/odisha-reporter/media/post_attachments/uploadimage/library/16_9/16_9_0/Leopard_1699109418.jpg)
Leopard
ସନ୍ଧ୍ୟା ପ୍ରାୟ ୬ଟା ହେବ। ଧୀରେ ଧୀରେ ସଞ୍ଜ ନଇଁ ଆସୁଥିଲା। ସାଙ୍ଗମାନଙ୍କ ସହ ଖେଳୁଥିଲା ନୀଳକଣ୍ଠ। ଠିକ୍ ସେହି ସମୟରେ ଝାମ୍ପି ନେଲା କଲରାପତରିଆ ବାଘ। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା ନୂଆପଡା ସଦର ରେଞ ଧରମବନ୍ଧା ସେକସନ୍ରେ ଘଟିଛି। ଗତକାଲି ମଧ୍ୟ ସେହି ବାଘ ଜଣେ ମହିଳାଙ୍କୁ ଖାଇଯାଇଥିଲା। ବାଘକୁ ନେଇ ଗାଁରେ ଭୟର ବାତାବରଣ ଖେଳି ଯାଇଛି।
କୋଦପାଲି ଗାଁ ଦାଣ୍ଡରେ ଛୋଟ ଛୋଟ ପିଲାମାନେ ଖେଳୁଥିଲେ। ମୌଜ ମଜ୍ଲିସ୍ କରୁଥିଲେ। ହସ୍ ଖୁସିରେ ମାତିଥିଲେ। ହଠାତ୍ ପିଲାମାନଙ୍କ ଉପରକୁ ଲମ୍ଫ ମାରିଲା କଲରାପତରିଆ ବାଘ। ଆଉ ଝାମ୍ଫିନେଲା ବଲକରାମ ବରିହାଙ୍କ ୮ ବର୍ଷର ପୁଅ ନୀଳକଣ୍ଠକୁ। ବାଘଟି ନୀଳକଣ୍ଠକୁ ମୁହଁରେ କାମୁଡ଼ି ଧରି ଦ୍ରୁତ ଗତିରେ ଧାଇଁ ପଳାଇ ଯାଉଥିଲା।
ସନ୍ଧ୍ୟାର ଶାନ୍ତ ପରିବେଶ ଭିତରେ ହଠାତ୍ କୋଳାହଳ ମୟ ହୋଇଗଲା ଗାଁ। ବାଘ... ବାଘ... ଚିତ୍କାରରେ ଫାଟି ପଡ଼ିଲା ଗ୍ରାମୀଣ ପରିବେଶ। ଆଉ ତା’ପରେ କିଏ ହାତରେ ବାଡ଼ି ଧରିଲା ତ ଆଉ କିଏ ଧାରୁଆ ଅସ୍ତ୍ର ଧରିଲା। ତା’ପରେ ବାଘ ପଛେପଛେ ଧାଇଁଲେ। ଗାଁ ଲୋକଙ୍କ ଏ ଉଗ୍ର ରୂପ ଦେଖି ଡ଼ରି ଯାଇଥିଲା ବାଘ ମାମୁ। ନୀଳକଣ୍ଠକୁ ପକାଇଦେଇ ସିଲିଆରିବାହାରା ଜଙ୍ଗଲରୁ ପଳାଇ ଯାଇଥିଲା। ଗାଁ ଲୋକେ ନୀଳକଣ୍ଠକୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି।
ଖବର ପାଇଁ ଗାଁରେ ପହଞ୍ଚିଛି ବନ ବିଭାଗ। ଗାଁ ଲୋକଙ୍କୁ ବୁଝାସୁଝା କରୁଛି। ବାଘର ଗତିବିଧି ଉପରେ କଡ଼ା ନଜର ରଖିଛି। ବର୍ତ୍ତମାନ ବାଘଟି ସୁନାବେଡ଼ା ଅଭାୟରଣର ସିଲିଆରିବାହାରା ଜଙ୍ଗଲରେ ଘୂରି ବୁଲୁଛି। ତେଣୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ନଯିବା ପାଇଁ ଗାଁ ଲୋକଙ୍କୁ ପରାମର୍ଶ ଦେଇଛି ବନ ବିଭାଗ।
ଶୁକ୍ରବାର କୋଦପାଲିର ପଡ଼ୋଶୀ ସିଲିଆରିବାହାରା ଗାଁରୁ ଜଣେ ମହିଳାଙ୍କୁ ଝାମ୍ପି ନେଇଥିଲା ବାଘ। ସନ୍ଧ୍ୟା ବେଳେ ୪୫ ବର୍ଷୀୟ ମହିଲା ରାମେଶ୍ୱରୀ ବାଈ ମାଝି ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ବାଘ ତାଙ୍କୁ ନେଇଯାଇଥିଲା। ରାତି ସାରା ପରିବାର ଓ ଗାଁ ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର ପତ୍ତା ପାଇନଥିଲେ। ଆଜି ମଧ୍ୟାହ୍ନରେ ରାମେଶ୍ୱରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜଙ୍ଗଲ ଭିତରୁ ପରିବାର ଲୋକେ ଉଦ୍ଧାର କରିଥିଲେ। ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
କିଛି ଦିନ ତଳେ ଧରୁଆମୁଣ୍ଡା ପଞ୍ଚାୟତର କଟିଙ୍ଗପାଣି ଗାଁର ଗୋଧଥପଡ଼ାରୁ ଜଣେ ୮ ବର୍ଷ ଛୁଆକୁ ଝାମ୍ପି ନେଇଥିଲା ବାଘ। ଜଙ୍ଗଲ ଭିତରୁ ନାବାଳକକୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଘରେ ପହଞ୍ଚିଲା ବେଳକୁ ନାବାଳକର ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁସାରେ ବର୍ଷକ ଭିତରେ ନୂଆପଡ଼ା ଜିଲ୍ଲାରେ ବାଘ ୩ ଜଣଙ୍କୁ ମାରି ଖାଇଛି।
ରିପୋର୍ଟ-ନୟାଗଡ଼ରୁ ମାୟାଧର ସରାଫ୍
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
