ପନିପରିବାଠୁ ଆରମ୍ଭ କରି ଅଧିକାଂଶ ରୋଷେଇ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଛନ୍ତି ସାଧାରଣ ଖାଉଟି । ଗତ ଦୁଇଦିନ ଧରି ଖାଉଟିଙ୍କ ପାଇଁ ବୋଝ ଉପରେ ଲଳିତବିଡ଼ା ସଦୃଶ ହୋଇଛି ଖାଇବା ତେଲ ଦର । ପାର୍ବଣ ଋତୁରେ ଅଚାନକ ଖାଇବା ତେଲ ଲିଟର ପିଛା ୨୦ଟଙ୍କା ବୃଦ୍ଧି ପାଇବାର ସିଧାସଳଖ ପ୍ରଭାବ ହାଣ୍ଡିଶାଳ ଉପରେ ପଡ଼ିଛି । ତେବେ ଏହି ଖାଇବା ତେଲ ଦରବୃଦ୍ଧିକୁ କଡ଼ା ସମାଲୋଚନା କରିଛି ରାଜ୍ୟ ବିଜେଡି । ୟେ ଡବଲଇଞ୍ଜିନ ସରକାରର କମାଲ କହି କଟାକ୍ଷ କରିବା ସହ ଦରଦାମ ନିୟନ୍ତ୍ରଣରେ ରାଜ୍ୟର ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି କହିଛି ।
ସୂଚନା ଅନୁସାରେ, ଗତ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଭାଗରେ ଖାଇବା ତେଲ ଦର ଅଚାନକ ବୃଦ୍ଧି ପାଇଛି । ପାର୍ବଣ ଋତୁରେ ରିଫାଇନଡ୍ ପାମୋଲିନ୍ , ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଦର ଲିଟର ପିଛା ପ୍ରାୟ ୧୫ରୁ ୨୦ଟଙ୍କା ବୃଦ୍ଧି ପାଇବା ପରେ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସେହିପରି ସୋରିଷ ତେଲ ଦର ଏବେ ଲିଟର ପିଛା ୧୬୦ଟଙ୍କା ବିକ୍ରି ହେଉଛି । ବିଭିନ୍ନ ପ୍ରକାରର ସୂର୍ଯ୍ୟମୁଖୀ ତେଲ ଦର ପୂର୍ବରୁ ଲିଟର ପିଛା ୧୦୦ରୁ ୧୧୦ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ତାହା ୧୨୦ରୁ ୧୩୦ଟଙ୍କାରେ ବିକ୍ରି ହେଉଛି । କେନ୍ଦ୍ର ସରକାର ଅଶୋଧିତ ତେଲ ଓ ରିଫାଇନଡ୍ ତେଲ ଉପରେ ଆମଦାନୀ ଟିକସକୁ ବୃଦ୍ଧି ପାଇଁ ଚଳିତମାସ ୧୪ତାରିଖରୁ ନିର୍ଦ୍ଦେଶନାମା ଜାରି କରିବା ପରେ ଏହି ଦର ବୃଦ୍ଧି ହୋଇଛି । ଅଶୋଧିତ ତେଲ ଉପରେ ଆମଦାନୀ ଟିକସକୁ ୫.୫%ରୁ ୨୭.୫%କୁ ବୃଦ୍ଧି ପାଇଥିବାବେଳେ ରିଫାଇନଡ୍ ତେଲ ଉପରେ ଆମଦାନୀ ଟିକସ ୧୩.୭୫%ରୁ ୩୫.୭୫%କୁ ବୃଦ୍ଧି ପାଇଛି ।
ଏଭଳି ଅଚାନକ ଖାଇବା ତେଲ ଦରବୃଦ୍ଧି ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ମୁଖପାତ୍ର, ପୂର୍ବତନ କୃଷିମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଡଃ ଅରୁଣ କୁମାର ସାହୁ କଟାକ୍ଷ କରି କହିଛନ୍ତି ଯେ, ୟେ ହେଉଛି ଡବଲ ଇଞ୍ଜିନ ସରକାରଙ୍କ କମାଲ । କେନ୍ଦ୍ରର ବିଜେପି ସରକାର ଯେଉଁ ପ୍ରଚୁର ଋଣ କରିଛନ୍ତି ତାକୁ ପରିଶୋଧ କରିବା ପାଇଁ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ଏଭଳି