ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ଓ ବେଆଇନ ଖଣି କାରବାରରେ ସମ୍ପୃକ୍ତ ଖଣି କମ୍ପାନୀଗୁଡ଼ିକଠାରୁ ଏବେବି ୨୭୧୯.୮୭କୋଟି ଟଙ୍କା ଜୋରିମାନାର ଆଦାୟ ହୋଇପାରିନି । ପ୍ରାୟ ୮ବର୍ଷ ତଳେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟ ସରକାର ୨୩ଟି ଖିଲାପୀ ଖଣି କମ୍ପାନୀଗୁଡ଼ିକଠୁ ୨୭୨୦କୋଟି ଟଙ୍କା ଆଦାୟ କରିବାରେ ବିଫଳ ହୋଇଛନ୍ତି । ଓପିଡିଆର ଆକ୍ଟ-୧୯୬୨ର ପ୍ରାବଧାନ ଆଧାରରେ ସାର୍ଟିଫିକେଟ୍ କେସ୍ ଚାଲିଛି ଚାଲିଛି କହି ସରକାର ଚୁପ୍ ବସି ପଡ଼ିଛନ୍ତି । ବେଆଇନ ଖଣି କାରବାରରେ ଲିପ୍ତ ଥାଇ ବର୍ଷବର୍ଷ ଧରି କୋଟିକୋଟି ଟଙ୍କା ଉପାର୍ଜନ କରିଥିବା ଏହି ଖଣି କମ୍ପାନୀ ଓ ସେମାନଙ୍କର ପ୍ରମୋଟରଙ୍କଠୁ ଆବଶ୍ୟକ ଜୋରିମାନା ଟଙ୍କାକୁ ସୁଧ ସହ ଆଦାୟ କରିବା ନିମନ୍ତେ କାହିଁକି ସରକାର କଠୋର ଆଭିମୁଖ୍ୟ ପୋଷଣ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଅବଶ୍ୟ ରାଜ୍ୟର ବିଜେପି ସରକାର ଏବେ ଆଉ ୩୦ଟି ଖଣିକୁ ଲିଜ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିରୁ ୮ଟି ଖଣିର ଟେଣ୍ଡର ଡକା ସରିଥିବାବେଳେ ବାକି ୨୨ଟି ଖଣିର ଟେଣ୍ଡର ଚଳିତବର୍ଷ ଡାକିବେ ବୋଲି ଜଣାପଡ଼ିଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଜୋରିମାନା
ସୁପ୍ରିମକୋର୍ଟଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କମିଟି(ସିଇସି)ଙ୍କ ୧୭୮ପୃଷ୍ଠାର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସୁପ୍ରିମକୋର୍ଟ ୨୦୧୭ ଅଗଷ୍ଟ ୨ତାରିଖରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କଲେ । ପୂର୍ବରୁ ତଦନ୍ତ କରିଥିବା ଜଷ୍ଟିସ ଏମବି ଶାହ କମିଶନଙ୍କ ରିପୋର୍ଟକୁ ଖଣି କମ୍ପାନୀଗୁଡ଼ିକ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ସୁପ୍ରିମକୋର୍ଟ ଏହି ସିଇସିଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ୨୦୦୦-୦୧ରୁ ୨୦୧୦-୧୧ ମସିହା ମଧ୍ୟରେ ହୋଇଥିବା