Advertisment

ଗଣେଶ ପୂଜାରେ ପୁଷ୍ପାଞ୍ଜଳି ଦେବା ବେଳେ ଟଳି ପଡ଼ିଲେ ଶିକ୍ଷକ

ଆଜି ଦିନ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା, ଯେତେବେଳେ ପୂଜା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା।

author-image
Jitendra Garnayak
School

School

ଆଜି ଗଣେଶ ପୂଜାରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ସଲେଇକେନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଦୁଃଖଦ ଘଟଣା। ପୁଷ୍ପାଞ୍ଜଳି ଦେଉଥିବା ବେଳେ ଟଳି ପଡ଼ିଛନ୍ତି ଜଣେ ଶିକ୍ଷକ।

Advertisment

ମୃତ ଶିକ୍ଷକଙ୍କ ନାଁ ଚନ୍ଦନ କୁମାର ଜେନା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା କମାରଶାଳିଆ ଅନ୍ତରୋଇ ଗାଁରେ। ସେ ୭ ବର୍ଷ ହେଲା ସଲେଇକେନା ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।

ଆଜି ଦିନ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ପୂଜା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ପୁଷ୍ପାଞ୍ଜଳି ଦେବା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀ ଛିଡ଼ା ହୋଇଥିଲେ। ପୂଜକ ମନ୍ତ୍ର ଉଚ୍ଚାରଣ କରୁଥିଲେ। ସେତିକି ବେଳେ ଟଳି ପଡ଼ିଥିଲେ ଶିକ୍ଷକ ଚନ୍ଦନ କୁମାର ଜେନା।

Advertisment

ସ୍କୁଲର ସହକାରୀ ଶିକ୍ଷକ ଧରଣୀଧର ମହାଳିକ କହିଛନ୍ତି, ପୁଷ୍ପାଞ୍ଜଳି ଦେବା ସମୟ ଆସିବାରୁ ସାର୍‌ (ଚନ୍ଦନ କୁମାର ଜେନା) ସମସ୍ତଙ୍କୁ ପୁଷ୍ପ ଦେଇଥିଲେ। ତା’ସହିତ ନିଜେ ପୁଷ୍ପାଞ୍ଜଳି ଦେବା ପାଇଁ ଠିଆ ହୋଇଥିଲେ। ଠିକ୍ ସେହି ସମୟରେ ସେ ବେହୋସ ହୋଇ ଖସିପଡ଼ିଲେ। ଆମେ ସଙ୍ଗେ ସଙ୍ଗେ ତାଙ୍କୁ କମନ୍‌ ରୁମ୍‌କୁ ନେଇଗଲୁ। ସେଠାରେ ଆମେ ତାଙ୍କ ହାତ ଓ ପାଦ ମାଲିସ କରିବା ସହିତ ସିପିଆର ଦେବାକୁ ପ୍ରୟାସ କଲୁ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ଆମେ କିଛି ଜାଣିପାରିଲୁ ନାହିଁ। ତେଣୁ ତୁରନ୍ତ ଗାଡ଼ିରେ ତେଲକୋଇ ଡାକ୍ତରଖାନା ନେଇଗଲୁ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସହକାରୀ ଶିକ୍ଷକ ଚନ୍ଦନ କୁମାର ଜେନାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।