ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନ କରିବା ବେଳେ ଏକଧିକ ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଗୋଟିଏ ହେଉଛି ଏନପିଏସ୍(ନ୍ୟାଶନାଲ ପେନସନ ସ୍କିମ) ବାତ୍ସଲ୍ୟ।
ଛୋଟ ପିଲାଙ୍କ ଭବିଷ୍ୟତକୁ ଅଧିକ ସୁରକ୍ଷିତ କରିବା ପାଇଁ ଅର୍ଥମନ୍ତ୍ରୀ ଏପରି ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ନାବାଳିକା/ନାବାଳକ ପିଲାଙ୍କ ପାଇଁ ସେମାନଙ୍କ ବାପା ମା’ କିମ୍ବା ଅଭିଭାବକମାନେ ଆର୍ଥିକ ସୁରକ୍ଷାର ବ୍ୟବସ୍ଥା କରିପାରିବେ।
ଏନପିଏସ୍ ବାତ୍ସଲ୍ୟ ଯୋଜନା କ’ଣ?
ବଡ଼ ହେବା ପୂର୍ବରୁ ନିଜ ପିଲାଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଏନପିଏସ୍ ବାତ୍ସଲ୍ୟ ଯୋଜନା ଆରମ୍ଭ କରିବେ। ବାପା ମା’ କିମ୍ବା ଅଭିଭାବକମାନେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ କ୍ଷମତା ଅନୁସାରେ ଏହି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ। ୧୮ ବର୍ଷ ହେବା ଯାଏ ସେମାନେ ଆର୍ଥିକ ଅନୁଦାନ ପ୍ରଦାନ କରିବେ।
ପିଲାଟି ୧୮ ବର୍ଷ ବୟସର ହୋଇଗଲା ପରେ ବାତ୍ସଲ୍ୟ ଆକାଉଣ୍ଟଟି ସାଧାରଣ ଏନପିଏସ ଆକାଉଣ୍ଟରେ ପରିଣତ ହୋଇଯିବ। ପିଲାଟିକୁ ୬୦ ବର୍ଷ ହେବା ପରେ ଉକ୍ତ ଟଙ୍କାର କିଛି ଅଂଶ ମିଳିବ। ସେହିପରି ପରବର୍ତ୍ତୀ ଅବସ୍ଥାରେ ମାସିକ ପେନସନ ମଧ୍ୟ ସେ ପାଇପାରିବେ। ଅତି କମରେ ୧ ହଜାର ଟଙ୍କା ଜମା କଲେ କିଛି ମୋଟା ଅଙ୍କର ଟଙ୍କା ପାଇପାରିବେ। ଜମା ରାଶି ଉପରେ ବାର୍ଷିକ ୯ରୁ ୧୨% ସୁଧ ମିଳିଥାଏ।
ଏନପିଏସ୍ କ’ଣ?
ଏନପିଏସ୍ ଗୋଟିଏ ଟିକସ ସେଭିଂ ସ୍କିମ। ଏହି ଯୋଜନାରେ ଜଣେ ୧୮ରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ଦେଶର ଯେକୌଣସି ବ୍ୟାଙ୍କରେ ନିଜର ଏନପିଏସ୍ ଆକାଉଣ୍ଟ ଖୋଲି ପାରିବେ। ୬୦ ବର୍ଷ ବୟସ ଯାଏ ତାଙ୍କୁ ନିଜର କ୍ଷମତା ଅନୁସାରେ ଟଙ୍କା ଜମା କରିବାକୁ ପଡ଼ିବ। ୬୦ ବର୍ଷ ହୋଇଗଲା ପରେ ଖାତାରେ ଥିବା ଗୋଟିଏ ସୀମିତ ପରିମାଣ ବ୍ୟକ୍ତିଙ୍କୁ ମିଳିବ।
ବାକି ଟଙ୍କା ପେନସନ ରୂପରେ ସରକାର ଦେବେ। ଏଯାଏ କୌଣସି ନାବାଳକ କିମ୍ବା ନାବାଳିକା ଏହି ଯୋଜନାରେ ସାମିଲ ହୋଇ ନଥିଲେ। କିନ୍ତୁ ଏବେ ବାପା ମା’ ନିଜର ଛୋଟ ପିଲାଙ୍କ ପାଇଁ ମଧ୍ୟ ଆର୍ଥିକ ଅନୁଦାନ ଦେଇପାରିବେ।
ଏନପିଏସ୍ର ଆରମ୍ଭ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିଲା। କିନ୍ତୁ ୨୦୦୯ରେ ଏହା ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହୋଇଥିଲା। ଏହି ଯୋଜନାରେ ଟିୟର-୧ ଓ ଟିୟର ୨ ଅଧୀନରେ ନିବେଶ କରାଯାଇ ପାରିବ। ଟିୟର ୧ ରିଟାୟାରମେଣ୍ଟ ଓ ଟିୟର ୨ ସ୍ୱେଚ୍ଛାକୃତ ଖାତା ଅଟେ।
ଟିୟର ୧ରେ ଆପଣ ୫୦୦ ଟଙ୍କା ଓ ଟିୟର ୨ରେ ୧୦୦୦ ଟଙ୍କା ନିବେଶ କରିବାକୁ ପଡ଼ିଥାଏ। ଏନପିଏସ ଗୋଟିଏ ନିୟମିତ ନିବେଶ ଯୋଜନା। ଏଥିରେ ପ୍ରତିବର୍ଷ ନିବେଶ କରିବାକୁ ପଡ଼ିଥାଏ। ସେବାନିବୃତ୍ତ ହେବା ପରେ ଖାତାରେ ଥିବା ମୋଟ ଅର୍ଥର ୬୦% ଏକକାଳୀନ ମିଳିବ। ବାକି ୪୦% ଅର୍ଥ ପେନସନ ଆକାରରେ ଖାତାଧାରୀ ପାଇବେ।
ବଜେଟରେ ବାତ୍ସଲ୍ୟ ଯୋଜନା ବ୍ୟତୀତ ଏନପିଏସ୍ ଯୋଗଦାନ ସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। କର୍ମ ସଂସ୍ଥାନର ଯୋଗଦାନ ସୀମାକୁ କର୍ମଚାରୀଙ୍କ ମୂଳ ଦରମାର ୧୦%ରୁ ୧୪%କୁ ବୃଦ୍ଧି କରାଯାଇଛି। ଏହି ସୀମା ଉଭୟ ଘରୋଇ ଓ ସରକାରୀ ସଂସ୍ଥାନ ପାଇଁ ପ୍ରଯୁଜ୍ୟ। କିନ୍ତୁ କେବଳ ନୂଆ ଟିକସ ବ୍ୟବସ୍ଥାରେ ଏହା ସମ୍ଭବ।