ବେଆଇନ ଖଣି କାରବାରର ଯାଂଚ କରି ସିଇସି ୧୭୮ପୃଷ୍ଠାର ରିପୋର୍ଟ ଦେଇଥିଲେ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରିବେଶ ଓ ଜଙ୍ଗଲ ଅନୁମତି ଉଲ୍ଲଘଂନ କରି ଖଣି ଖନନ କରିଥିବା ଯୋଗୁ ଖଣି କମ୍ପାନୀଗୁଡ଼ିକ ଉପରେ ରାଜ୍ୟ ସରକାର ୧୮୧୬୯.୧୪କୋଟି ଟଙ୍କାର ଜୋରିମାନା ଧାର୍ଯ୍ୟ କରିଥିଲେ । ସେଥିରୁ ୧୬୧୦୩.୯୬କୋଟି ଟଙ୍କା ଆଦାୟ ହୋଇସାରିଛି । ସେହିପରି ମାଇନିଂ ପ୍ଲାନ ଓ ଖଣି ଖନନ ଅନୁମତିକୁ ଉଲ୍ଲଘଂନ କରିଥିବା ଯୋଗୁ ୧୮୯୦.୮୩କୋଟି ଟଙ୍କା ଜୋରିମାନା ଧାର୍ଯ୍ୟ ହୋଇଥିଲା । ଯେଉଁଥିରୁ ୧୧୦୧.୬୯କୋଟି ଟଙ୍କା ଆଦାୟ ହୋଇସାରିଛି। ଏହି ଉଭୟ ପ୍ରକାରର ଜୋରିମାନା ମଧ୍ୟରୁ ୨୩ଟି ଖିଲାପୀ କମ୍ପାନୀ ଉପରେ ବାକି ଥିବା ୨୭୧୯.୮୭କୋଟି ଟଙ୍କାର ଜୋରିମାନାକୁ ଆଦାୟ କରିବା ନିମନ୍ତେ ୨୦୧୮ ମସିହାରୁ ରାଜ୍ୟ ସରକାର ଓପିଡିଆର ଆକ୍ଟ-୧୯୬୨ର ପ୍ରାବଧାନ ଆଧାରରେ ସାର୍ଟିଫିକେଟ୍ କେସ୍ କରିଛନ୍ତି । ମାତ୍ର ଏହି ଜୋରିମାନା ଟଙ୍କା ସମ୍ପୃକ୍ତ ୨୩ଟି କମ୍ପାନୀଠୁ କିଭଳି ଆଦାୟ କରାଯିବ ସେ ନେଇ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନନେଇ କେବଳ କେସ୍ କରିଦେଇ ଚୁପ୍ ବସିଯାଇଛନ୍ତି । ଆଉ ପରୋକ୍ଷରେ ଏହି ଖଣି କମ୍ପାନୀଗୁଡ଼ିକୁ ନିଜର ଉପାର୍ଜିତ ବେଆଇନ ଅର୍ଥକୁ ନାନାଦି ଆଳ ଦେଖାଇ ଅନ୍ୟତ୍ର ବିନିଯୋଗ କରିବାର ସୁଯୋଗ ମଧ୍ୟ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୨୦୦୦-୦୧ରୁ ୨୦୧୦-୧୧ ମସିହା ମଧ୍ୟରେ ଖଣି ଦୁର୍ନୀତିର ଯାଂଚ କରିଥିବା ଏମବି ଶାହ କମିଶନଙ୍କ ରିପୋର୍ଟ ପରିବର୍ତ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପିଭି ଜୟକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି(ସିଇସି)ଙ୍କ ରିପୋର୍ଟ ଓ ସୁପ୍ରିମକୋର୍ଟଙ୍କ ୨୦୧୭ ଅଗଷ୍ଟ ୨ତାରିଖର ନିର୍ଦ୍ଦେଶ ପାଳନ କରି ରାଜ୍ୟ ସରକାର ଏହି ବେଆଇନ ଖଣି କାରବାରରେ ଲିପ୍ତ ଥିବା କମ୍ପାନୀଗୁଡ଼ିକୁ ଜୋରିମାନା ନୋଟିସ୍ ଜାରି କରିଥିଲେ ।
