Advertisment

କଳାବାଘ ସଫାରୀ କରିବେ, ହେଲେ ମହାବଳକୁ ବଞ୍ଚାଇ ପାରିଲେନି!

ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ୍‌ର ଧୁଡୁରୁଚମ୍ପା ରେଞ୍ଜରେ ଗୋଟିଏ ମହାବଳ ବାଘର ମୃତ୍ୟୁ ଘଟିଥିଲା। ମୃତ ବାଘର ବୟସ ୩ରୁ ସାଢ଼େ ୩ ବର୍ଷ ହେବ। ଗତ ୫ ତାରିଖରେ ବାଘ ମରିଥିବା ବନ ବିଭାଗ ଅନୁମାନ କରୁଛନ୍ତି।

author-image
Manoranjan Sial
Tiger

Tiger

ଶିମିଳିପାଳ ଅଭୟାରଣ୍ୟ ହେଉଛି ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ। ଏଠାରେ କଳାବାଘ ସଫାରୀ କରିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ହେଲେ ମହାବଳ ବାଘକୁ ସୁରକ୍ଷା ଦେଇପାରୁ ନାହାନ୍ତି। ଯେଉଁ ମହାବଳ ବାଘ ପାଇଁ ଶିମିଳିପାଳ ସମଗ୍ର ଦେଶରେ ଗୌରବ ଅର୍ଜନ କରିଥିଲା, ତାକୁ ବଞ୍ଚାଇ ପାରିଲେ ନାହିଁ। ଗତ ୫ ତାରିଖରେ ପୁଣି ଗୋଟିଏ ମହାବଳ ବାଘର ମୃତ୍ୟୁ ଘଟିଛି। କିନ୍ତୁ ବାଘ ମୃତ୍ୟୁର କାରଣ ଜାଣିପାରୁନି ବନ ବିଭାଗ। ତେବେ ଏଠି ପ୍ରଶ୍ନ ଉଠୁଛି, ଏସ୍‌ଟିଏଫ୍‌, ଜେଟିଏଫ୍‌ ସହ ଅତ୍ୟାଧୁନିକ ଜ୍ଞାନ କୌଶଳ ଖଞ୍ଜା ଯାଇଥିବା ପାଟ୍ରୋଲିଂ ଗାଡ଼ି ଥିବା ସତ୍ତ୍ୱେ ବାଘର ମୃତ୍ୟୁ କେମିତି ହେଲା।

Advertisment

ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ୍‌ର ଧୁଡୁରୁଚମ୍ପା ରେଞ୍ଜରେ ଗୋଟିଏ ମହାବଳ ବାଘର ମୃତ୍ୟୁ ଘଟିଥିଲା। ମୃତ ବାଘର ବୟସ ୩ରୁ ସାଢ଼େ ୩ ବର୍ଷ ହେବ। ଗତ ୫ ତାରିଖରେ ବାଘ ମରିଥିବା ବନ ବିଭାଗ ଅନୁମାନ କରୁଛନ୍ତି। ୬ ତାରିଖରେ ବନ ବିଭାଗ ମୃତଦେହ ଜବତ କରିଥିଲା। ତା’ପରେ NTCA , PCCF, JTF, CCF wild lifeର ଦଶ ଜଣିଆ ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଞ୍ଚି ବାଘର ବ୍ୟବଚ୍ଛେଦ କରିଥିଲେ। ଏଥିସହ ମୃତ୍ୟୁର କାରଣ ଖୋଜୁଛନ୍ତି।

ମିଳିଥିବା ସୂଚନା ଅନୁସାରେ ମୃତ ମହାବଳ ବାଘ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ମହାବଳର ମୃତ୍ୟୁ କେମିତି ହେଲା? ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ କହନ୍ତି, ଯଦି ବାଘ ବିଷ କିମ୍ୱା ଫାସ ବା ରୋଗରେ ଆକ୍ରାନ୍ତି ହୋଇଥାଆନ୍ତା, ତାହା ହେଲେ ମୃତ୍ୟୁ ପୂର୍ବରୁ ଅନେକ ଥର ଚିତ୍କାର କରିଥିବ। ବାଘ ଚିତ୍କାର କଲେ ଜଙ୍ଗଲ ଥରି ଉଠିବ। ହେଲେ ବିଟ ହାଉସ୍‌ରେ ନିୟୋଜିତ କର୍ମଚାରୀମାନେ କେମିତି ଜାଣିପାରିଲେନି? ଏଥିରୁ ସ୍ପଷ୍ଟ ହେଉଛି, ବନ କର୍ମଚାରୀମାନେ ନିଜର କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦନ କରୁନାହାନ୍ତି।

Advertisment

ସେପଟେ ଶିମିଳିପାଳ ସୁରକ୍ଷା ପାଇଁ ଗତ କିଛି ମାସ ମଧ୍ୟରେ ସ୍ୱତନ୍ତ୍ର ବାହିନୀ STF ଓ JTF ପରି ଅତ୍ୟାଧୁନିକ ବନ୍ଧୁକଧାରୀ ଫୋର୍ସ ସହ ତିନି ପ୍ଲାଟୁନ ପୁଲିସ ଫୋର୍ସ ଏବଂ ଅତ୍ୟାଧୁନିକ ଉଦ୍ଧାରକାରୀ ଗାଡ଼ି ଯୋଗାଇ ଦେଇଛନ୍ତି ସରକାର। ଗୁଇନ୍ଦାକୁ ସୁଦୃଢ଼ କରିଛି ବନ ବିଭାଗ। ଏହା ଭିତରେ ଶିମିଳିପାଳରୁ ୩୦୦ରୁ ଅଧିକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଅନେକ ଶିକାରୀଙ୍କୁ ଗିରଫ ମଧ୍ୟ କରାଯାଇଛି। ତାହା ପରେ ମଧ୍ୟ କେମିତି ହେଲା ବାଘ ମୃତ୍ୟୁ?

ତେବେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗନେଇ କହିଛନ୍ତି, ମୃତ ବାଘର କଲିଜା, ପାକସ୍ଥଳୀ ଓ ଚମଡାର ସେମ୍ପୁଲକୁ wild life institute of India କୁ ପଠା ଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ।

ଶିମିଳିପାଳରେ ପୂର୍ବରୁ ଅନେକ ବାଘ ହାତୀଙ୍କ ମୃତ୍ୟୁ ହୋଇଛି। ପ୍ରତିଥର ବିଭାଗ କହେ, ଏହାର ତଦନ୍ତ ହେଉଛି। ମୃତ୍ୟୁର କାରଣ ଜାଣିବା ପାଇଁ wild life institute of Indiaକୁ ପଠାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସଠିକ ଭାବେ ଜଣାପଡ଼ିବ ବୋଲି କୁହାଯାଉଛି। ହେଲେ ସେହି ରିପୋର୍ଟ କେବେ ଆସିବ, ତାହା କାହାକୁ ଜଣାଯାଉ ନାହିଁ। ରିପୋର୍ଟ ସାର୍ବଜନୀନ କରିବା ପାଇଁ ଏବେ ସାଧାରଣରେ ଦାବି ହେଉଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ୍‌ ପାଣି

Similipal National Park Baripada