Advertisment

ଟ୍ରମ୍ପଙ୍କ ଭାରତ ବିରୋଧୀ ପଦକ୍ଷେପ : ୨୫% ଟାରିଫ, ଖତମ ଅର୍ଥନୀତି କଟାକ୍ଷ ଓ ପାକିସ୍ତାନ ସହ ଡିଲ୍‌

ପାକିସ୍ତାନରେ ବଡ଼ ତୈଳ ଭଣ୍ଡାର ପାଇଁ ଆମେରିକା କରିଛି ଡିଲ୍‌। ଖାଲି ସେତିକି ନୁହେଁ, ଭାରତକୁ ଚିଡ଼ାଇବା ପାଇଁ ଭବିଷ୍ୟତରେ ପାକିସ୍ତାନ ପକ୍ଷରୁ ନୂଆଦିଲ୍ଲୀକୁ ତୈଳ ରପ୍ତାନୀ କରାଯାଇ ପାରେ ବୋଲି ଟ୍ରମ୍ପ କହିବାକୁ ପଛାଇ ନାହାନ୍ତି।

author-image
Hemant Lenka
Trump

Trump

ବୁଧବାର ହ୍ୱାଇଟ ହାଉସ ପାଇଁ ସାଧାରଣ ନଥିଲା। ଏହା ବେଶ ବ୍ୟସ୍ତବହୁଳ ଦିନଟିଏ ଥିଲା। ଗୋଟିଏ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ନେଇଛନ୍ତି ଏକାଧିକ ବଡ଼ ପଦକ୍ଷେପ। ଭାରତକୁ ବନ୍ଧୁବନ୍ଧୁ କହୁଥିବା ଟ୍ରମ୍ପ ସିଧା ବଇରି ସାଜିଛନ୍ତି। ପ୍ରଥମେ ସେ ଭାରତ ଉପରେ ୨୫%ର ଟାରିଫ ଲଗାଇବା ସହ ଜୋରିମାନା ଲଗାଇଥିଲେ।

Advertisment

ସମାନ ସମୟରେ ଭାରତକୁ ଛିଗୁଲାଇ ପାକିସ୍ତାନ ସହ ବାଣିଜ୍ୟକ ଡିଲ କରିଛନ୍ତି। ପାକିସ୍ତାନରେ ବଡ଼ ତୈଳ ଭଣ୍ଡାର ପାଇଁ ଆମେରିକା କରିଛି ଡିଲ୍‌। ଖାଲି ସେତିକି ନୁହେଁ, ଭାରତକୁ ଚିଡ଼ାଇବା ପାଇଁ ଭବିଷ୍ୟତରେ ପାକିସ୍ତାନ ପକ୍ଷରୁ ନୂଆଦିଲ୍ଲୀକୁ ତୈଳ ରପ୍ତାନୀ କରାଯାଇ ପାରେ ବୋଲି ଟ୍ରମ୍ପ କହିବାକୁ ପଛାଇ ନାହାନ୍ତି।

ଏସବୁ ଘଟଣାର କିଛି ସମୟରେ ଟ୍ରମ୍ପ ନିଜର ସ୍ୱରକୁ ଭାରତ ବିରୋଧରେ ଶାଣିତ କରିଥିଲେ। ଭାରତ ଓ ରୁଷର ଅର୍ଥନୀତି ମରି ସାରିଥିବା ବା ଖତମ ହୋଇ ସାରିଥିବା କହିଛନ୍ତି। ଭାରତ ଓ ରୁଷ ସେମାନଙ୍କର ମରି ସାରିଥିବା ଅର୍ଥନୀତି ବା ଡେଡ୍‌ ଇକୋନୋମିକୁ ନେଇ ଏକାଠି ବୁଡ଼ିବେ ବୋଲି ଟ୍ରମ୍ପ କହିବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ରୁଷ ସହ ସମ୍ପର୍କ ପାଇଁ ଭାରତକୁ ଟାରିଫ ଝଟକା

ଟ୍ରମ୍ପ କହିଛନ୍ତି ଯେ ଆମେରିକା ପାରମ୍ପରିକ ଭାବେ ଭାରତ ସହ ସୀମିତ ବ୍ୟବସାୟ କରେ। ଏଥିସହ ଭାରତର ଉଚ୍ଚ ଟାରିଫ ଲଗାଉଥିବା ବିଶ୍ୱର ୧ନଂ ଦେଶ ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ରୁଷ ସହ ଭାରତ କ’ଣ କରୁଛି ମୁଁ ତା’କୁ ଖାତିର କରେ ନାହିଁ। ସେମାନେ ନିଜ ନିଜର ମୃତ ଅର୍ଥନୀତିକୁ ନେଇ ଏକାଠି ବୁଡ଼ନ୍ତୁ। ସମସ୍ତଙ୍କ ପାଇଁ ମୁଁ ଚିନ୍ତା କରେ।