ମାଡ଼ କରିଛନ୍ତି । ଏମିତି ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଟିକସ ବଢ଼ାଇ ନିଜର ଋଣବୋଝ ଭରଣା କରିବାକୁ ବୋଧହୁଏ କେନ୍ଦ୍ର ସରକାର ଚାହୁଁଛନ୍ତି । ଏବେ ସମଗ୍ର ଦେଶରେ ବର୍ଷକୁ ୨୨ମିଲିୟନ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ସେଥିରୁ ୧୫ ମିଲିୟନ ଟନ୍ ଖାଇବା ତେଲ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ, ୟୁକ୍ରେନ, ବ୍ରାଜିଲ ଓ ଋଷରୁ ଆମଦାନୀ ହେଉଛି । ସେସବୁ ଦେଶରେ ଯେବେ ପ୍ରାକୃତିକ ବିପର୍ଯ୍ୟୟ ପଡ଼େ ଅବା ଅନ୍ୟକୌଣସି କାରଣରୁ ଆମଦାନୀ ପ୍ରଭାବିତ ହୁଏ ଆମ ଏଠାରେ ତେଲ ଦର ମହଙ୍ଗା ହୋଇଯାଏ । ଦେଶକୁ ଓ ରାଜ୍ୟକୁ କିଭଳି ଖାଇବା ତେଲରେ ଆତ୍ମନିର୍ଭରଶୀଳ କରିବାକୁ ହେବ ସେଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି ।
ଏହି ପ୍ରସଙ୍ଗକୁ ସେ ବିଧାନସଭାର ବଜେଟ୍ ଅଧିବେଶନରେ ମଧ୍ୟ ଉଠାଇଥିଲେ । ଗତ ୩ଦିନ ତଳେ କେନ୍ଦ୍ର ସରକାର ଖାଇବା ତେଲ ଉପରେ ଆମଦାନୀ ଟିକସ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି । ମାତ୍ର ତା’ର ପ୍ରଭାବ ଅଚାନକ ରାଜ୍ୟରେ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବା ଖୋଲାଖୋଲି ଭାବେ ରାଜ୍ୟ ସରକାରଙ୍କ ବିଫଳତାର ପ୍ରମାଣ ଦେଉଛି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ରାଜ୍ୟର ବିଜେପି ସରକାର ବିଫଳ ଥିବା ଏଥିରୁ ସ୍ପଷ୍ଟ ହେଉଛି । ଆମଦାନୀ ଟିକସ ଗତ ୩ଦିନ ତଳେ ବଢ଼ିଲା, ଆଉ ଗତକାଲିଠୁ ଖୁଚୁରା ବ୍ୟବସାୟୀମାନେ ଯେଉଁ ଖାଇବା ତେଲ ବିକ୍ରି କରୁଛନ୍ତି ତାହା ତ ବହୁ ପୂର୍ବରୁ ଆସିଛି । ସେହି ଖାଇବା ତେଲ ଦର ଅଚାନକ ବୃଦ୍ଧି ପାଇବାର କୌଣସି ଯଥାର୍ଥତା ନାହିଁ । ଡବଲଇଞ୍ଜିନ ସରକାର କ’ଣ ଏକଥା ଜାଣିପାରୁନାହାନ୍ତି ।
ପୂର୍ବରୁ ପଦକ୍ଷେପ ନେଇଥିଲେ ଖୁଚୁରା ବ୍ୟବସାୟୀମାନେ ଏଭଳି ଚଢ଼ାଦରରେ ଖାଇବା ତେଲ ବିକ୍ରି ଉପରେ ନିୟନ୍ତ୍ରଣ କରାଯାଇପାରିଥାନ୍ତା ବୋଲି ଡଃ ସାହୁ କହିଛନ୍ତି । ପୂର୍ବରୁ ଆଳୁ ଓ ପିଆଜ ଦରଦାମ କିଭଳି ନିୟନ୍ତ୍ରଣ କରିବାରେ ଏ ସରକାର ବିଫଳ ହୋଇଥିଲେ ତାହା ଗତ କିଛିଦିନ ତଳେ ଓଡ଼ିଶାବାସୀ ଦେଖିଛନ୍ତି । ସ୍ପଷ୍ଟ ଭାବେ କହିବାକୁ ଗଲେ, ରାଜ୍ୟର ବିଜେପି ସରକାର ଅତ୍ୟାବଶ୍ୟକ ଦୈନନ୍ଦିନ ଖାଦ୍ୟସାମଗ୍ରୀର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ବୋଲି ବିଜେଡି କହିଛି ।