ବସ୍ ଜଳି ଯାଇଥିବା ସୂଚନା ମିଳିବା ପରେ ଓଡ଼ିଶାର ସମସ୍ତ ଯାତ୍ରୀଙ୍କୁ ଫେରାଇ ଅଣାଯାଇଛି। ସ୍ଥାନୀୟ ପ୍ରଶାସନ ତଦନ୍ତ କରୁଛି, ପରିବହନ ବିଭାଗ ସହାୟତା କରୁଛି । ଏପରି ଭୟାବହ ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ପରିବହନ କମିଶନର ଅମିତାଭ ଠାକୁରାବସ୍ରେ ଦହନଶୀଳ ପଦାର୍ଥ ନ ନେଇ ଯିବାକୁ ନିର୍ଦ୍ଦେଶ ରହିଛି ।
ଗତ ରାତିରେ କୋଲକାତାରୁ ପାରାଦୀପ ଆସୁଥିଲା ‘ଶିବମ୍’ ବସ । ସେଥିରେ ସମୁଦାୟ ୩୮ ଯାତ୍ରୀ ଥିବା ବେଳେ ଓଡ଼ିଶାରୁ ୩୧ ଜଣ ଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ଜଣ ଯାତ୍ରୀ ଥିବା ସୂଚନା ମିଳିଥିଲା। ଉକ୍ତ ବସ୍ରେ ପୁଷ୍ପାଞ୍ଜଳି ନିଜ ସ୍ୱାମୀ ଓ ପୁଅଙ୍କ ସହ ଫେରୁଥିଲେ। ମାତ୍ର ନିଆଁ ଦ୍ୱାରା କବଳିତ ହୋଇ ସେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି। ଗତକାଲିର ଅଘଟଣ ପରେ ଆଜି ୨୮ ଜଣଙ୍କୁ ଅନ୍ୟ ଏକ ବସରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।