ଆମେ ବହୁତ କମ ବ୍ୟବସାୟ ଭାରତ ସହ କରୁଛୁ। ସେମାନଙ୍କ ଟାରିଫ ବହୁତ ଅଧିକ। ବିଶ୍ୱର ସର୍ବୋଚ୍ଚ ଟାରିଫ ଲାଗୁ କରୁଥିବା ଅନ୍ୟତମ ଦେଶ ହେଉଛି ଭାରତ। ରୁଷ ଓ ଆମେରିକା ଭଳି ସେମାନଙ୍କ ସହ ଆମର କୌଣସି ବ୍ୟବସାୟ ନାହିଁ କହିଲେ ଚଳେ।” ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଭାରତ ଭଳି ୪ର୍ଥ ସର୍ବବୃହତ୍ତ ଅର୍ଥନୀତି ୨୫% ଟାରିଫର ସାମ୍ନା ଅଗଷ୍ଟ ୧ରୁ କରିବ। ରୁଷ ଠାରୁ ତେଲ କିଣୁଥିବାରୁ ଓ ମସ୍କୋ ସହ ସାମରିକ ଡିଲ କରୁଥିବା ଭାରତ ଉପରେ ଅତିରିକ୍ତ ଜୋରିମାନା ମଧ୍ୟ ଲାଗିବ।

ସେ କହିଛନ୍ତି, “ମନେରଖନ୍ତୁ, ଭାରତର ଆମର ବନ୍ଧୁ ହୋଇଥିଲେ ମଧ୍ୟ ଆମେ ବିଗତ ବର୍ଷ ଗୁଡ଼ିକରେ ବହୁତ କମ ବ୍ୟବସାୟ କରିଛୁ। କାରଣ ସେମାନଙ୍କ ଟାରିଫ ବହୁତ ଅଧିକ। ବିଶ୍ୱରେ ଅନ୍ୟତମ ସର୍ବୋଚ୍ଚ ଟାରିଫ ଭାରତ ଲଗାଉଛି। ଅନ୍ୟ ଦେଶ ତୁଳନାରେ ଭାରତ ଅନେକ କଟକଣା ମଧ୍ୟ ରହିଛି।”

ଇରାନ ସହ ଡିଲ ପାଇଁ ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା

ଆମେରିକା ପକ୍ଷରୁ ଭାରତର ୬ଟି କମ୍ପାନୀ ଉପରେ କଟକଣା ଲଗା ଯାଇଛି। ଇରାନ ଉପରେ ଆମେରିକା ଲଗାଇଥିବା କଟକଣାକୁ ଏହି ଭାରତୀୟ କମ୍ପାନୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି। ଏହି ଭାରତୀୟ କମ୍ପାନୀଗୁଡ଼ିକ ଇରାନୀୟ ପେଟ୍ରୋଲିୟମ ଦ୍ରବ୍ୟ ସହ ବଡ଼ଧରଣର ନେଣଦେଶରେ ମାତିଥିବା ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଆମେରିକାର ଇରାନ କଟକଣାକୁ ଉଲ୍ଲଙ୍ଘନକୁ ବେଖାତିର କରିଥିବା ବିଶ୍ୱର ୨୦ଟି କମ୍ପାନୀ ବିରୋଧରେ ହ୍ୱାଇଟହାଉସ ଏପରି ପଦକ୍ଷେପ ନେଇଛି। ଏହା ମଧ୍ୟରେ ଭାରତର ୬ଟି କମ୍ପାନୀ ରହିଛନ୍ତି।

ପାକିସ୍ତାନ ସହ ତୈଳ ଡିଲ୍‌

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା କାହାକୁ ଅଛପା ନାହିଁ। ଏପରି ଏକ ମୁହୂର୍ତ୍ତରେ ପାକିସ୍ତାନକୁ ସାମିଲ କରି ଗୋଟିଏ ବଡ଼ ଘୋଷଣା କରିଛନ୍ତି ଟ୍ରମ୍ପ। ଭାରତ ବିରୋଧରେ ଏକାଧିକ ପଦକ୍ଷେପ ନେଇଥିବା ଟ୍ରମ୍ପ ପାକିସ୍ତାନ ସହ ହୋଇଥିବା ବଡ଼ ଚୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପାକିସ୍ତାନରେ ବଡ଼ଧରଣର ତୈଳ ସଂରକ୍ଷଣ ଭଣ୍ଡାର ବିକଶିତ କରିବା ପାଇଁ ୱାଶିଂଟନ ଓ ଇସଲାମାବାଦ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିବା ଟ୍ରମ୍ପ କହିଛନ୍ତି।

ସେ କହିଛନ୍ତି, “ଆମେ ଏବେ ପାକିସ୍ତାନ ଭଳି ଦେଶ ସହ ଗୋଟିଏ ଚୁକ୍ତି କରିଛୁ। ଏହି ଚୁକ୍ତି ଅନୁସାରେ ଆମେରିକା ଓ ପାକିସ୍ତାନ ମିଳିତ ଭାବେ ଇସଲାମାବାଦରେ ବଡ଼ଧରଣର ତୈଳ ସଂରକ୍ଷଣ ଭଣ୍ଡାରର ବିକଶିତ ଉପରେ କାମ କରିବେ। ଆମେ ଏହି ଭାଗିଦାରୀର ନେତୃତ୍ୱ ନେବାକୁ ଗୋଟିଏ ତୈଳ କମ୍ପାନୀକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ କରିଛୁ। କିଏ ଜାଣେ, କେଉଁଦିନ ସେମାନେ ଭାରତକୁ ଗୋଟିଏ ଦିନ ତୈଳ ରପ୍ତାନୀ କରିବେ।”

PM Modi Donald Trump Vladimir Putin