/odisha-reporter/media/media_files/2026/02/15/thar-2026-02-15-17-09-56.jpg)
ଦୁର୍ଘଟଣାଗ୍ରସ୍ତ ଗାଡ଼ି
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନ ନିକଟ ଅର୍ଥାତ ପାଟନାର ଭିଭିଆଇପି ଅଞ୍ଚଳରେ ବଡ଼ ଅଘଟଣ। ପାଟନା ପୁଲିସର ଶକ୍ତି ସୁରକ୍ଷା ଟିମର ପ୍ୟାଟ୍ରୋଲିଂ ଗାଡ଼ିକୁ ବ୍ୟାରିକେଡ ଭାଙ୍ଗି ଧକ୍କା ଦେଇଛି ଗୋଟିଏ ଦ୍ରୁତଗାମୀ କାର। ଥାରାର ଗତି ଏତେ ଅଧିକ ଥିଲା ଯେ ଏହା ଦୁର୍ଘଟଣା(Accident) ପରେ ଥାରଟି ରାସ୍ତା ଅତିକ୍ରମ କରି ସିଧା ଅପରପାର୍ଶ୍ୱକୁ ଚାଲି ଯାଇଛି।
ଦୁର୍ଘଟଣା ଯୋଗୁ ଥାର ଓ ପୁଲିସ୍ ଗାଡ଼ିର ସାମ୍ନା ପଟ ପୂରା ଛିନଛତ୍ର ହୋଇଯାଇଛି। ତେବେ ପୁଲିସ୍ ଗାଡ଼ିରେ ଥିବା କର୍ମଚାରୀମାନେ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କେବଳ ଜଣେ ପୁଲିସ୍ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି।
ଟ୍ରାଫିକ ଡିଏସ୍ପି ଅଜିତ କୁମାର କହିଛନ୍ତି ଯେ ଥାର ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏତେ ବଡ଼ ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଓ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି।
ଦୁର୍ଘଟଣା ବେଳେ ଥାରର ବେଗ ଯଥେଷ୍ଟ ଅଧିକ ରହିଥିଲା। ଥାର ଚାଳକଙ୍କ ବୟାନ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏବେ ଏହି ଘଟଣାରେ ୪ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ସେ କହିଛନ୍ତି।
ତାଙ୍କ କହିବା କଥା ଯେ ପୁଲିସ୍ ନିୟମିତ ଭାବେ ଦ୍ରୁତ ଗାଡ଼ି ଚାଳକଙ୍କ ଉପରେ ନଜର ରଖୁଛି। ଧାର୍ଯ୍ୟ ସୀମାରୁ ଅଧିକ ଜୋରରେ ଗାଡ଼ି ଚଳାଉଥିବା ଲୋକଙ୍କ ନାଁରେ ଚାଲାଣ କଟା ଯାଉଛି। ତଥାପି କିଛି ଅମାନିଆ ଗାଡ଼ି ଚାଳକା ବେପରୁଆ ଢଙ୍ଗରେ ଗାଡ଼ି ଚଳନା କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଜିତ କୁମାର ସୂଚନା ଦେଇଛନ୍ତି।
ଘଟଣା ପରେ ଭିଭିଆଇପି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସେହିପରି ବିଭିନ୍ନ ଟ୍ରାଫିକ ଛକରେ ପୁଲିସ୍ ଗାଡ଼ିଗୁଡ଼ିକର ଯାଞ୍ଚ କରୁଛି। ବିଶେଷ କରି ଦ୍ରୁତଗାମୀ ଗାଡ଼ି ଚାଳକଙ୍କୁ ଅଟକାଇ ପୁଲିସ୍ ଚାଲାଣ କାଟୁଥିବା ଜଣାପଡ଼ିଛି। ଏଥିସହ ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଗାଡ଼ି ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
