/odisha-reporter/media/post_attachments/uploadimage/library/16_9/16_9_0/IMAGE_1678968927.jpg)
Deepak Mohanty
ଆଉ ଜଣେ ଓଡ଼ିଆକୁ ବଡ଼ ପଦରେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଦୁଇ ଦିନ ତଳେ ସିଦ୍ଧାର୍ଥ ମହାନ୍ତି ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ। ଏବେ ଆଉ ଜଣେ ଓଡ଼ିଆ ପୁଅ ଦୀପକ ମହାନ୍ତିଙ୍କୁ କେନ୍ଦ୍ର ସରକାର ପେନ୍ସନ୍ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍ଆର୍ଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
ସେ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ୬୫ ବର୍ଷ ବୟସରେ ପାଦ ଦେବା ଯାଏ ଏହି ପଦରେ ରହିବେ। ଏହାପରେ କେନ୍ଦ୍ର ସରକାର ଚାହିଁଲେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ମଧ୍ୟ କରିପାରିବେ।
ନୂଆ ଦାୟିତ୍ୱ ପାଇବା ପୂର୍ବରୁ ଶ୍ରୀ ମହାନ୍ତି ପିଏଫ୍ଆର୍ଡିଏର ପୂର୍ଣ୍ଣକାଳୀନ ସଦସ୍ୟ (ଅର୍ଥନୀତି) ଭାବେ ଦୁଇ ବର୍ଷ କାର୍ଯ୍ୟ କରିଥିଲେ। ପେନସନ ଫଣ୍ଡର ବିକାଶ ଓ ରେଗୁଲେସନ କ୍ଷେତ୍ରରର ସେ ତଦାରଖ କରୁଥିଲେ। ଏହା ପୂର୍ବରୁ ସେ ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ବ୍ୟାଙ୍କିଙ୍ଗ ନିୟାମକ, ବିପର୍ଯ୍ୟୟ ପରିଚାଳନା, ଆଭ୍ୟନ୍ତରୀଣ ଅଡିଟ୍, ଆର୍ଥିକ ସ୍ଥିରତା, ଗବେଷଣା ଓ ପରିସଂଖ୍ୟାନ କ୍ଷେତ୍ରରେ କାମ କରିଥିଲେ।
ଏହାବାଦ ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଦ୍ରାନୀତି ବିଭାଗ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏଥିସହ ସେ ଅର୍ଥନୀତିକ ଗବେଷଣାର ବିଭିନ୍ନ ପଦବୀ ଓ ଆରବିଆଇର ମୁଦ୍ରାନୀତି ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ସେ ଏକାଧିକ କମିଟିରେ ମଧ୍ୟ କାର୍ଯ୍ୟର ଅଭିଜ୍ଞତା ରଖିଛନ୍ତି।
ଗତବର୍ଷ ଅଗଷ୍ଟରୁ ପିଏଫ୍ଆର୍ଡିଏର ଅଧ୍ୟକ୍ଷ ପଦ ଲାଗି ପ୍ରାର୍ଥୀ ଖୋଜା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଚଳିତ ବର୍ଷ ଜାନୁଆରିରେ ପୂର୍ବତନ ଅଧ୍ୟକ୍ଷ ସୁପ୍ରତିମ୍ ବନ୍ଦୋପାଧ୍ୟାୟ ଅବସର ନେଇଥିଲେ। ସେବେଠାରୁ ଏହି ପଦ ଖାଲି ପଡ଼ିଥିଲା। ଏବେ ତାଙ୍କ ସ୍ଥାନରେ ଶ୍ରୀ ମହାନ୍ତି କାର୍ଯ୍ୟ କରିବେ। ଦୀପକଙ୍କ ସ୍ଥାନରେ ପିଏଫ୍ଆର୍ଡିଏର ପୂର୍ଣ୍ଣକାଳୀନ ସଦସ୍ୟ (ଅର୍ଥନୀତି) ଭାବେ ମମତା ଶଙ୍କରଙ୍କୁ ନିଯୁକ୍ତି ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
