ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପାଇଁ ଐତିହାସିକ ମୁହୂର୍ତ୍ତ। ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ମୂଲ୍ୟ ୪୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି। ବ୍ଲୁ ଚିପ, ମିଡ କ୍ୟାପ ଓ ଛୋଟ କ୍ୟାପର ମୂଲ୍ୟ ବୃଦ୍ଧି ପାଇବାରୁ ଏତେ ପରିମାଣର ପୁଞ୍ଜି ବଜାରକୁ ଆସିଛି।
୨୦୧୫ ମାର୍ଚ୍ଚ ମାସରେ ପ୍ରଥମଥର ପାଇଁ ବିଏସ୍ଇର ପୁଞ୍ଜି ୧୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୨୧ ଫେବୃଆରୀରେ ଏହା ୨୦୦ ଲକ୍ଷ କୋଟି ଓ ୨୦୨୩ ଜୁଲାଇରେ ଷ୍ଟକ ଏକ୍ସଚେଞ୍ଜ ପୁଞ୍ଜିର ପରିମାଣ ୩୦୦ ଲକ୍ଷ କୋଟି ଟଙ୍କା ଛୁଇଁଥିଲା। ତେବେ ଏହାର ୯ ମାସ ମଧ୍ୟରେ ବିଏସ୍ଇ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ଶେୟାର ମୂଲ୍ୟ ୪୦୦ ଲକ୍ଷ କୋଟି ଟଙ୍କା ହୋଇ ଯାଇଛି।
୨୦୨୩ ଏପ୍ରିଲ ମାସରୁ ବିଏସ୍ଇ ତାଲିକା ଭୁକ୍ତ କମ୍ପାନୀଗୁଡ଼ିକ ବଜାର ପୁଞ୍ଜିରୁ ୧୪୫ ଲକ୍ଷ କୋଟି ଟଙ୍କା ପାଇଥିଲେ। ଏଥିରେ ୫୭% ଅଭିବୃଦ୍ଧି ହୋଇଛି। ହାଇ ଫ୍ରିକ୍ୟୁଏନ୍ସୀ ଇଣ୍ଡିକେଟର୍ସ, କର୍ପୋରେଟ ଆୟ, ସ୍ଥିର ନୀତି ଯୋଗୁ ନିବେଶକାରୀଙ୍କ ସକାରାତ୍ମକ ଭାବ ଓ ଭାରତୀୟ ମାର୍କେଟକୁ ଘରୋଇ ଓ ଅନ୍ତର୍ଜାତୀୟ ପ୍ରବାହ ବୃଦ୍ଧି ଯୋଗୁ ଏପରି ଫାଇଦା ମିଳିଛି।
ମଧ୍ୟମ ଓ ଛୋଟ କ୍ୟାପ୍ ଇଣ୍ଡିସେସରେ ଯଥାକ୍ରମେ ୬୦% ଓ ୬୩% ବୃଦ୍ଧି ହୋଇଛି। ଏହା ବଡ଼ କ୍ୟାପ ସେନସେନ୍ସ ପରିସଂଖ୍ୟାନକୁ ୨୮.୬% ବୃଦ୍ଧି କରିଛି। ରିୟଲିଟର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଶକ୍ତି, ଭିତ୍ତିଭୂମି ଓ ଫାର୍ମା ସେକ୍ଟର ଅଧିକ ଲାଭ ପାଇଛନ୍ତି।
ମୋତିଲାଲ ୱସୱାଲ ସିକ୍ୟୁରିଟିଜ୍ ପକ୍ଷରୁ କୁହାଯାଇଛି ଯେ ଭାରତର ଜିଡିପି ୨୦୨୫/୨୬ ଆର୍ଥିକ ବର୍ଷ ସୁଦ୍ଧା ୪ ଲକ୍ଷ କୋଟି ଡଲାର ଅତିକ୍ରମ କରିବ। ସେହିପରି ୨୦୩୪ ଆର୍ଥିକ ବର୍ଷ ସୁଦ୍ଧର ଏହା ୮ ଲକ୍ଷ କୋଟି ଡଲାର ଛୁଇଁବ। ୨୦୨୪ ଲୋକସଭା ନିର୍ବାଚନ ପରେ ସ୍ଥିର ରାଜନୀତି ସ୍ଥିତି ଆଶା କରାଯାଇଛି।
ଏଥିପାଇଁ ଭିତ୍ତିଭୂମି, କାପେକ୍ସ ଓ ଉତ୍ପାଦନ କ୍ଷେତ୍ରରେ ଅର୍ଥନୀତିକ ଅଭିବୃଦ୍ଧିତ ହେଉଛି। ଆଗାମୀ ବର୍ଷରେ ଭାରତର ପୁଞ୍ଜି ବଜାରରେ ଆହୁରି ସକାରାତ୍ମକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ସଂସ୍ଥା କହିଛି।
ଶକ୍ତ ମାଇକ୍ରୋଇକୋନୋମି, ଠିକ ଠାକ ଆୟ, ସ୍ଥିର ସୁଧ ହାର, ମଧ୍ୟମଧରଣର ମୁଦ୍ରାସ୍ଫୀତି ଓ ନିୟମିତ ସ୍ଥିର ନୀତି ଯୋଗୁ ଭାରତ ବର୍ତ୍ତମାନ ଛୋଟ ସ୍ୱର୍ଣ୍ଣିମ ସମୟ ଦେଇ ଗତି କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।