Advertisment

ସର୍ପାଘାତରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ବିଲକୁ ବାଇଗଣ ତୋଳିବାକୁ ଯାଇଥିବା ବେଳେ ସ୍ୱାମୀଙ୍କୁ କାମୁଡ଼ି ଥିଲା ସାପ।

author-image
Jitendra Garnayak
Snake

Snake

କଟକ ଜିଲ୍ଲା ନିଆଳି ଥାନା ଏକବେରୁଆଁ ଗାଁରେ ସର୍ପାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିଷ ପିଇ ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ମୃତ ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ସ୍ୱାଇଁ। ସେ ବିଲକୁ ବାଇଗଣ ତୋଳିବାକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ସେ ସଙ୍ଗେ ସଙ୍ଗେ ଘରକୁ ଫେରି ଆସି ସାପ କାମୁଡ଼ିଥିବା କଥା କହିଥିଲେ। ତାଙ୍କୁ ନିକଟସ୍ଥ ଜଗତସିଂହପୁର ମେଡିକାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପତ୍ନୀ ଲତା ସ୍ୱାଇଁ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଘରେ ତାଙ୍କର ଏକମାତ୍ର ଦିବ୍ୟାଙ୍ଗ ପୁଅ ଥିବା ଜଣାପଡ଼ିଛି।

Advertisment

ଗତ ବୁଧବାର ରାତିରେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ରାଧିକାଦେଇପୁରରେ ସାପ କାମୁଡ଼ାରେ ମା’ପୁଅଙ୍କ ମୃତ୍ୟୁ ଘଟିଥିଲା। ମା’କୁ ୩୨ ବର୍ଷ ଓ ପୁଅକୁ ୮ ବର୍ଷ ହୋଇଥିଲା। ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ସେହିପରି ସେହି ରାତିରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଦୁର୍ଗମ ବୁରାତାଲ ପଞ୍ଚାୟତର ବିଲୁଗାଁରେ ସାପ କାମୁଡ଼ାରେ ଦମୟନ୍ତୀ ଶବର ଓ ତାଙ୍କ ଭାଣିଜୀ ଲିମି କାର୍ଜୀଙ୍କ ମୃତ୍ୟୁ ଘଟିଥିଲା।

୨୦୨୩-୨୪ରେ ସାପ କାମୁଡ଼ାରେ ରାଜ୍ୟରେ ୧୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୪-୨୫ରେ ସାପ କାମୁଡ଼ାରେ ୭୦୯ ଜଣଙ୍କ ଜୀବନ ଯାଇଥିଲା ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟ ସରକାର ସର୍ପାଘାତ ଜନିତ ମୃତ୍ୟୁକୁ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି।