Accident
କେନ୍ଦୁଝରର ଯୋଡ଼ାରେ ଅଘଟଣ। ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି। ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ଦ୍ୱୟ ହେଉଛନ୍ତି ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର।
ସୂଚନା ଅନୁଯାୟୀ, ଚେଭ୍ରୋକ୍ କନ୍ଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଟ୍ ନାମକ ଠିକା କମ୍ପାନୀ ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଥିଲା। ୧୨ରୁ ୧୫ ଫୁଟ ଗଭୀରତା ପର୍ଯ୍ୟନ୍ତ ମାଟି ଖୋଳାଯାଇ ଡିଆଇ ପାଇପ୍ ପକାଯାଉଥିଲା। ଆଜି ଅପରାହ୍ନରେ ୫ ଜଣ ଶ୍ରମିକ ସେଠାରେ ପାଇପ୍ ଲାଇନ୍ ବିଛାଇବା କାମରେ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଖାଲ ଭିତରକୁ ପଶି ମାଟି ସମତୁଲ କରୁଥିବା ବେଳେ ହଠାତ୍ ପରୁ ମାଟି ଅତଡ଼ା ଖସି ପଡ଼ିଲା।ମୁକେଶ ସର୍ଦ୍ଦାର ନାମକ ଜଣେ ଶ୍ରମିକ କୌଣସି ମତେ ମାଟି ଅତଡ଼ା ତଳୁ ବାହାରି ଆସିଥିଲେ। କିନ୍ତୁ ଅନ୍ୟ ଦୁଇ ଜଣ ଶ୍ରମିକ- ଚରଣ ଲୋହାର ଓ ଅର୍ଜୁନ ଲୋହାର ମାଟି ତଳେ ରହି ଯାଇଥିଲେ।
ପରେ ସତର୍କତାର ସହିତ ଜେସିବି ସାହାଯ୍ୟରେ ମାଟି ବାହାର କରି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ପ୍ରାୟ ୧ ଘଣ୍ଟା ବିଳମ୍ବରେ କରାଯାଇଥିଲା ବୋଲି ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଶ୍ରମିକ ମୁକେଶ ସର୍ଦ୍ଦାର ଅଭିଯୋଗ କରିଛନ୍ତି।
ଏହି ଘଟଣା ପରେ ସଂପୃକ୍ତ ଠିକା କମ୍ପାନୀର ଅଧିକାରୀମାନଙ୍କ ଦେଖା ମିଳିନାହିଁ। ସ୍ଥାନୀୟ ଅଞ୍ଚଳରେ ଠିକା କମ୍ପାନୀ ବିରୋଧରେ ଚାପା ଉତ୍ତେଜନା ଦେଖାଦେଇଛି। ଯୋଡ଼ା ପୁଲିସ୍ ସ୍ଥିତି ଉପରେ ନଜର ରଖିଛି।
କେନ୍ଦୁଝରରୁ ପ୍ରଣୟ କୁମାର ପାଣିଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1706011121.jpg)