Advertisment

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖ; ବାହାରିନ୍‌ରେ ଫସିଛି ପୁଅର ମୃତଦେହ

ଶନିବାର ସାଗର ଘରକୁ ଫୋନ୍‌ କରି ମାଆ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ କଥା ହୋଇଥିଲେ। ବେଶ୍‌ ଖୁସିଥିଲେ। କମ୍ପାନୀରୁ ଛୁଟି ମିଳିଲେ ଟଙ୍କା ଧରି ଘରକୁ ଫେରିବେ ବୋଲି ମାଆଙ୍କୁ କହିଥିଲେ। ହେଲେ ରବିବାର ଆସିଲା ଦୁଃଖଦ ଖବର।

author-image
Manoranjan Sial
BJD

BJD

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମ। ସେହି ଜିଲ୍ଲା ଏବେ ଦାଦନ ଜିଲ୍ଲା ଭାବେ ପରିଣତ ହୋଇଛି। ଗାଁରେ କାମ ମିଳୁନଥିବାରୁ ପ୍ରତିଦିନ ଦାଦନ ଖଟିବାକୁ ଦେଶ ବାହାରକୁ ଯାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସେମିତି ଏକ ଅଭିଯୋଗ ଖଲ୍ଲିକୋଟ୍‌ ନିର୍ବାଚନମଣ୍ଡଳୀରୁ ଆସିଛି। ଭଉଣୀ ବାହାଘର ଋଣ ସୁଝିବା ପାଇଁ ବାହାରିନ୍‌ ଯାଇଥିଲେ ଭାଇ। ହେଲେ ଋଣ ଟଙ୍କା ସୁଝିବେ କ’ଣ, ସେଠାରେ ଚାଲିଗଲା ତାଙ୍କ ଜୀବନ। ପୁଅ ମୃତଦେହ ବାହାରିନ୍‌ରେ ଫସିଥିବା ବେଳେ ବାପା ମାଲ୍‌ଦ୍ୱୀପରୁ ଘରକୁ ଫେରିବା ପାଇଁ ରାସ୍ତା ଖୋଜୁଛନ୍ତି।

Advertisment

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗାଁର କାର୍ତ୍ତିକ ପ୍ରଧାନ। କାମଦାମ କରି ଦୁଃଖେ କଷ୍ଟେ ଚଳୁଥିଲେ। ହେଲେ ପେଟ ପୋଷି ପାରୁନଥିଲେ। ଆଜକୁ ୧୦ ମାସ ତଳେ ବହୁ କଷ୍ଟରେ ଧାର ଉଧାର କରି ଘରର ବଢ଼ିଲା ଝିଅର ବାହାଘର କରାଇଥିଲେ। ହେଲେ ସେହି ଋଣ ସୁଝି ପାରିଲେ ନାହିଁ। ଗାଁରେ ହାତକୁ କାମ ମିଳିଲା ନାହିଁ। ତେଣୁ ଋଣ ସୁଝିବା ପାଇଁ କାର୍ତ୍ତିକ ଓ ତାଙ୍କ ଏକମାତ୍ର ପୁଅ ସାଗର ପ୍ରଧାନ ୧୦ ମାସ ତଳେ ଭିଟାମାଟି ଛାଡି ଦେଶ ବାହାରକୁ ଯାଇଥିଲେ। ବାପ ଓ ପୁଅ ଭାବିଥିଲେ କାମ କରି ଟଙ୍କା ଆଣିଲେ ଭଉଣୀର ବାହାଘର ବେଳେ ହୋଇଥିବା ଋଣ ଟଙ୍କା ସୁଝିବେ। ଉଭୟ ଦଲାଲଙ୍କ ମାଧ୍ୟମରେ ଦେଶ ବାହାରକୁ ଯାଇଥିଲେ।

କାର୍ତ୍ତିକ ପ୍ରଧାନ ମାଳଦ୍ୱୀପ ଯାଇଥିବା ବେଳେ ପୁଅ ସାଗର ବାହାରିନ୍‌ର ନାସା କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ଶନିବାର ସାଗର ଘରକୁ ଫୋନ୍‌ କରି ମାଆ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ କଥା ହୋଇଥିଲେ। ବେଶ୍‌ ଖୁସିଥିଲେ। କମ୍ପାନୀରୁ ଛୁଟି ମିଳିଲେ ଟଙ୍କା ଧରି ଘରକୁ ଫେରିବେ ବୋଲି ମାଆଙ୍କୁ କହିଥିଲେ। ହେଲେ ରବିବାର ଆସିଲା ଦୁଃଖଦ ଖବର। ସାଗରଙ୍କ ମୃତ୍ୟୁ ହୋଇଥିବା ବାହାରିନ୍‌ରେ କାମ କରୁଥିବା ଅନ୍ୟ ଓଡ଼ିଆମାନେ ଫୋନ୍‌ କରି କହିଥିଲେ।

