Advertisment

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ; କାଲି ସୁଦ୍ଧା ପେଟ୍ରୋଲ ସଙ୍କଟ !

ଏହି ଆନ୍ଦୋଳନ ପ୍ରଭାବରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫% କମିଥିବା ବେଳେ ବଢ଼ିଛି 'ପାନିକ୍ ବାଇଙ୍ଗ’।

author-image
Niharika Rout
ଅଦ୍ୟତନ ହୋଇଛି
Drivers’ strike

Drivers’ strike

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି। ଏଥିଯୋଗୁ ପେଟ୍ରୋଲ, ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲକ୍ଷିତ ହେଲାଣି। ଏହି ଆନ୍ଦୋଳନ ପ୍ରଭାବରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫% କମିଥିବା ବେଳେ ବଢ଼ିଛି 'ପାନିକ୍ ବାଇଙ୍ଗ’। ତେଣୁ ପାନିକ୍ ବାଇଙ୍ଗ ନ କରିବାକୁ ଅପିଲ୍ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ । ଏପରି ହେଲେ ଆସନ୍ତା କାଲି ଅପରାହ୍ନ ସୁଦ୍ଧା ଅନେକ ପେଟ୍ରୋଲ ଟାଙ୍କିରେ ମହଜୁଦ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ ବୋଲି ସେ ସତର୍କ କରାଇଛନ୍ତି ।

Advertisment

ଓଡ଼ିଶା ମୋଟର ଚାଳକ ସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପେଟ୍ରୋଲ, ଡିଜେଲ ପରିବହନ ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ତେଣୁ ଏପରି ଘଡ଼ିସନ୍ଧି ମୂହୂର୍ତ୍ତରେ ଛାନିଆ ହୋଇ ଆବଶ୍ୟକତାଠାରୁ ଅଧିକ ପେଟ୍ରୋଲ, ଡିଜେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ସଞ୍ଜୟ ଲାଠ୍ ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପାନିକ ବାଇଙ୍ଗ ଯୋଗୁଁ ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି । ସେହିଭଳି ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫ ପ୍ରତିଶତ କମିଛି। କାଲି ମାତ୍ର ୨୫ % ଗାଡ଼ିରେ ତେଲ ଲୋଡିଂ ହୋଇଥିଲା ।

Advertisment

ଆଜି ପାରାଦୀପ ଡିପୋରୁ ତେଲ ଲୋଡ଼ିଂ ସମ୍ପୂର୍ଣ୍ଣ ବନ୍ଦ ଅଛି । ଜଟଣୀ ଓ ବାଲେଶ୍ଵର ଡିପୋରୁ ମାତ୍ର ଅଳ୍ପ କିଛି ଗାଡ଼ିରେ ତେଲ ଲୋଡିଂ ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ ଆସନ୍ତା କାଲି ଅପରାହ୍ନ ସୁଦ୍ଧା ଅନେକ ପେଟ୍ରୋଲ ଟାଙ୍କିରେ ମହଜୁଦ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ ବୋଲି ସତର୍କ କରାଇଛନ୍ତି ସଞ୍ଜୟ ଲାଠ ।

 ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଆଜି ତୃତୀୟ ଦିନ । ଆନ୍ଦୋଳର ପ୍ରଭାବ ସବୁଠି ଦେଖିବାକୁ ମିଳିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି। 

ଫଳରେ ଓମଫେଡ କ୍ଷୀର ବଜାରକୁ ଆସିପାରିନାହିଁ । ଆଜି ପାଇଁ ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦୁଝର ଏହି ୪ଟି ସହରରେ ୭୦ହଜାର ଲିଟର କ୍ଷୀର ଅର୍ଡର ଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କ୍ଷୀର ପ୍ଲାଣ୍ଟରୁ ବାହାରି ପାରିନାହିଁ ।

ସେହିପରି କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । କେବଳ ଯାହା ମୋ ବସ୍ ଚାଲୁଛି, ଫଳରେ ମୋ ବସରେ ଅତ୍ୟଧିକ ଭିଡ ହେଉଛି ।

 ସାମ୍ୱାଦିକ ସମ୍ମିଳନୀ କରି ସଂଘ କହିଛି, ଭାରତ ସରକାରଙ୍କ ଆଇପିସି ୧୬୦ କ୍ଲଜ ୨କୁ ଡ଼୍ରାଇଭରମାନେ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି । ଯଦିଓ ଏବେ ଏହି ଆଇନକୁ ସ୍ଥଗିତ ରଖାଯାଇଛି, ଆମେ ଚାହୁଁ ଏହାକୁ ପ୍ରତ୍ୟାହାର କରାଯାଉ l କେହି କେବେ ଜାଣିଶୁଣି ଦୁର୍ଘଟଣା ଘଟାଏ ନାହିଁ । ଏହା ଜରୁରୀକାଳୀନ ସ୍ଥିତି ଅଥବା ଦୈବ ଦୁର୍ବିପାକ ଦ୍ଵାରା ହୋଇଥାଏ ।

ବିଜେପି କେନ୍ଦ୍ରରେ ଶାସନ କରିବା ଦିନ ଠାରୁ କେବଳ ଡ୍ରାଇଭର ମାରଣ ନୀତି ପ୍ରଚଳନ କରୁଛନ୍ତି l ବର୍ତ୍ତମାନ ୭୫% ଗାଡି ବନ୍ଦ ହୋଇ ସାରିଲାଣି, ଆଗକୁ ସମସ୍ତ ଗାଡି ବନ୍ଦ ହେବ। ଏହି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ l ଏଥିପାଇଁ ଜନସାଧାରଣ ହଇରାଣ ହରକତ ହେବେ, ଏଥିପାଇଁ ସର୍ବସାଧାରଣଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ କୁହାଯାଇଛି।

ତେବେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ବିଭିନ୍ନ ରୁଟ୍‌ରେ ବସ୍‌ ଚଳାଚଳ ପ୍ରଭାବିତ ହୋଇଛି। ସାରା ଓଡ଼ିଶାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ଆଇନ୍‌ ବିରୋଧରେ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାବାଦ ରାଜ୍ୟ ସରକାର ଏକ କମିଟି ଗଠନ କରି ଡ୍ରାଇଭରଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ। କିନ୍ତୁ ତାହାକୁ ସେମାନେ କାର୍ଯ୍ୟକାରୀ କଲେନି। ତେଣୁ ଡ୍ରାଇଭରମାନେ ଗାଡ଼ି ଚଳାଚଳ ବନ୍ଦ ରଖିଛନ୍ତି ବୋଲି ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। 

Bhubaneswar Strike DRIVER STRIKE