Advertisment

ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ୮ ଯାତ୍ରୀ ଗୁରୁତର

ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଏକ ଟ୍ରକ୍‌ ଧକ୍କା ଦେଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଏକ ଟ୍ରକ୍‌ ଧକ୍କା ଦେବାରୁ ୮ ଯାତ୍ରୀ ଗୁରୁତର ହୋଇଛନ୍ତି। 

Advertisment

ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଏକ ଯାତ୍ରୀବାହୀ ବସ୍‌ ଆଜି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଅପରାହ୍ନ ପ୍ରାୟ ୧ଟା ପରେ ବସ୍‌ଟି ବାଲୁଗାଁ ବ୍ଲକ୍‌ ଅଧୀନ ୧୬ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକରେ ପହଞ୍ଚିଥିଲା। ଉକ୍ତ ସମୟରେ ବସ୍‌ର ବେଗ କମ୍‌ ଥିଲା। ସେତେବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ମାଛ ବୋଝେଇ ଟ୍ରକ୍‌ ବସ୍‌କୁ ପିଟିଥିଲା।

ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତୁରନ୍ତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଛି ।

Advertisment

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଛାଡ଼ି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବସ୍‌ର ଅନ୍ୟ ଯାତ୍ରୀମାନଙ୍କ ପାଇଁ ଆଉ ଏକ ଗାଡ଼ି ବ୍ୟବସ୍ଥା କରାଯାଇ ସେମାନଙ୍କୁ ଭୁବନେଶ୍ୱର ଅଭିମୁଖେ ପଠାଯାଇଛି। 

Khorda Road Accident