Advertisment

ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ି କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କର?

ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଜୀବନ ସହ ଜୁଝୁଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍‌ ଯବାନ କାହ୍ନୁଚରଣ ନାୟକ। ଘଟଣା ଦିନ ତାଙ୍କ ସହ ବାଇକରେ ଥିବା ସଂପର୍କୀୟା ଲୋପାମୁଦ୍ରା ସାହୁଙ୍କର ତିନି ଦିନ ହେବ ଚେତା ଫେରୁନି।

author-image
Manoranjan Sial
Car

Car

ଭୁବନେଶ୍ୱର ରେଞ୍ଜ ରୋଭର ବେପରୱା ଡ୍ରାଇଭିଂ ଘଟଣା ପଛରେ ଅଛନ୍ତି କେଉଁ ପ୍ରଭାବଶାଳୀ? ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ସେହି ଗାଡ଼ିଟି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ୍‌ଙ୍କ ବୋଲି ଚର୍ଚ୍ଚା ହେଉଛି। ଝାରସୁଗୁଡ଼ୁା ଆରଟିଓରୁ ମିଳିଥିବା ତଥ୍ୟ ଅନୁସାରେ ଗାଡ଼ିଟି ଆର୍ମର୍ସରେ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡର। କର୍ପୋରେଟ୍‌ ଆଫାୟାର୍ସ ମନ୍ତ୍ରାଳୟ ୱେବସାଇଟର ତଥ୍ୟ ଦର୍ଶାଉଛି ଏଇ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି ବିଶାଳ ଦାସ। ତେବେ ଦୁର୍ଘଟଣା ଘଟିବା ଦିନ ବିଶାଳ ଦାସ ସେହି ଗାଡ଼ିରେ ବସିଥିଲେ କି ନାହିଁ, ଘଟଣା ସଂପର୍କରେ ସେ ଜାଣିଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ। ଏନେଇ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ସମ୍ଭବପର ହୋଇନଥିଲା।

Advertisment

ସେପଟେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବରକୁ ନେଇ ପୁଲିସ୍ କେମିତି ଦେଇଥିଲା ଦୁଇ ଦୁଇଟି ନମ୍ବର। ମଙ୍ଗଳବାର ଅପରାହ୍ନରେ ପାୱାର ହାଉସ୍‌ ଛକରେ ଘଟିଥିବା ଏ ଦୁର୍ଘଟଣା ବାବଦରେ କମିଶନରେଟ୍‌ ପୁଲିସର ପ୍ରେସ୍‌ ରିଲିଜରେ ଗାଡ଼ି ନମ୍ବର OD-33-AF-6726 ଲେଖାଥିଲା। ହେଲେ ତା’ର ଅଢ଼େଇ ଘଣ୍ଟା ପରେ ଗାଡ଼ି ନମ୍ବରରେ ସଂଶୋଧନ କରି OD-23-K-0006 ନମ୍ବର ଜାରି କରିଥିଲା। ତେଣୁ ଏଠି ପ୍ରଶ୍ନ ଉଠୁଛି, ଭୁଲ ବଶତଃ ପୁଲିସ ପ୍ରଥମେ ଭୁଲ ନମ୍ବର ଦେଇଥିଲା ନା ଏହା ପଛରେ ଚାପ କାମ କରିଥିଲା।

କେବଳ ସେତିକି ନୁହେଁ, ଗିରଫ ହୋଇଥିବା ସୌଭାଗ୍ୟ କୁମାର ବାଗ ପ୍ରକୃତରେ ଦୁର୍ଘଟଣା ଦିନ ଗାଡି ଚଳାଉଥିଲେ ନା ଆଉ କେହି ଦ୍ୱିତୀୟ ବ୍ୟକ୍ତି ଗାଡ଼ି ଚଳାଉଥିଲେ। କାରଣ ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭରର ଆଗ ପଟରେ ଥିବା ଦୁଇଟି ଯାକ ବେଲୁନ ଫାଟିଥିବାରୁ କାରରେ ଦୁଇଜଣ ବ୍ୟକ୍ତି ଥିବା ସ୍ପଷ୍ଟ ହେଉଛି। ତେବେ ସେ ଦ୍ୱିତୀୟ ବ୍ୟକ୍ତି କିଏ? ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କିଛି ଉଦ୍ୟମ କାମ କରୁନଥିଲା ତ ? ସବୁଠୁ ବଡ଼ କଥା ହେଉଛି କମିଶନରେଟ୍ ପୁଲିସର କାର୍ଯ୍ୟାଳୟଠୁ ମାତ୍ର ୫୦ ମିଟର ଦୂରରେ ଏଇ ଦୁର୍ଘଟଣା ଘଟିଥିବାରୁ ସିସିଟିଭିରେ ନିଶ୍ଚୟ ଦୁର୍ଘଟଣା ସମୟର ଫୁଟେଜ୍ କଏଦ ହୋଇଥିବ। ହେଲେ ଡ୍ରାଇଭର ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ୍‌ କହୁଥିବା ବେଳେ ସତ କ’ଣ କ୍ୟାମେରା ଆଗରେ କିନ୍ତୁ ମୁହଁ ଖୋଲିବାକୁ ନାରାଜ।

Advertisment

ସେପଟେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଜୀବନ ସହ ଜୁଝୁଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍‌ ଯବାନ କାହ୍ନୁଚରଣ ନାୟକ। ଘଟଣା ଦିନ ତାଙ୍କ ସହ ବାଇକରେ ଥିବା ସଂପର୍କୀୟା ଲୋପାମୁଦ୍ରା ସାହୁଙ୍କର ତିନି ଦିନ ହେବ ଚେତା ଫେରୁନି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାହ୍ନୁଚରଣଙ୍କ ଚିକିତ୍ସା ଚାଲିଥିଲା ବେଳେ କଟକର ଏକ ଘରୋଇ ହସ୍ପିଟାଲରେ ଲୋପାମୁଦ୍ରାଙ୍କର ଚିକିତ୍ସା ଚାଲିଛି। ଉଭୟଙ୍କ ଜୀବନ ବଞ୍ଚାଇବାକୁ ପ୍ରଚୁର ଅର୍ଥର ଆବଶ୍ୟକତା ଥିବାରୁ ରେଞ୍ଜ ରୋଭର ଭଳି ଗାଡ଼ି ଚଢ଼ୁଥିବା ଦାମୀ ମଣିଷ ଅନ୍ତତଃ ମାନବିକତା ଦେଖାଇ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି କାହ୍ନୁଚରଣଙ୍କ ଭାଇ।

Bhubaneswar BjD Bhubaneswar News Jharsuguda