/odisha-reporter/media/media_files/2026/02/21/accident-death-2026-02-21-10-24-33.jpg)
ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମରାତିରା ନିକଟରେ ଜାତୀୟ ରାଜପଥ ୫୫ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର ଏକ ଟ୍ରକ୍ ପଛରେ ପିଟି ହେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ତାଳଚେର ଅଞ୍ଚଳର ଅମିତ ସାହୁ ଓ ବିସ୍ମୟ ଦାସ।
କାର୍ରେ ଅମିତ ଓ ବିସ୍ମୟଙ୍କୁ ମିଶାଇ ମୋଟ ୩ ଜଣ ଥିଲେ। ସେମାନେ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରାତି ପ୍ରାୟ ୧ ବେଳେ ମରାତିରା ନିକଟରେ ସେମାନଙ୍କ କାରଟି ଏକ ଚଳନ୍ତା ଟ୍ରକ୍ ପଛରେ ପିଟି ହୋଇଥିଲା।
କାର୍ଟି ଦ୍ରୁତଗତିରେ ଯାଉଥିଲା। କାର୍ଟି ଏତେ ଜୋରରେ ପିଟି ହୋଇଥିଲା ଯେ ତାହା ଟ୍ରକ୍ ପଛରେ ଲାଗି ରହିଯାଇଥିଲା। ଟ୍ରକ୍ଟି ବେଶ୍ କିଛି ବାଟ କାରଟିକୁ ଟାଣି ନେଇ ଯାଇଥିଲା। ଏହି ଦୃଶ୍ୟ ନିକଟସ୍ଥ ସିସିଟିଭିରେ ରେକର୍ଡ ହୋଇଛି।
ଟ୍ରକ୍ଟି ଅଟକିବା ପରେ ସ୍ଥାନୀୟ ଲୋକେ କାର ଭିତରୁ ଯୁବକମାନଙ୍କୁ ବାହାରକୁ ଆଣିଥିଲେ। ସେତେବେଳେକୁ ଅମିତ ସାହୁ ଓ ବିସ୍ମୟ ଦାସଙ୍କର ମୃତ୍ୟୁ ହୋଇସାରିଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମୃତକ ଦ୍ୱୟଙ୍କ ଶବକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟିକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱରରେ ମଧ୍ୟ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜିଲ୍ଲାର ବସ୍ତା ଥାନା ଦଣ୍ଡିକା ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଚାଉଳ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ବାଇକ୍ ଆରୋହୀଙ୍କର ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
