Advertisment

ସ୍କୁଟିରେ ଘରକୁ ଫେରୁଥିଲେ, ମାଡ଼ିଗଲା ଟ୍ରକ୍‌

ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରି ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଯେଉଁଥିପାଇଁ ଯାତାୟତ ଠପ୍‌ ହୋଇଯାଇଛି।

author-image
Manoranjan Sial
Accident

Accident

ସ୍କୁଟିରେ ଘରକୁ ଫେରୁଥିଲେ। ମଝି ରାସ୍ତାରେ ମାଡ଼ିଗଲା ଟ୍ରକ୍‌। ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଟାଉନ୍‌ରେ ଘଟିଛି।

Advertisment

ଖମାରମୁଣ୍ଡା ଗାଁର ରବୀ ନନ୍ଦ ବଲାଙ୍ଗିର ଟାଉନ୍‌ରେ ଏକ ଛାପାଖାନାରେ କାମ କରନ୍ତି। ସବୁଦିନ ପରି ଆଜି ଅପରାହ୍ନରେ ନିଜ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ବଲାଙ୍ଗିର-ସମ୍ବଲପୁର ଏନ୍‌ଏଚ୍‌-୨୬ର ମାଧିଆପାଲି ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍‌ ରବୀ ନନ୍ଦଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରି ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଯେଉଁଥିପାଇଁ ଯାତାୟତ ଠପ୍‌ ହୋଇଯାଇଛି। ଖବର ପାଇଁ ପୁଲିସ୍‌ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କ୍ଷତିପୂରଣ ନଦେଲେ ରାସ୍ତାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବଲାଙ୍ଗିର ଟାଉନ୍‌ ଭିତରେ ଭାରୀଜାନ ଚଳଚଳ ଉପରେ ରୋକ୍‌ ଲାଗିଥିବା ବେଳେ ଟ୍ରକ୍‌ଟି କେମିତି ଆସିଲା ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Accident Roadaccident