Advertisment

ସିରିଜ ଦୁର୍ଘଟଣା; ଦୁଇଟି ବାଇକ୍‌ ସହ ଅଟୋକୁ ପିଟିଲା ଟ୍ରକ୍‌

ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀ  ଓ ଜଣେ ଅଟୋ ଚାଳକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ବାଇକ୍‌ ଚାଳକଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଆଜି ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଦୁଇଟି ବାଇକ୍‌ ସମେତ ଏକ ଅଟୋକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀ  ଓ ଜଣେ ଅଟୋ ଚାଳକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ବାଇକ୍‌ ଚାଳକଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ରାଇରଙ୍ଗପୁର ଥାନା ତିରିଂ ଥାନା ବଡ଼ତାଳିମା ଛକରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରାଇରଙ୍ଗପୁର ଅଭିମୁଖେ ଦୁଇଟି ବାଇକ୍‌ ଆଗପଛ ହୋଇ ଯାଉଥିଲେ। ଉକ୍ତ ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ବାଇକ୍‌ ଦୁଇଟିକୁ ଜୋରରେ ଧକ୍କା ଦେଇଥିଲା। ଏହାପରେ ଟ୍ରକ୍‌ଟି  ସମ୍ମୁଖ ଦିଗରୁ ଆସୁଥିବା ଅଟୋ ଉପରେ ଚଢ଼ି ଯାଇଥିଲା। 

ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକ ଓ ଅଟୋ ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ମେଡିକାଲକୁ ପଠାଇଥିଲେ। ସେଠାରେ ବାଇକ୍‌ ଚାଳକଜଣକ ଚିକିତ୍ସିତ ହେଉଥିବା ବେଳେ ଅଟୋ ଚାଳକଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ଜଣେ ବାଇକ୍‌ ଚାଳକଙ୍କ ଗାଡ଼ି ଟ୍ରକ୍‌ ଧକ୍କାରେ ଚୁରମାର ହୋଇ ଯାଇଛି। ମାତ୍ର ଦୂରକୁ ଛିଟିକି ପଡ଼ି ସେ ବର୍ତ୍ତୀ ଯାଇଛନ୍ତି ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଚାଳକଙ୍କୁ ଅଟକ ରଖି ଥାନାକୁ ନେଇଥିବା ବେଳେ ଗାଡ଼ିକୁ ଜବତ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। 

Accident