Advertisment

ଅନ୍‌ ଲାଇନ୍ ଗେମିଂ ଆପ୍ ପଛରେ ଚୀନ୍ ନାଗରିକ, ଭାରତରୁ ଠକି ନେଲେଣି ₹୪୦୦ କୋଟି

ଏକ ଅନ୍‌ ଲାଇନ୍ ଗେମିଂ ଆପ୍ ଉପରେ ଚଢ଼ାଉ କରି ୪୦୦ କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

author-image
Debibandita Barick
ଅଦ୍ୟତନ ହୋଇଛି
Phone

Phone

ଏକ ଅନଲାଇନ୍ ଗେମିଂ ଆପ୍ ଉପରେ ଚଢ଼ାଉ କରି ୪୦୦ କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ଗେମିଂ ଆପରେ ଚୀନ୍ ନାଗରିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି। 

Advertisment

ରିପୋର୍ଟ ଅନୁସାରେ, ଇଡି ଅନଲାଇନ୍ ଗେମିଂ ଆପ୍ ଫିୱିନ୍ (Fiewin) ଉପରେ ଚଢାଉ କରିଥିଲା। ଏହି ଆପ୍ ସହ ଜଡ଼ିତ ଥିବା କେତେକ ଚୀନ୍ ନାଗରିକଙ୍କ ଆକାଉଣ୍ଟ ସହ ସେମାନଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୨୫ କୋଟି ଟଙ୍କା ଅଚଳ କରାଯାଇଛି। 

ପୂର୍ବରୁ ଏହି ଠକେଇରେ ଚୀନ୍ ନାଗରିକଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗରେ କୋଲକାତାର ଚାରି ଜଣ ନାଗରିକଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅନଲାଇନ୍ ଆପ୍ ଠକାମି ନେଇ ଥାନାକୁ ଏକାଧିକ ମାମଲା ଆସିବା ପରେ ପୁଲିସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ ମାମଲା ହସ୍ତାନ୍ତର କରିଥିଲା। ଏହାପରେ ପୁଲିସ କୋଲକାତାର ଚାରି ଜଣଙ୍କୁ ଗିରଫ କରି ଖୋଳତାଡ଼ ଆରମ୍ଭ କରିଥିଲା। ବିଶ୍ୱର ସର୍ବବୃହତ୍ତ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ (ଅଦଳବଦଳ) କରୁଥିବା କମ୍ପାନୀ ବିନାନ୍ସ (Binance)ର ସହାୟତାରେ ଏହି ତଦନ୍ତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 

Advertisment

ଫିୱିନ୍ କିପରି ଠକେଇ କରେ?
ବିନାନ୍ସର ରିପୋର୍ଟ ଅନୁସାରେ, ମିନି ଗେମ୍ ଖେଳିବା ଦ୍ୱାରା ଉପଭୋକ୍ତାମାନଙ୍କୁ ସହଜରେ ଟଙ୍କା ରୋଜଗାରର ସୁଯୋଗ ଦେଇ ଠକେଇ କରୁଥିଲା ଫିୱିନ୍। ୟୁଜର୍ ଆପର ଆକାଉଣ୍ଟ ଖୋଲିବା ମାତ୍ରେ ଏହାର ଗେମିଂ ପ୍ରକ୍ରିୟାରେ ସାମିଲ ହୁଅନ୍ତି। ଏହାପରେ ଗେମରୁ ରୋଜଗାର କରୁଥିବା ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା ହୁଏ। ଯେତେବେଳେ ଆକାଉଣ୍ଟରେ ମୋଟା ଅଙ୍କର ଅର୍ଥ ଜମା ହୋଇଯାଏ, ସେତେବେଳେ ତୁରନ୍ତ ସେମାନଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଏ। 

ବ୍ୟବହାରକାରୀମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରନ୍ତି ନାହିଁ। ଏହାପରେ ଏହି ସବୁ ଟଙ୍କା ବିଭିନ୍ନ କ୍ରିପ୍ଟୋକରେନ୍ସି ଆଡ୍ରେସକୁ ଟ୍ରାନ୍ସଫର ହୋଇଥାଏ। ଏହି ଉପାୟରେ ଆପ୍ ଭାରତରୁ ପ୍ରାୟ ୪୦୦ କୋଟି ଟଙ୍କା ଲୁଟ୍ କରିଥିବା ଇଡି ତଦନ୍ତରୁ ଜଣାପଡିଛି। 

ଏଥିରେ ଚୀନ୍ ନାଗରିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଛି। ଆପ୍ ସହ ଜଡ଼ିତ କିଛି ଚୀନ୍ ନାଗରିକଙ୍କ ଆକାଉଣ୍ଟର ୨୫ କୋଟି ଟଙ୍କା ଅଚଳ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 

Enforcement Directorate Fiewin Online Gaming Fraud