Advertisment

ବଜ୍ରପାତରେ ୮ ମୃତ, ୧୭ ଗୁରୁତର

ଭୁବନେଶ୍ୱରରେ ପ୍ରାୟ ଘଣ୍ଟାଏ ଭିତରେ ୪୨ ହଜାରରୁ ଅଧିକ ଥର ବିଜୁଳି ମାରିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Lightning

Lightning

ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। 

Advertisment

ବୌଦ୍ଧ ଥାନା ରାଉତବାହାଲ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପାନେଶ୍ୱରୀ ପୋଢ଼। ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଅରାଙ୍ଗ ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଅପରାହ୍ନରେ ବିଲରେ ଏହି ଚାରି ଜଣ ଏକ ଭାଡ଼ା ଉପରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ରଞ୍ଜନ ରଣସିଂହ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। 

ବାଣପୁର ଥାନା ଦାମିଆ ବରବରାର କଦମଝୋଲା ଗାଁରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅମର ଶବର। ସେ ଗାଁ ଦାଣ୍ଡରେ ବୁଲୁ ଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା। 

ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁଟିସିଂହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସାରଣା ଗାଁରେ ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ସେହିପରି ଗଜପତି ଜିଲ୍ଲା ମୋହନା ଥାନା ଦାରୁପାଣି ଗାଁରେ ବଜ୍ରପାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବଡ଼ହିଂସ ଗାଁରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। 

କଟକ ଜିଲ୍ଲା ନିଆଳି ଜଲ୍ଲାରପୁର ଗାଁରେ ବଜ୍ରପାତରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।  ଗଜପତି ଜିଲ୍ଲା ଅଡ଼ବା ଥାନା ବଦାକୁଆ ଗାଁରେ ବଜ୍ରପାତରେ ୬ଟି ଗୋରୁଙ୍କର ମୃତ୍ୟୁ ଘଟିଛି। 

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା କଣ୍ଟାଗୋଠ ଗାଁରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ତାଳସାକର ଗାଁରେ ବଜ୍ରପାତରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଗଲପୁର ବ୍ଲକ ଗୁରୋମୁଣ୍ଡା ଗାଁରେ ବଜ୍ରପାତରେ ଜଣ ୯ ମହିଳା ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ପ୍ରାୟ ଘଣ୍ଟାଏ ଦେଢ଼ ଘଣ୍ଟାର ବର୍ଷାରେ ଦୁଇ ସହରର ଏକ ପ୍ରକାର ଜଳାର୍ଣ୍ଣବ ହୋଇଯାଇଛି। ଭୁବନେଶ୍ୱରରେ ପ୍ରାୟ ଘଣ୍ଟାଏ ଭିତରେ ୪୨ ହଜାର ରୁ ଅଧିକ ଥର ବିଜୁଳି ମାରିଛି। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ। 

Lightning Death