Advertisment

ଗୁପ୍ତେଶ୍ୱର ଯାଉଥିବା ବେଳେ ଓଲଟିଲା ବସ୍‌: ୪ ମୃତ, ୨୮ ଆହତ

ନିଆଳି ଅଞ୍ଚଳର କେତୋଟି ପରିବାର ଏକ ବସ୍ ଭଡ଼ା କରି ରାଜ୍ୟ ବିଭିନ୍ନ ମନ୍ଦିର ଦର୍ଶନରେ ଯାଇଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଡକରି ଘାଟିର ସୁକୁ ନାଳ ନିକଟରେ ଏକ ବସ୍ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ଅଛନ୍ତି।

Advertisment

କଟକ, ନିଆଳି, ନିମାପଡ଼ା ଓ ଭୁବନେଶ୍ୱରରୁ କିଛି ପରିବାର ଗତ ଶୁକ୍ରବାର ଏକ ବସ୍ ଭଡ଼ା କରି ରାଜ୍ୟର ବିଭିନ୍ନ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଗତକାଲି କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ଦର୍ଶନ କରିବା ପରେ କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଅଭିମୁଖେ ବାହାରିଥିଲେ। ଆଜି ସକାଳେ ସେମାନେ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କରିଥା’ନ୍ତେ। ତେବେ ଭୋରରେ ବସ୍‌ଟି ଡକରି ଘାଟି ପାର ହେଉଥିବା ବେଳେ ସୁକୁ ନାଳ ନିକଟରେ ଓଲଟି ପଡ଼ିଥିଲା।

Accident Placeଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ବେଳର ଦୃଶ୍ୟ

ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଉ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଆହତମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ନାବାଳିକାଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ କଟି ଯାଇଛି। 

Advertisment

ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ତୁରନ୍ତ ପହଞ୍ଚିଥିଲେ ରାମଗିରି ୧୮୦ ବାଟାଲିୟନ ବିଏସଏଫ୍ ଯବାନ। ସେମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପରେ କୋରାପୁଟ ସ୍ଥିତ ଓଡ୍ରାଫ ଟିମ୍ ସହ ସ୍ଥାନୀୟ ଯୁବକ ମାନେ ଆସି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ବିଏସଏଫ୍ ଆମ୍ବୁଲାନ୍ସ ସହ ବୈପାରିଗୁଡ଼ା ଓ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆମ୍ବୁଲାନ୍ସ ଦ୍ଵାରା ଆହତମାନଙ୍କୁ ବୈପାରିଗୁଡା, ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। କୋରାପୁଟ ଏସପି ରୋହିତ ବର୍ମା, ଅତିରିକ୍ତ ଏସପି, ବୈପାରିଗୁଡ଼ା ବିଡିଓ ଓ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ।

କୋରାପୁଟ ଡକରିଘାଟି ବସ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe