ନୂଆଦିଲ୍ଲୀ: ଦୀପାବଳି ବେଳେ ଅଶୋଧିତ ତୈଳ ଦର ଉଚ୍ଚା ଥିବା ବେଳେ ଦେଶର ଜନସାଧାରଣଙ୍କ ପକେଟ୍ ଉପରେ ବଡ ବୋଝ ପଡିଥିଲା। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି କମାଇଥଲେ। ପରେ କେନ୍ଦ୍ରକୁ ଅନୁସରଣ କରି ରାଜ୍ୟ ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ କମାଇଥିଲେ।
ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭.୩(ପ୍ରାୟ ୫୨୧ଟଙ୍କା) ଡଲାର ଶସ୍ତା ହୋଇଛି। କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ଶତକ ଓ ଶତକ ପାଖାପାଖି ରହିଛି। ତେବେ ପ୍ରଶ୍ନ ଉଠୁଛି, ଯେତେବଳେ ତୈଳ ଦର ବଢ଼େ ସେତେବେଳେ କେନ୍ଦ୍ର ସରକାର କୁହନ୍ତି, ଅଶୋଧିତ ତୈଳ ଦର ବଢ଼ିବାରୁ ଭାରତରେ ମଧ୍ୟ ତୈଳ ଦର ବଢ଼ୁଛି। ଯଦି କେନ୍ଦ୍ର ସରକାରଙ୍କ ଏହି ସ୍ପଷ୍ଟିକରଣକୁ ସତ ବୋଲି ଧରାଯାଏ ତା'ହେଲେ ଅଶୋଧିତ ତୈଳ ଦର ତଳମୁହାଁ ହେଉଥିବା ବେଳେ କେଉଁ ସ୍ୱାର୍ଥ ପାଇଁ ପେଟ୍ରୋଲ ଡିଜେଲ ଦର କମୁନି? ଯାହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରୁ ଉତ୍ତର ଲୋଡିଛନ୍ତି।
https://twitter.com/RahulGandhi/status/1478603828484313088?s=20
ନଭେମ୍ବର ତୁଳନାରେ ଡିସେମ୍ବରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପାଖାପାଖି ୫୨୧ ଟଙ୍କା କମିଛି। ଦେଶରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହେଉଛି। ଏଭଳି ସ୍ଥିତି ଯେତେବେଳେ ଦର ହ୍ରାସ କରିବାର ସମୟ ଆସୁଛି ସେତେବେଳେ, ଖାଉଟିଙ୍କୁ ପକେଟ୍ରୁ ବୋଝ କମାଇବା ପରିବର୍ତ୍ତେ, ସରକାରୀ କମ୍ପାନୀଗୁଡ଼ିକ ନିଜ ନିଜ ଲାଭ ଉଠାଇବାରେ ବ୍ୟସ୍ତ ଥିବା କୁହାଯାଉଛି।
ରେଟିଂ ଏଜେନ୍ସି ଇକ୍ରାର ଉପସଭାପତି ତଥା ପେଟ୍ରୋଲିୟମ ବିଶେଷଜ୍ଞ ପ୍ରଶାନ୍ତ ବୈଶିଷ୍ଟ କହିଛନ୍ତି- 'ମୂଲ୍ୟ ସମୀକ୍ଷାର ଉଦ୍ଦେଶ୍ୟ ଥିଲା ଯଦି ଅଶୋଧିତ ତୈଳ ଦର ବୃଦ୍ଧି ହୁଏ, ତେବେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି ହେବ। ଯଦି ଅଶୋଧିତ ତୈଳ ଦର ଶସ୍ତା ହେବ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ହ୍ରାସ ହେବା ଉଚିତ। ବେଳେବେଳେ ରାଜନୈତିକ କାରଣରୁ ମୂଲ୍ୟ ହ୍ରାସ ହୁଏ, ଯାହାକୁ ପରେ କମ୍ପାନୀଗୁଡିକ ସୁଧ ସମେତ ଲୋକଙ୍କ ଠାରୁ ଆଦାୟ କରନ୍ତି।
