/odisha-reporter/media/post_attachments/uploadimage/library/16_9/16_9_0/Dead_Body_1718445303.jpg)
Dead Body
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସିର ୯ ନମ୍ବର ୱାର୍ଡର କଳିନ୍ଦର ଗାଁରେ ଆଜି ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ପ୍ରିୟାଂଶୁ ସେଠ (ସାଢ଼େ ୩ ବର୍ଷ) ଓ ଶ୍ରୀୟାଂଶୁ ସେଠ (ଅଢ଼େଇ ବର୍ଷ)।
କଳିନ୍ଦର ଗାଁର ଏକ କୁକୁଡ଼ା ଫାର୍ମରେ ପ୍ରିୟାଂଶୁ ଓ ଶ୍ରୀୟାଂଶୁଙ୍କ ବାପା ଟୁକୁନା ସେଠ ଓ ମା’ ତିଳୋତ୍ତମା ମିର୍ଦ୍ଧା କାମ କରନ୍ତି। ଆଜି ସକାଳେ ତିଳୋତ୍ତମା ସାପ୍ତାହିକ ହାଟକୁ ପରିବା କିଣିବାକୁ ଯାଇଥିଲେ। ଟୁକୁନା କୁକୁଡ଼ା ଫାର୍ମରେ କିଛି କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଘର ବାହାରେ ଖେଳୁଥିବା ପ୍ରିୟାଂଶୁ ଓ ଶ୍ରୀୟାଂଶୁ କୁକୁଡ଼ା ଫାର୍ମ ପାଖରେ ଥିବା ପୋଖରୀକୁ ଚାଲି ଯାଇଥିଲେ ଓ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।
ତିଳୋତ୍ତମା ହାଟରୁ ଫେରିବା ପରେ ଦୁଇ ଛୁଆଙ୍କୁ ଖୋଜିଥିଲେ, କିନ୍ତୁ ପାଇ ନଥିଲେ। ସେ ଓ ତାଙ୍କ ସ୍ୱାମୀ ଘର ଓ କୁକୁଡ଼ା ଫାର୍ମ ଆଖପାଖରେ ଛୁଆମାନଙ୍କୁ ଖୋଜି ନିରାଶ ହୋଇଥିଲେ। କିଛି ସମୟ ପରେ ପ୍ରିୟାଂଶୁ ପାଣିରେ ଭାସୁଥିବା ସେମାନେ ଦେଖିବାକୁ ପାଇଥିଲେ। ଖୋଜାଖୋଜି କରିବା ପରେ ପୋଖରୀରୁ ଶ୍ରୀୟାଂଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ପ୍ରିୟାଂଶୁ ଓ ଶ୍ରୀୟାଂଶୁଙ୍କୁ ବାପାମା’ ରେଢ଼ାଖୋଲ ଡାକ୍ତରଖାନା ନେଇଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରିୟାଂଶୁ ଓ ଶ୍ରୀୟାଂଶୁଙ୍କୁ ବାପା କହିଛନ୍ତି, ମୁଁ କୁକୁଡ଼ା ଫାର୍ମ କାମରେ ବ୍ୟସ୍ତ ଥିଲି। ମୋ ସ୍ତ୍ରୀ ହାଟକୁ ଯାଇଥିବା କଥା ମୁଁ ଜାଣି ନଥିଲି। ସେ ହାଟକୁ ଯାଉଛନ୍ତି ବୋଲି ମୋତେ କହି ନଥିଲେ। କିନ୍ତୁ ମୁଁ ଭାବି ନେଇଥିଲେ ଯେ ଛୁଆମାନେ ସେମାନଙ୍କ ମା’ଙ୍କ ସହିତ ହାଟକୁ ଯାଇଛନ୍ତି। ପୂର୍ବରୁ ବି ସେମାନେ ଏମିତି ବାହାରେ ଖେଳନ୍ତି। କିନ୍ତୁ ଆଜି ଅଘଟଣ ଘଟିଗଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
