Advertisment

ସତ ଦୁର୍ଘଟଣା, ସତ ମୃତ୍ୟୁ; ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ

ରବିବାର ରାତି ସାରା ରିହର୍ସଲ୍‌ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ଡାଇଲଗ୍‌ ପ୍ରାକ୍ଟିସ୍‌। ତା’ପରେ ବିଶ୍ରାମ ନେଇଥିଲେ। ଆଜି ସକାଳେ ସମସ୍ତେ ଘରକୁ ଫେରିବା ପାଇଁ ଗଣ୍ଡାକିଆ ଛକ୍‌କୁ ଯାଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ଗୋଟିଏ ବସ୍‌ ଆସିଥିଲା।

Kendrapara

Kendrapara

Advertisment

ମୁହଁରେ ରଙ୍ଗ ମାଖି ଅଭିନୟ କଲା ବେଳେ କେତେ ଥର ମିଛି ମିଛିକା ମୃତ୍ୟୁ ହୋଇଛି। ସେହି ମିଛ ମୃତ୍ୟୁର ଅଭିନୟକୁ ବାସ୍ତବ ଭାବି ଦର୍ଶକ କେତେ ତାଳି ମାରିଛନ୍ତି, ତାହାର ହିସାବ କାହା ପାଖରେ ନାହିଁ। ହେଲେ ଆଜି ସତ ସତିକା ଦୁର୍ଘଟଣା ଘଟିଛି। ଆଉ ହାତ ଧରାଧରି ହୋଇ ଚାଲିଗଲେ ୩ ଅଭିନେତ୍ରୀ। ତାଳି ବଦଳରେ ଲୁହରେ ଭିଜିଲା ସମସ୍ତଙ୍କ ଆଖି। କେନ୍ଦ୍ରାପଡ଼ାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ନାୟକଙ୍କ ସମେତ ୪ ଜଣ ମେଡ଼ିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି।

Advertisment

ସଦର ଥାନା ତିଆଡ଼ିକଣ୍ଡିଆ ଗାଁରେ ଜାଗର ମେଳା ଅବସରରେ ମାର୍ଚ୍ଚ ୧୬ ଓ ୧୭ ତାରିଖରେ ଯାତ୍ରା ହେବ। ନାଟକ ଥିଲା ‘ଚନ୍ଦନ ମୋ ପାଇଁ କଳଙ୍କ ଟିକା’ ଓ ‘କହଇ ମନ ମୋ ବବୋଲକର’। ଗାଁର ଯୁବକମାନେ ମିଶି ଯାତ୍ରା କରିଥାଆନ୍ତେ। ନାଟକରେ ନାୟକ ହୋଇଥିଲେ ଉକ୍ତ ଗାଁର ଉତ୍କଳ କେଶରୀ ସ୍ୱାଇଁ। ଆଉ ନାୟିକା, ପାର୍ଶ୍ୱ ନାୟିକା, ଚରିତ୍ର ଅଭିନେତ୍ରୀ ଭୂମିକାରେ ଅଭିନୟ କରିବା ପାଇଁ କଟକ ବଇଆଳିସି ମୌଜାର ସବଳପୁର ଗାଁ ରାଜଲକ୍ଷ୍ମୀ ରାଉତ, ନେମାଳ ମାଣିକପୁରର ରୁବିତା ନାଥ, ରାଣୀହାଟର କୁସୁମଲତା ଆଚାର୍ଯ୍ୟ, ବାଲେଶ୍ୱର ଭୋଗରାଇର ଜ୍ୟୋତ୍ସ୍ନାରାଣୀ ପରମାଣିକ ଓ ଭଦ୍ରକ ସାହାଡ଼ା ଗାଁର ବେବିରାଣୀ ଦାସ ଆସିଥିଲେ।

ରବିବାର ରାତି ସାରା ରିହର୍ସଲ୍‌ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ଡାଇଲଗ୍‌ ପ୍ରାକ୍ଟିସ୍‌। ତା’ପରେ ବିଶ୍ରାମ ନେଇଥିଲେ। ଆଜି ସକାଳେ ସମସ୍ତେ ଘରକୁ ଫେରିବା ପାଇଁ ଗଣ୍ଡାକିଆ ଛକ୍‌କୁ ଯାଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ଗୋଟିଏ ବସ୍‌ ଆସିଥିଲା। ହେଲେ ବସ୍‌ରେ ପ୍ରବଳ ଭିଡ଼ ହୋଇଥିବାରୁ ଅଭିନେତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ଯାତ୍ରାର ନାୟକ ଉତ୍କଳ କେଶରୀ ସ୍ୱାଇଁ ନିଜ ବୋଲେରୋରେ ସମସ୍ତଙ୍କୁ ବସାଇ କେନ୍ଦ୍ରାପଡ଼ା ବସଷ୍ଟାଣ୍ଡରେ ଛାଡ଼ିବାକୁ ବାହାରିଲେ।

Advertisment

ସମସ୍ତେ ବେଶ୍‌ ମସ୍‌ଗୁଲରେ ଥିଲେ। ନାଟକରେ ନିଜର ଚରିତ୍ରକୁ ନେଇ ଉତ୍ସାହିତ ଥିଲେ। ମଜା ମଜ୍‌ଲିସ୍‌ ଭିତରେ ଗଡ଼ିଥିଲା ଗାଡ଼ି। ସକାଳ ପ୍ରାୟ ୭ଟା ହେବ। ଓସ୍ତପୁର ପଞ୍ଚାୟତର ତିଆଡି କଣ୍ଡିଆର ବୁଲାଣୀରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ବୋଲେରୋଟି ଦୁଇଫାଳ ହୋଇଯାଇଥିଲା। ଶେଷ ଯାତ୍ରାରେ ଚାଲିଗଲେ ନାୟିକା ରାଜଲକ୍ଷ୍ମୀ ରାଉତ, ଜ୍ୟୋତ୍ସ୍ନାରାଣୀ ପରମାଣିକ ଓ ବେବିରାଣୀ ଦାସ। ତେବେ ଅଭିନେତ୍ରୀ ରୁବିତା ନାଥ, କୁସୁମଲତା ଆଚାର୍ଯ୍ୟ, ନାୟକ ତଥା ଗାଡ଼ି ଚାଳକ ଉତ୍କଳ କେଶରୀ ସ୍ୱାଇଁ ଓ ଡ୍ରାମାଟିକ କ୍ଲବର ସଦସ୍ୟ ଅଲେଖ ସ୍ୱାଇଁ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଯାତ୍ରାର ନାୟକ ଉତ୍କଳ କେଶରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ ହେବାରୁ ଏକ ଘରୋଇ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Accident Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe