Advertisment

ବାହାନଗା ଟ୍ରେନ ଟ୍ରାଜେଡି ନେଇ ସିବିଆଇର ସାଙ୍ଘାତିକ ତଥ୍ୟ: ବିନା ଅନୁମତିରେ ଚାଲିଥିଲା ମରାମତି କାମ!

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଗିରଫ ବରିଷ୍ଠ ସେକସନ ଇଞ୍ଜିନିୟର(ସିଗ୍ନାଲ ଇନ ଚାର୍ଜ) ଅରୁଣ କୁମାର ମହାନ୍ତ ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Train

Train

ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ସାଂଘାତିକ ତଥ୍ୟ ଦେଇଛି ସିବିଆଇ। ଯେଉଁ ସ୍ଥାନରେ ଟ୍ରପିଲ ଟ୍ରେନ ଦୁର୍ଘଟଣା ଘଟିଥିଲା ଓ ୨୯୬ ଜଣଙ୍କ ଜୀବନ ଯାଇଥିଲା, ତା’ର ଅତି ନିକଟରେ ସମସ୍ତଙ୍କ ଜାଣତରେ ଗୋଟିଏ ଲେଭଲ କ୍ରସିଂର ମରାମତି କାମ ଚାଲିଥିଲା। ହେଲେ ଏହି ମରାମତି ପାଇଁ ଆଦୌ ଅନୁମତି ନଥିଲା ବୋଲି ସିବିଆଇ ସ୍ପେଶାଲ କୋର୍ଟକୁ କହିଛି।

Advertisment

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଗିରଫ ବରିଷ୍ଠ ସେକସନ ଇଞ୍ଜିନିୟର(ସିଗ୍ନାଲ ଇନ ଚାର୍ଜ) ଅରୁଣ କୁମାର ମହାନ୍ତ ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

ଏହାକୁ ବିରୋଧ କରି ସିବିଆଇ କୋର୍ଟଙ୍କୁ କହିଛି ଯେ ବାହାନଗା ବଜାର ଷ୍ଟେସନ ନିକଟ ଲେଭଲ କ୍ରସିଂ ଗେଟ୍‌ ନମ୍ବର ୯୪ର ମରାମତି ଅରୁଣଙ୍କ ଦ୍ୱାରା ହେଉଥିଲା। କିନ୍ତୁ ଏଥିପାଇଁ ସିନିୟର ଡିଭିଜନାଲ ସିଗ୍ନାଲ ଓ ଟେଲିକମ ଇଞ୍ଜନିୟରଙ୍କ ଅନୁମତି ନିଆଯାଇ ନଥିଲା। ସେହିପରି ମରାମତି ପାଇଁ ଆବଶ୍ୟକ ସର୍କିଟ ଡାଇଗ୍ରାମକୁ ମଧ୍ୟ ଅନୁମୋଦନ ମିଳି ନଥିଲା।

Advertisment

ଲେଭଲ କ୍ରସିଂ ଗେଟ ନମ୍ବର ୭୯ର ସର୍କିଟ ଡାଇଗ୍ରାମକୁ ବାହାନଗା ବଜାର ରେଳ ଷ୍ଟେସନର ଉତ୍ତର ଗୁମଟୀର ୱାୟରିଂ କାମ ବେଳେ ମଧ୍ୟ ବ୍ୟବହାର କରାଯାଇଥିଲା। ଗେଟ ନମ୍ବର ୯୪ର ଅପରେସନକୁ ୧୧୦ ଭୋଲ୍ଟ ଏସିରୁ ୨୪ ଭୋଲ୍ଟ ଡିସିକୁ ପରିବର୍ତ୍ତନ କରିବା ପାଇଁ ଏପରି କରାଯାଇଥିଲା।

ଗେଟ ନମ୍ବର ୯୪ର ମରାମତି କାମକୁ ଅରୁଣ ସିଧାସଳଖ ତଦାରଖ କରୁଥିଲେ। ଏହାର ପରିଣାମ ଜଣାଥିଲେ ମଧ୍ୟ ସେ ସବୁ କିଛି ତାଙ୍କ ଜାଣତରେ କରିଥିଲେ ବୋଲି ସିବିଆଇ କୋର୍ଟକୁ କହିଛି।

ଅରୁଣଙ୍କ ଓକିଲ ଯୁକ୍ତି ରଖି କହିଥିଲେ ଯେ ଯେଉଁ ଲେଭଲ କ୍ରସିଂ ଗେଟ ଉପରେ ପ୍ରଶ୍ନ ଉଠାଯାଉଛି, ସେଇଟା ବେଶ କିଛି ଦିନ ହେବ ଠିକ ଭାବେ କାମ କରୁ ନଥିଲା। ତଥାପି ଅରୁଣଙ୍କ ଉପରେ ଥିବା ଅଧିକାରୀମାନେ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲେ।

ତଦାରଖ କାମ କିଛି ଅଲଗା ଲୋକଙ୍କ ଉପରେ ବିଶ୍ୱାସ କରି ଛଡ଼ା ଯାଇଥିଲା। ତେଣୁ ଦୁର୍ଘଟଣା ପାଇଁ ଅରୁଣ ଦାୟୀ ନୁହନ୍ତି ବୋଲି ତାଙ୍କ ଓକିଲ କହିଥିଲେ। ଏହା ଶୁଣିବା ପରେ ମଧ୍ୟ କୋର୍ଟ ଅରୁଣଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ।

ଜୁନ ୨ରେ ବାହାନଗା ବଜାର ରେଳ ଷ୍ଟେସନ୍‌ରେ ଘଟିଥିଲା ଲୋମଟାଙ୍କୁରା ଦୁର୍ଘଟଣା। ଏଥିରେ ୨୯୬ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Odisha Balasore CBI Train Accident