Advertisment

ରିଲ୍ସ କଲା ବେଳେ ଖସିଗଲା ଗୋଡ଼; ବନ୍ଧୁଙ୍କୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ

ଯୁବତୀଙ୍କ ଚିତ୍କାର ଶୁଣି ପାଣି ଭିତରେ ପଶି ପ୍ରଥମେ ବୁଡ଼ିଥିବା ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ ଟ୍ୟାକ୍ସି ଡ୍ରାଇଭର। ହେଲେ ସେତେବେଳକୁ ଓମ ପ୍ରକାଶ ରଥ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ।

Khorda

Khorda

Advertisment

ରିଲ୍ସ କଲା ବେଳେ ଖସିଗଲା ଗୋଡ଼। ଆଉ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପଥର ଖଣିରେ ବୁଡ଼ିଗଲେ ବନ୍ଧୁ। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା ଖୋର୍ଦ୍ଧା ତାପଙ୍ଗ ପଥର ଖଣିରେ ଘଟିଛି। ପାଣିରେ ବୁଡ଼ି ଯାଇଥିବା ଯୁବକଙ୍କୁ ଉଦ୍ଧାର ପାଇଁ ଏବେ ମଧ୍ୟ ଉଦ୍ୟମ ଚାଲିଛି। ଅନ୍ୟପକ୍ଷରେ ପାଣିରୁ ଉଦ୍ଧାର ହୋଇଥିବା ଯୁବକ ମେଡ଼ିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛି।

Advertisment

ସିମ୍ଫୋନୀ ମଲ୍‌ଠାରୁ ଟ୍ୟାକ୍ସି ଭଡ଼ା କରି ଓମ ପ୍ରକାଶ ରଥ, ତାଙ୍କର ଜଣେ ବନ୍ଧୁ ଓ ଜଣେ ଯୁବତୀ ଖୋର୍ଦ୍ଧା ତାପଙ୍ଗ ଯାଇଥିଲେ। ଟ୍ୟାକ୍ସି ଚାଳକଙ୍କ ବାରଣ ସତ୍ତ୍ୱେ ସେମାନେ ବେଆଇନ୍‌ ଭାବେ ଖୋଳା ଯାଇଥିବା ପଥର ଖଣିରେ ପାଣିରେ ପଶି ରିଲ୍ସ କରୁଥିଲେ। ଅସାବଧାନତା ଯୋଗୁ ସେମାନଙ୍କ ଭିତରୁ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା। ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ଯାଇଥିଲେ ଓମ୍‌ ପ୍ରକାଶ ରଥ। ହେଲେ ସେ ମଧ୍ୟ ବୁଡ଼ି ଯାଇଥିଲେ।

ଯୁବତୀଙ୍କ ଚିତ୍କାର ଶୁଣି ପାଣି ଭିତରେ ପଶି ପ୍ରଥମେ ବୁଡ଼ିଥିବା ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ ଟ୍ୟାକ୍ସି ଡ୍ରାଇଭର। ହେଲେ ସେତେବେଳକୁ ଓମ ପ୍ରକାଶ ରଥ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଗଣ୍ଡରେ ପ୍ରବଳ ପାଣିଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ କେହି ଯିବାକୁ ସାହସ କରିନଥିଲେ। ଟ୍ୟାକ୍ସି ଡ୍ରାଇଭର ସଙ୍ଗେ ସଙ୍ଗେ ଅଗ୍ନିଶମ ଓ ପୁଲିସ୍‌କୁ ଖବର ଦେଇଥିଲେ। ପାଣିରୁ ଉଦ୍ଧାର ହୋଇଥିବା ଯୁବକଙ୍କୁ ପୁଲିସ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ରିଲ୍ସ କରୁଥିବା ଯୁବତୀ ତାଙ୍କ ପାଖରେ ଅଛନ୍ତି।

Advertisment

ଓମ ପ୍ରକାଶ ରଥଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ଟିମ୍‌ ପାଣି ଭିତରକୁ ଯାଇଥିଲା। ଦୀର୍ଘ ସାତ ଘଣ୍ଟାର ଅବିଶ୍ରାନ୍ତ ପରିଶ୍ରମ ପରେ ମଧ୍ୟ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିପାରିନଥିଲା। ୱାଟର କ୍ୟାମେରା, ସ୍କୁବା ଡ୍ରାଇଭ ଟିମ୍‌, ଓଡ୍ରାଫ୍‌ ଟିମ୍‌ର ଦୁଇଟି ବୋଟ ସାହାଯ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଛି। ଘଟଣା ସ୍ଥଳରେ ସଦର ଥାନା ପୁଲିସ, ଖୋର୍ଦ୍ଧା ତହସିଲଦାର ପ୍ରମୁଖ ଉପସ୍ଥିତ ଅଛନ୍ତି।

ସୂଚନାରୁ ପ୍ରକାଶ, ତାପଙ୍ଗରେ ବେଆଇନ୍‌ ଭାବେ ପଥର ଖୋଳି ବଡ଼ ବଡ଼ ପୋଖରୀ ସୃଷ୍ଟି କରାଯାଇଛି। ସେଥିରେ ପ୍ରବଳ ପାଣି ଜମିଥିବାରୁ ଦୂରରୁ ଦେଖିବାକୁ ଭାରି ସୁନ୍ଦର ଦେଖାଯାଉଛି। ଆଉ ସେଇଠି ରିଲ୍ସ କରିବାକୁ ଆସି ଜୀବନ ହରାଉଛନ୍ତି ଯୁବପିଢ଼ୀ। ଆଜି ଘଟିଥିବା ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏମିତି ଘଟଣା ଅନେକ ଘଟିଛି। ବାରମ୍ୱାର ବାରଣ ସତ୍ତ୍ୱେ ଯୁବପିଢ଼ୀ ସେହି ମଣିଷ ଖିଆ ପୋଖରୀକୁ ଯାଉଛନ୍ତି। ଆଉ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Accident Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe