amazon
ନ୍ୟୁୟର୍କ: ଅଲଲାଇନ ରି-ଟେଲ କମ୍ପାନୀ ଆମାଜନ ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ। ବିଶ୍ୱର ଅର୍ଥନୀତି ଏବେ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ କମ୍ପାନୀର କାରବାର ମଧ୍ୟ ହ୍ରାସ ପାଇଛି। ଏଥିସହ ମହାମାରୀ ବେଳେ କମ୍ପାନୀ ଆବଶ୍ୟକ ଠାରୁ ଅଧିକ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲା। ଏଥିପାଇଁ ଏବେ କମ୍ପାନୀ ତା’ର ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
କମ୍ପାନୀର ସିଇଓ ଆଣ୍ଡୀ ଜେସୀ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ନଭେମ୍ବର ମାସରେ କର୍ମଚାରୀ ହ୍ରାସ କରିବାକୁ ଆମେ ନେଇଥିବା ନିଷ୍ପତ୍ତି ଓ ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆମେ ମୋଟ ୧୮ ହଜାର ଲୋକଙ୍କୁ କମ୍ପାନୀରୁ ବିଦା କରିବାକୁ ସ୍ଥିର କରିଛୁ।
ଏହି ବିଦା କରିବା ନିଷ୍ପତ୍ତି ଅତ୍ୟନ୍ତ କଷ୍ଟକର ଥିଲା। ଆମେ ଆଦୌ ଏହି ସ୍ଥିତିକୁ ହାଲୁକା ଭାବେ ନେଉ ନାହୁଁ। କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ନେଇ ଚିନ୍ତିତ। ଆମ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବାକୁ ଥିବା କର୍ମଚାରୀମାନଙ୍କୁ ଉପଯୁକ୍ତ ପାଉଣା ଦିଆଯିବ। ସ୍ୱାସ୍ଥ୍ୟ ବୀମା ଓ ବାହାରେ ଚାକିରି ପାଇବା କ୍ଷେତ୍ରରେ ମଧ୍ୟ ସହଯୋଗ କରାଯିବ।
ୟୁରୋପରୁ ଅଧିକାଂଶ ଛଟେଇ ହେବ। ଏ ସମ୍ପର୍କରେ ବିଦା ହେବାକୁ ଥିବା କର୍ମଚାରୀଙ୍କୁ ଜାନୁଆରୀ ୧୮ ତାରିଖରୁ ପର୍ଯ୍ୟାୟକ୍ରମେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଅଚାନକ ଛଟେଇ ସମ୍ପର୍କିତ ଘୋଷଣା ପଛର କାରଣ କ’ଣ ବୋଲି ପ୍ରଶ୍ନର ଉତ୍ତରରେ ଆଣ୍ଡୀ କହିଛନ୍ତି, କମ୍ପାନୀରୁ ବିଦା ହୋଇଥିବା ଜଣେ କର୍ମଚାରୀ ଏ ସମ୍ପର୍କରେ ସମସ୍ତଙ୍କୁ ତଥ୍ୟ ଲିକ୍ କରି ଦେଇଥିଲେ। ତେଣୁ ଆଜି ଅଚାନକ ଭାବେ ଛଟେଇ ସମ୍ପର୍କରେ ଘୋଷଣା କରାଯାଉଛି ବୋଲି ସେ କହିଛନ୍ତି।
ଆମାଜନ ପାଇଁ ପ୍ରାୟ ୧.୫୪ ମିଲିୟନ ଲୋକ ପୂରା ବିଶ୍ୱରେ କାମ କରୁଛନ୍ତି। ଏହି ସ୍ଥାୟୀ କର୍ମଚାରୀଙ୍କ ବ୍ୟତୀତ ପର୍ବପର୍ବାଣୀ ସମୟରେ ମଧ୍ୟ ଠିକାରେ କିଛି କର୍ମଚାରୀଙ୍କୁ କମ୍ପାନୀ ନିଯୁକ୍ତ ଦେଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/amazon-1.jpg)