Advertisment

ଗାଁକୁ ରାସ୍ତା ନାହିଁ: ମେଡିକାଲ୍‌ରେ ପହଞ୍ଚୁ ପହଞ୍ଚୁ ସର୍ପ ଦଂଶନର ଶିକାର ଯୁବକଙ୍କ ମୃତ୍ୟୁ

ଗାଁକୁ ଯାଇଥିବା ରାସ୍ତା ଦୟନୀୟ ହୋଇଥିବାରୁ ଆମ୍ୱୁଲାନ୍ସ ଆଗକୁ ଯାଇପାରିନଥିଲା। ତେଣୁ ଆମ୍ୱୁଲାନ୍ସ କର୍ମଚାରୀମାନେ ଷ୍ଟ୍ରେଚର ଧରି ପରାଭାଡ଼ି ଗାଁକୁ ଯାଇଥିଲେ।

author-image
Manoranjan Sial
Keonjhar

Keonjhar

ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ! ତେଣୁ ସର୍ପ ଦଂଶରେ ଅସୁସ୍ଥ ରୋଗୀଙ୍କୁ ମେଡ଼ିକାଲ୍‌ ନେବାରେ ବହୁ ବିଳମ୍ୱ ହେଲା। ପ୍ରାୟ ଦେଢ଼ କିମି ଷ୍ଟ୍ରେଚରରେ ବୋହି ନେଇ ମେଡ଼ିକାଲ୍‌ରେ ଭର୍ତ୍ତି କଲା ବେଳକୁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଆଜି ଏପରି ହୃଦୟବିଦରକ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଞ୍ଚଳରେ ଘଟିଛି।

Advertisment

ଘଟଗାଁ ବ୍ଲକ୍‌ ସନ୍ତରାପୁର ପଞ୍ଚାୟତର ପରାଭାଡ଼ି ସାହି ପରମାନନ୍ଦ ମହାନ୍ତ ଘରେ ଶୋଇଥିଲେ। ସେହି ସମୟରେ ତାଙ୍କୁ ଏକ ବିଷଧର ସର୍ପ ଦଂଶନ କରିଥିଲା। ଯେଉଁଥିପାଇଁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ ପରିବାର ଲୋକେ। ଫୋନ୍‌ କଲ୍‌ ପାଇ ଆମ୍ୱୁଲାନ୍ସ ଠିକ୍‌ ସମୟରେ ଆସିଥିଲା। ହେଲେ ପରାଭାଡ଼ି ସାହିକୁ ଯାଇପାରିଲା ନାହିଁ। ଗାଁଠାରୁ ଦେଢ଼ କିମି ଦୂରରେ ଅଟକି ରହିଲା ଆମ୍ୱୁଲାନ୍ସ।

ଗାଁକୁ ଯାଇଥିବା ରାସ୍ତା ଦୟନୀୟ ହୋଇଥିବାରୁ ଆମ୍ୱୁଲାନ୍ସ ଆଗକୁ ଯାଇପାରିନଥିଲା। ତେଣୁ ଆମ୍ୱୁଲାନ୍ସ କର୍ମଚାରୀମାନେ ଷ୍ଟ୍ରେଚର ଧରି ପରାଭାଡ଼ି ଗାଁକୁ ଯାଇଥିଲେ। ଗାଁ ଲୋକଙ୍କ ସହାୟତାରେ ଆମ୍ୱୁଲାନ୍ସମାନେ ସର୍ପ ଦଂଶନରେ ଅସୁସ୍ଥ ହୋଇଥିବା ପରମାନନ୍ଦଙ୍କୁ ଷ୍ଟ୍ରେଚରରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ। ତା’ପରେ ତାଙ୍କୁ ଆମ୍ୱୁଲାନ୍ସରେ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

Advertisment

ସୂଚନାରୁ ପ୍ରକାଶ, ଦୁଇ ଦିନ ତଳେ ଦେଶ ପାଳିଛି ୭୭ ତମ ସ୍ୱାଧୀନତା ଦିବସ। ଦେଶର ରାଜଧାନୀ ଓ ରାଜ୍ୟର ରାଜଧାନୀରୁ ମୁଖିଆମାନେ ଦେଖାଇଛନ୍ତି ବିକାଶର ଗୋଲାପି ଚିତ୍ର। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ତିଆରି କରିପାରିଲେ ନାହିଁ। ଯେଉଁଥିପାଇଁ ଗାଁକୁ ଠିକ୍‌ ସମୟରେ ଯାଇପାରିଲା ନାହିଁ ଆମ୍ୱୁଲାନ୍ସ। ବିଳମ୍ୱରେ ମେଡ଼ିକାଲରେ ପହଞ୍ଚିବାରୁ ସର୍ପ ଦଂଶନରେ ଅସୁସ୍ଥ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Keonjhar