Advertisment

ଘର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଛନ୍ତି ମାଆ। ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଗତ ୪ ଦିନ ହେଲା ଘରେ ଚୁଲି ଜଳୁନି। ହେଲେ ଆଜି ଯାଏଁ ସାଗରଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। କେଉଁ କାରଣରୁ ସାଗରଙ୍କ ମୃତ୍ୟୁ ଘଟିଲା, ତାହାର ବିଧିବଦ୍ଧ ଭାବେ ତଦନ୍ତ କରିବା ସହ ପୁଅର ମୃତଦେହ ଘରକୁ ଆଣିବାକୁ ପରିବାର ଲୋକେ ଗୁହାରୀ କରିଛନ୍ତି। ଅନ୍ୟପକ୍ଷରେ ମାଳଦ୍ୱୀପରେ ଫସି ରହିଥିବା କାର୍ତ୍ତିକ ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛନ୍ତି। ତେଣୁ ସେ ଘରକୁ ଫେରିବାକୁ ଚାହୁଁଛନ୍ତି। ହେଲେ ସମ୍ଭବପର ହେଉନଥିବାରୁ ଘରକୁ ଆସି ପାରୁନାହାନ୍ତି।

ସେହିପରି ବେଗୁନିଆପଡା ବ୍ଲକ୍‌ ଭାଲିଆଝର ଗାଁର ଗଣପତି ବିଶ୍ୱାଳଙ୍କ ପୁଅ ସୁଶାନ୍ତ ବିଶ୍ୱାଳ ଅର୍ଥ ରୋଜଗାର ପାଇଁ ଦୁବାଇ ଯାଇଥିଲେ। ହେଲେ ଗତ ୭ ତାରିଖ ଦୁବାଇରେ ତାଙ୍କର ମୃତ୍ୟୁ ଘଟିଛି। ନିଜ ଅଞ୍ଚଳରେ ରୋଜଗାର ମିଳୁନଥିବାରୁ ପରିବାର ପ୍ରତିପୋଷଣ ପାଇଁ ଗତବର୍ଷ ନଭେମ୍ବର ମାସରେ ଦୁବାଇ ଯାଇ ଏକ କମ୍ପାନୀରେ କାମ କରୁଥିଲେ ସୁଶାନ୍ତ। ତାଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଘରେ ବୃଦ୍ଧ ବାପା, ମାଆ ଓ ଭଉଣୀ ଅଖିଆପିଆ ରହିଛନ୍ତି। ଅନ୍ୟପକ୍ଷରେ ମୃତଦେହ ଭିଟାମାଟିକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ।

ସୂଚନାରୁ ପ୍ରକାଶ, ଦାଦନ ପ୍ରବଣ ଜିଲ୍ଲା ଭାବେ ପରିଚିତ ଗଞ୍ଜାମରେ ପ୍ରତିଦିନ ଯାଉଛି ଦଦନ ଶ୍ରମିକଙ୍କ ଜୀବନ। ଗତ ବୁଧବାର ସାନଖେମୁଣ୍ଡି ବ୍ଲକ କରାଖଣ୍ଡି ଗାଁରେ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ପହଂଚିଥିବା ବେଳେ ଗତ ୫ ଦିନ ଭିତରେ ରଙ୍ଗେଇଲୁଣ୍ଡା, ଗୋପାଳପୁର ଅଂଚଳରୁ ଜଣେ ଲେଖାଏ ଦାଦନଙ୍କ ମୃତ୍ୟୁ ହୋଇଛି। ଗତ ୫ ମାସ ଭିତରେ ଗଞ୍ଜାମ ଜିଲ୍ଲାରେ ୧୮ଜଣଙ୍କ ମୃତ୍ୟୁ ଘଟିବା ଜଣାପଡିଛି।

ରିପୋର୍ଟ-ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ

BjD Ganjam Naveen Patnaik