୩୦ଟି ଖଣିର ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ମିନେରାଲ ଅକ୍ସନ ରୁଲସ-୨୦୧୫ ଅନୁଯାୟୀ ରାଜ୍ୟରେ ଏପର୍ଯ୍ୟନ୍ତ ୫୦ଟି ଖଣିଜ ବ୍ଲକକୁ ପର୍ଯ୍ୟାୟକ୍ରମେ ନିଲାମ ପ୍ରକ୍ରିୟାରେ ସାମିଲ କରି ସେଗୁଡ଼ିକୁ ସଫଳତାର ସହ ଆବଂଟନ କରାଯାଇଛି । ସେଗୁଡ଼ିକ ମଧ୍ୟରୁ ୨୪ଟି ଖଣିଜ ବ୍ଲକରେ ଖଣି କାର୍ଯ୍ୟକ୍ଷମ ହେଉଛି । ଖଣି ସମ୍ପାଦିତ ହୋଇଥିବା ୩ଟି ଖଣିଜ ବ୍ଳକର ବୈଧାନିକ ଅନୁମତି ପତ୍ର ଅଭାବ ଯୋଗୁ ଖଣି କାର୍ଯ୍ୟକ୍ଷମ ହୋଇନାହିଁ । ଆଉ ୨୩ଟି ଖଣିଜ ବ୍ଲକ ମଞ୍ଜୁର ନିମନ୍ତେ ଲେଟର ଅଫ ଇଟେଣ୍ଟ(ଏଲଓଆଇ) ପ୍ରେରଣ ହୋଇଥିଲେ ମଧ୍ୟ ସମ୍ପୃକ୍ତ ନିଲାମଧାରୀ ଖଣିଜ ବ୍ଲକର ବୈଧାନିକ ଅନୁମତି ପତ୍ର ହାସଲ ନକରିବା ଓ ଏଲଓଆଇର ଅନୁପାଳନ ଅଭାବରୁ ଖଣି ପଟ୍ଟା ମଞ୍ଜୁର ହୋଇନାହିଁ ।
ତେବେ ରାଜ୍ୟରେ ଗଚ୍ଛିତ ଥିବା ଖଣିଜ ପଦାର୍ଥର ଉତ୍ତୋଳନ ନିମନ୍ତେ ରାଜ୍ୟ ସରକାର ଆଉ ୩୦ଟି ଖଣିଜ ବ୍ଲକକୁ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ନିଲାମ ପ୍ରକ୍ରିୟାରେ ସାମିଲ କରି ଲିଜ୍ ଦେବାକୁ ଚିହ୍ନଟ କରିଛନ୍ତି । ସେଥିରୁ ୮ଟି ଖଣିଜ ବ୍ଲକକୁ ନିଲାମ ପ୍ରକ୍ରିୟାରେ ସାମିଲ କରିବା ନିମନ୍ତେ ଚଳିତ ମାର୍ଚ୍ଚ ୭ତାରିଖରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ହୋଇସାରିଛି । ବାକି ୨୨ଟି ଖଣି ପାଇଁ ଟେଣ୍ଡର ବିଜ୍ଞପ୍ତି ନିମନ୍ତେ ପ୍ରକ୍ରିୟା ଜାରି ରହିଛି ।
ଅନ୍ୟପକ୍ଷରେ ଓଡ଼ିଶା ଖଣି ନିଗମ(ଓଏମସି)କୁ ୩୭ଟି ଖଣିଜ ବ୍ଲକ ଆବଂଟନ ଥିବାବେଳେ ସଥିରୁ ୧୮ଟି କାର୍ଯ୍ୟକ୍ଷମ ଅଛି । ରାଜ୍ୟ ସରକାରଙ୍କ ୨୦୨୨ ଅଗଷ୍ଟ ୧୨ ତାରିଖରେ କ୍ୟାବିନେଟ୍ ନିଷ୍ପତ୍ତି ଓ ବିଭାଗୀୟ ବିଜ୍ଞପ୍ତି ଅନୁସାରେ ଇଡକଲ, କଳିଙ୍ଗ ଆଇରନ୍ ୱାର୍କସ ଲିମିଟେଡ(ଆଇକେଆଇଡବ୍ଲ୍ୟୁଏଲ), ଫେରେକ୍ରୋମ୍ ଆଣ୍ଡ ଆଏଲଜ୍ ଲିମିଟେଡ(ଆଇଏଫଏଏଲ) ଏବଂ ଓଡ଼ିଶା ଖଣିଜ ଉତ୍ତୋଳନ ଓ ନିଗମ ଲିମିଟେଡ(ଓଏମଇସିଏଲ)କୁ ଓଏମସି ସହ ମିଶ୍ରଣ କରାଯାଇଛି ।
ସୂଚନାଯୋଗ୍ୟ, ବିଧାନସଭାରେ ଗୁୁରୁବାର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଏହି ସୂଚନା ଦେଇଛନ୍ତି ।