Advertisment

୨୨ ଶହ କୋଟି ଟଙ୍କା ଅନଲାଇନ ସ୍କାମ; କଳାକାର ବି ଅଛନ୍ତି ସାମିଲ

ଦୁଇ ଗୁଣା ଟଙ୍କା ଫେରି ପାଇବା ଲୋଭ ଦେଖାଇ ୨୨ ଶହ କୋଟି ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

author-image
Debibandita Barick
ଅଦ୍ୟତନ ହୋଇଛି
Phone

Phone

୨୨ ଶହ କୋଟି ଟଙ୍କା ଅନଲାଇନ ସ୍କାମର ପର୍ଦ୍ଦାଫାସ କରିଛି ଆସାମ ପୁଲିସ। ଅନଲାଇନ ଷ୍ଟକ୍ ମାର୍କେଟରେ ଟଙ୍କା ଇନଭେଷ୍ଟ (ପୁଞ୍ଜି ନିବେଶ) କଲେ ଦୁଇ ଗୁଣା ଟଙ୍କା ଫେରି ପାଇବା ଲୋଭ ଦେଖାଇ ବିପୁଳ ପରିମାଣର ଅର୍ଥ ଲୁଟି ନେଇଛନ୍ତି ସ୍କାମର୍। ପୁଲିସ ଏହି ମାମଲାର ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି, ଡିବ୍ରୁଗଡ଼ର ୨୨ ବର୍ଷୀୟ ଅନଲାଇନ ଟ୍ରେଡର ବିଶାଲ ଫୁକାନ ଏବଂ ଗୌହାଟୀର ସ୍ୱପ୍ନିଲ ଦାସ। ଏହି ଅନଲାଇନ ସ୍କାମର ଚେର ସାରା ରାଜ୍ୟକୁ ବ୍ୟାପିଥିବା ପୁଲିସ ସନ୍ଦେହ କରୁଛି। ଏଥିରେ ଆହୁରି ଅନେକ ଗିରଫ ହୋଇପାରନ୍ତି ବୋଲି ପୁଲିସ କହିଛି। 

ପୁଲିସ କହିଛି ଯେ, ଫୁକାନ ନିବେଶକଙ୍କୁ ଅତି ଚତୁରତାର ସହ ଠକି ଚାଲିଥିଲା। ନିଜର ଅତ୍ୟାଧୁନିକ ଜୀବନଶୈଳୀର ଉଦାହରଣ ଦେଇ ଏହି ମାଧ୍ୟମରେ ରାତାରାତି ଧନୀ ହୋଇଥିବା ଲୋକଙ୍କୁ କହୁଥିଲା। ଅନଲାଇନ ଷ୍ଟକ୍ ମାର୍କେଟରେ ପୁଞ୍ଜି ନିବେଶ କଲେ ୬୦ ଦିନ ମଧ୍ୟରେ ୩୦ ପ୍ରତିଶତ ରିଟର୍ଣ୍ଣ ମିଳିବାର ଲୋଭ ଦେଖାଇଥିଲା। 

Advertisment

ସେ ମଧ୍ୟ ୪ଟି ନକଲି କମ୍ପାନୀ କରିବା ସହ ଆସାମର ଫିଲ୍ମ ଇଣ୍ଡଷ୍ଟ୍ରିରେ ଟଙ୍କା ବିନିଯୋଗ କରିଥିଲେ ଏବଂ ତାଙ୍କ ନାଁରେ ଅନେକ ସମ୍ପତ୍ତି ରହିଥିବା ପୁୁଲିସ କହିଛି।

ପୁଲିସ ଦିବ୍ରୁଗଡରେ ଥିବା ତାଙ୍କ ଘରେ ଚଢାଉ କରି କୋଟି କୋଟି ଟଙ୍କା ମୂଲ୍ୟର ସ୍କାମ ସହ ଜଡିତ ଦସ୍ତାବିଜ ଜବତ କରିଛି। ଫୁକାନର ଏହି ସ୍କାମ୍ ନେଟୱାର୍କ ସହ ଆସାମର କୋରିଓଗ୍ରାଫର ସୁମି ବୋରା ମଧ୍ୟ ଜଡ଼ିତ ଥିବା ପୁଲିସ କହିଛି। ବର୍ତ୍ତମାନ ପୁଲିସ ତାଙ୍କୁ ଖୋଜୁଛି। 

ସେପଟେ ଏହି ଖବର ପ୍ରକାଶ ପାଇବା ପରେ ଅନଲାଇନରେ ଏବଂ ଷ୍ଟକ୍ ମାର୍କେଟରେ ଘଟୁଥିବା ଜାଲିଆତି ବିଷୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।

ସେ କହିଛନ୍ତି, "ମୁଁ ଲୋକଙ୍କୁ କହିବାକୁ ଚାହେଁ ଯେ ଅନଲାଇନ୍ ଟ୍ରେଡିଂ ଫାର୍ମ ମାଧ୍ୟମରେ ଷ୍ଟକ୍ ମାର୍କେଟରେ ଟଙ୍କା ବିନିଯୋଗ କରିବାର କୌଣସି ବ୍ୟବସ୍ଥା ନାହିଁ। ଠକମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଲୋକଙ୍କୁ ଠକାମିରୁ ଦୂରେଇ ରହିବାକୁ ଅନୁରୋଧ କରୁଛି। ପୁଲିସ ବେଆଇନ ଦଲାଲଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଏହି ରାକେଟରେ ସାମିଲ ଥିବା ଅନ୍ୟମାନଙ୍କୁ ଖୋଜାଖୋଜି କରୁଛି।"

ରାଜ୍ୟରେ SEBI କିମ୍ବା RBI ନିର୍ଦ୍ଦେଶାବଳୀ ଅନୁସରଣ କରାନଯାଇ ଅନଲାଇନ ଟ୍ରେଣ୍ଡିଂ କମ୍ପାନୀ ବ୍ୟବସାୟ କରୁଥିବା ନେଇ ରିପୋର୍ଟ ଆସିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।

Scam Online Scam Assam Scam News