ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ମୁହଁରେ ରଙ୍ଗୀନ ତୋରଣ, ଝୋଟି ଓ ରଙ୍ଗୋଲି ପକାଇ ସଜାଯାଏ। ରଙ୍ଗୋଲିରେ ଅଟା, ଚାଉଳ ଚୂନା, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଓ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ। ଯଦି ବାସ୍ତୁ ଶାସ୍ତ୍ରର ପରାମର୍ଶ ଅନୁଯାୟୀ, ରଙ୍ଗ ଓ ଦିଗକୁ ଧ୍ୟାନରେ ରଖି ଏହି ରଙ୍ଗୋଲିର ଝୋଟି ପକାଯାଏ, ତା’ହେଲେ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଏହାଦ୍ୱାରା ଘର ଆଖପାଖର ନାକାରାତ୍ମକ ଶକ୍ତି ଦୂର ହେବା ସହ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଘର ଉପରେ ଦେବଦେବୀଙ୍କର କୃପା ଦୃଷ୍ଟି ବି ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ବାସ୍ତୁର ନିୟମ ଅନୁଯାୟୀ କେମିତି ରଙ୍ଗୋଲି ପକାଇବେ।
- ଉତ୍ତରମୁହାଁ ହୋଇ ରହିଥିବା ଘର ପାଇଁ ଲହରୀଯୁକ୍ତ କିମ୍ବା ପାଣିର ଗୁଣ ସହ ମିଶୁଥିବା ଡିଜାଇନ୍ ବନାଇ ରଙ୍ଗୋଲି ସଜାଇଲେ ଭଲ। ଏହାଦ୍ୱାରା ଜୀବନରେ ଉନ୍ନତି ହେବ। ଏହି ଦିଗ ପାଇଁ ହଳଦିଆ, ସବୁଜ ଓ ଆକାଶୀ ରଙ୍ଗର ପ୍ରୟୋଗ କରି ରଙ୍ଗୋଲି ପକାନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳିବ।
-ଯଦି ଆପଣଙ୍କ ଘର ପଶ୍ଚିମମୁଖୀ, ତା’ହେଲେ ଧଳା ଓ ସୁନେଲି ରଙ୍ଗର ଗୋଲାକୃତି ରଙ୍ଗୋଲି ତିଆରି କରନ୍ତୁ। ଏଥି ସହ ଆପଣ ଲାଲ, ହଳଦିଆ ଓ ହାଲକା ସବୁଜ ରଙ୍ଗ ମଧ୍ୟ ପ୍ରୟୋଗ କରିପାରିବେ। ଅଧିକ ଭଲ ହେବ ଯଦି ପାଞ୍ଚୋଟି କୋଣ ଥିବା ରଙ୍ଗୋଲି ତିଆରି କରିବେ।
-ମୁଖ୍ୟ ଦ୍ୱାରରେ ରଙ୍ଗୋଲି ତିଆରି କରିସାରିବା ପରେ ଏହାକୁ ଦୀପରେ ସଜାଇବାକୁ ଭୁଲନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାରକୁ ରଙ୍ଗୀନ ଓ ଉଜ୍ଜ୍ୱଳିତ କଲେ, ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।