ଅଗଷ୍ଟରେ ଯେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପାଖାପାଖି ୨୨୦ ଟଙ୍କା ଶସ୍ତା ହୋଇଥିଲା। ସେତେବେଳେ କମ୍ପାନୀଗୁଡିକ ପେଟ୍ରୋଲ ଦରରେ ମାତ୍ର ୬୫ ପଇସା ଶସ୍ତା କରିଥିଲେ। ସେହିପରି ସେପ୍ଟେମ୍ବରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୨୪୭ ଟଙ୍କା ବଢ଼ିଥିଲା ସେତେବେଳେ ପେଟ୍ରୋଲ ଦର ଲିଟର ପିଛା ୩ଟଙ୍କା ୮୫ ପଇସା ମହଙ୍ଗା କରାଯାଇଥିଲା। ନଭେମ୍ବରରେ ଅଶୋଧିତ ତୈଳ ଦର ସାମାନ୍ୟ ହ୍ରାସ ପାଇଥିଲା। କିନ୍ତୁ ପେଟ୍ରୋଲ ବୃଦ୍ଧି ପାଇବାରେ ଲାଗିଥିଲା। ସେପ୍ଟେମ୍ବର ମାସରେ ଶେଷଥର ପାଇଁ ପେଟ୍ରୋଲ ଦାମ୍ ୧୫ ପଇସା କମିଥିଲା। ସେହିପରି ଡିସେମ୍ବରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା କମି ୭୩.୩୦ ଥିଲା। ସେତେବେଳେ ପେଟ୍ରୋଲ ଦାମ୍ ଲିଟର ପିଛା ୯୫ ଟଙ୍କା ୪୧ ପଇସା ଥିଲା। କିନ୍ତୁ ପ୍ରକୃତରେ ଏହି ଦାମ୍ ଲିଟର ପିଛା ୮୭ ଟଙ୍କା ୨୧ ପଇସା ରହିବା କଥା। ସେହିପରି ଡିଜେଲ ଦାମ୍ ଲିଟର ପିଛା ୮୬ ଟଙ୍କା ୬୭ ପଇସା ଥିବା ବେଳେ ପ୍ରକୃତ ଦାମ୍ ୭୯ ଟଙ୍କା ୫୩ ପଇସା ରହିବା କଥା।
ଯଦି ଆମେ ତୈଲ କମ୍ପାନୀ IOCL, BPCL ଏବଂ HPCL ର ସେପ୍ଟେମ୍ବର ମାସର ତୈମାସିକ ଫଳାଫଳକୁ ଦେଖିବା, ତେବେ ଟ୍ୟାକ୍ସ ପୂର୍ବରୁ ସେମାନଙ୍କର ଲାଭ ପ୍ରି-କୋଭିଡ୍ ସ୍ତରରୁ ୨୦ଗୁଣ ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୦୧୯ ରେ IOCL ର ଲାଭ ୩୯୫ କୋଟି ଟଙ୍କା ଥିଲା, ଯାହା ସେପ୍ଟେମ୍ବର ୨୦୨୧ରେ ଏହା ୮୩୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଶେଷ ଥର ପାଇଁ ମୁଦ୍ରାସ୍ପିତିକୁ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ସେଥିରେ ପରିବା ପାଖରୁ ଆରମ୍ଭ କରି ଔଷଧ ଯାଏଁ ଦର ଉଚ୍ଚା ରହିଥିଲା। ଏହାର ପ୍ରମୁଖ କାରଣ ଥିଲା ପେଟ୍ରୋଲ ଡିଜେଲ ଦର ବଢ଼ିବା। ଏହି ରିପୋର୍ଟ ପ୍ରକାଶ ପାଇବା ବେଳକୁ ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଉପରେ ଏକ୍ସାଇଜ ଓ ଭାଟ୍ କମାଇ ସାରିଥିଲେ, କିନ୍ତୁ ଦରଦାମ୍ ଉପରେ ପ୍ରଭାବ ପଡିନଥିଲା। ବର୍ତ୍ତମାନ ଯେଉଁଭଳି ଭାବରେ ଅଶୋଧିତ ତୈଳ ଦର କମିଛି, ପାଖାପାଖି ଯଦି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮ଟଙ୍କା ହ୍ରାସ ପାଏ ତା' ହେଲେ ମହାମାରୀ ଓ ମହଙ୍ଗା ବେଳେ ଭାରତବର୍ଷ ଟିକେ ଆଶ୍ୱସ୍ତି ପାଇପାରନ୍ତା।
ଆଗକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ରହିଛି। ସବୁଠି କେନ୍ଦ୍ରର ଶାସକ ଦଳ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ରହିଛି । କିନ୍ତୁ ଏହା ପୂର୍ବରୁ କଂଗ୍ରେସର ଏଭଳି ଘନଘନ ଷଣ୍ଢୁଆସି ଆକ୍ରମଣ ସାଧାରଣ ଜନତାଙ୍କୁ ବିଜେପି ବିରୋଧରେ ଏକ ବଡ ଜନମତ ସୃଷ୍ଟି କରିପାରେ।