Advertisment

ବାପା, ମାଆଙ୍କ ସହ ଘରେ ଥିଲେ ରୂପାଲି; ହଠାତ୍‌ ହେଲା ବଜ୍ରପାତ

ଠିକ୍‌ ସେମିତି ବଜ୍ରପାତରେ ଗଞ୍ଜାମ ଜିଲ୍ଲାରେ ଜଣଙ୍କ ଜୀବନ ଯାଇଛି। ଗଡ଼ ଗୋବିନ୍ଦପୁର ଗାଁର ୨୫ ବର୍ଷୀୟ ଯୁବକ ସଞ୍ଜୟ ସେଠୀ ଅସୁସ୍ଥ ହୋଇଥିଲେ। ତେଣୁ ସେ ଅପରାହ୍ନରେ ବାଇକ୍‌ରେ ନୂଆପଡା ଯାଇଥିଲେ।

author-image
Manoranjan Sial
Rupa

Rupa

ଆଜି ଅପରାହ୍ନରେ ଅଠାତ୍‌ ଆକାଶରେ ଘୋଟି ଆସିଥିଲା କଳା ହାଣ୍ଡିଆ ମେଘ। ଆଉ ତା’ପରେ ବର୍ଷି ଯାଇଥିଲା। ତେଣୁ ବାପା ଓ ମାଆଙ୍କ ସହ ଘର ଭିତରକୁ ଚାଲି ଯାଇଥିଲେ ୨୨ ବର୍ଷୀୟା ରୂପାଲୀ ବିଷୋୟୀ। ହେଲେ ଇନ୍ଦ୍ରଙ୍କ ବଜ୍ରର ପ୍ରହାରରେ ଥରହର ହେଲା ରୂପାଙ୍କ ଘର! ଆଉ ସେଥିରେ ବାପା ଓ ମାଆଙ୍କୁ ଏକୁଟିଆ କରି ଅଫେରା ପଥରେ ଚାଲିଗଲେ ରୂପାଲି। ଏପରି ହୃଦୟ ବିଦାରକ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ରୂପାଲିଙ୍କ ପରି ଗଞ୍ଜାମ ଓ ଗଜପତିରେ ଯାଇଛି ଆଉ ୨ ଜୀବନ।

Advertisment

ଆଜି ଅପରାହ୍ନରେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଛତିଝର ଗାଁରେ କାଳବୈଶାଖୀ ହୋଇଥିଲା। ତେଣୁ ବାପା ଓ ମାଆଙ୍କ ସହ ନିଜ ଘରକୁ ଚାଲି ଯାଇଥିଲେ ରୁପାଲୀ ବିଷୋୟୀ(୨୨)। ପ୍ରଥମେ ବର୍ଷା ତା’ପରେ ହୋଇଥିଲା ବଜ୍ରପାତ। ଆଉ ସେହି ବଜ୍ରପାତ ରୂପାଙ୍କ ଘର ଉପରକୁ ହୋଇଥିଲା। ଯାହାଫଳରେ ସେ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଅଳ୍ପକେ ବର୍ତ୍ତିଗଲେ ରୂପାଲିଙ୍କ ବାପା ଓ ମାଆଙ୍କ ଜୀବନ।

ଠିକ୍‌ ସେମିତି ବଜ୍ରପାତରେ ଗଞ୍ଜାମ ଜିଲ୍ଲାରେ ଜଣଙ୍କ ଜୀବନ ଯାଇଛି। ଗଡ଼ ଗୋବିନ୍ଦପୁର ଗାଁର ୨୫ ବର୍ଷୀୟ ଯୁବକ ସଞ୍ଜୟ ସେଠୀ ଅସୁସ୍ଥ ହୋଇଥିଲେ। ତେଣୁ ସେ ଅପରାହ୍ନରେ ବାଇକ୍‌ରେ ନୂଆପଡା ଯାଇଥିଲେ। ସେଠାରୁ ମେଡ଼ିସିନ୍‌ ଧରି ଘରକୁ ଫେରୁଥିଲେ। ଠିକ୍‌ ସେହି ସମୟରେ ବର୍ଷା ଘଡଘଡି ହୋଇଥିଲା। ତେଣୁ ବାଇକ ଛିଡ଼ା କରି ରାସ୍ତା ପାର୍ଶ୍ୱ ଗଛ ତଳେ ଠିଆ ହୋଇଥିଲେ। ସେତେବେଳେ ବଜ୍ରଘାତ ଘଟିଥିଲା। ବାଇକ ଉପରେ ଚେତା ହରାଇ ପଡ଼ିଯାଇଥିଲେ ସଞ୍ଜୟ। ସ୍ଥାନୀୟ ଲୋକେ ତାଙ୍କୁ 108 ଆମ୍ବୁଲାନ୍ସରେ ଚିକିଟି ମେଡିକାଲ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଆଉ ଏକ ବଜ୍ରପାତ ମୃତ୍ୟୁ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଘଟିଛି। ମଲାସପଦର ପଂଚାୟତ ରାଚାଗୁଡା ଗାଁ ତୁଳସୀ ଦଳାଇ କିଛି ମହିଳାଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ସାରି ଘରକୁ ଫେରିଥିବା ବେଳେ ହଠାତ୍ ପବନ ସହ ବଜ୍ରପାତ ହୋଇଥିଲା। ତା’ପରେ ବଜ୍ରାପାତ ହୋଇଥିଲା। ସେଥିରେ ତୁଳସୀ ଗୁରୁତର ଅସୁସ୍ଥ ହୋଇଥିଲେ। ପରିବାର ଲୋକେ ତାଙ୍କୁ ମୋହମା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ- ଫଲବାଣୀରୁ ତ୍ରିନାଥ; ଦିଗପହଣ୍ଡିରୁ ସତ୍ୟ ପାଢ଼ୀ ଓ ମୋହନାରୁ ମିହିର ଯତି

Ganjam Kandhamal Lightening