Advertisment

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ୨୦୦ ଟଙ୍କା ଶସ୍ତାରେ ମିଳିବ ରନ୍ଧନ ଗ୍ୟାସ୍‌

ହିତାଧିକାରୀମାନେ ବର୍ଷକୁ ୧୨ଟି ସିଲିଣ୍ଡର କିଣିଲେ ଏପରି ୨୦୦ ଟଙ୍କାର ସବ୍‌ସିଡି ପାଇବେ।

ଅଦ୍ୟତନ ହୋଇଛି
undefined

LPG

Advertisment

ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଲୋକଙ୍କୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଆଜି କେନ୍ଦ୍ର କ୍ୟାବିନେଟ ଲୋକଙ୍କୁ ବଡ଼ ଉପହାର ଦେଇଛନ୍ତି। ଏଣିକି ରନ୍ଧନ ଗ୍ୟାସ୍‌ କିଣିଲେ ହିତାଧିକାରୀଙ୍କୁ ୨୦୦ ଟଙ୍କାର ସବସିଡି ମିଳିବ। ଆଜି ଏପରି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି।

Advertisment

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦେଶର ସବୁ ଲୋକଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ମିଳିବ। ଏହା ରାକ୍ଷୀ ପୂର୍ଣ୍ଣିମା ଓ ଓନାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପହାର। ଉଜ୍ଜ୍ୱଳା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ଏହି ସବସିଡି ବ୍ୟବସ୍ଥା ଲାଗୁ ହେବ। ଉଜ୍ଜ୍ୱଳା ହିତାଧିକାରୀ ପୂର୍ବରୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ମିଳୁଥିଲା। ଏବେ ସେମାନେ ୪୦୦ ଟଙ୍କାର ସବସିଡି ପାଇବେ ବୋଲି ସେ କହିଛନ୍ତି। 

ଉଜ୍ଜ୍ୱଳା ଯୋଜନାରେ ଆଉ ୭୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ। ସେମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ମିଳିବ। ବର୍ତ୍ତମାନ ୯.୬ କୋଟି ମହିଳା ଉଜ୍ଜ୍ୱଳା ଯୋଜନାରେ ରହିଛନ୍ତି ବୋଲି ଶ୍ରୀ ଠାକୁର ସୂଚନା ଦେଇଛନ୍ତି। 

Advertisment

ହିତାଧିକାରୀମାନେ ବର୍ଷକୁ ୧୨ଟି ସିଲିଣ୍ଡର କିଣିଲେ ଏପରି ସବ୍‌ସିଡି ପାଇବେ। କିନ୍ତୁ ଯଦି ହିତାଧିକାରୀ ବର୍ଷକୁ ୧୩ଟି ସିଲିଣ୍ଡର କିଣନ୍ତି, ତା’ହେଲେ ସେମାନଙ୍କୁ ଆଉ ଏହା ଉପରେ ସବସିଡି ମିଳିବ ନାହିଁ।

ବର୍ତ୍ତମାନ ଦିଲ୍ଲୀରେ ଉଜ୍ଜ୍ୱଳା ହିତାଧିକାରୀମାନେ ୧୪ କେଜି ଏଲପିଜି ସିଲିଣ୍ଡରକୁ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା, ଚେନ୍ନାଇ ୧୦୬୮.୫୦ ଟଙ୍କା ଓ କୋଲକାତାରେ ୧୦୭୯ ଟଙ୍କାରେ କିଣୁଛନ୍ତି। ହେଲେ ଆସନ୍ତାକାଲି ଠାରୁ ହିତାଧିକାରୀମାନେ ୨୦୦ ଟଙ୍କା କମରେ ଗ୍ୟାସ ପାଇବେ।

ଘରୋଇ ରନ୍ଧନ ଗ୍ୟାସର ଦାମ ଜୁଲାଇରେ ୫୦ ଟଙ୍କା ବଢ଼ିଥିଲା। ମେ’ ମାସ ମଧ୍ୟ ସିଲିଣ୍ଡର ଦୁଇ ଥର ମହଙ୍ଗା ହୋଇଥିଲା। ମହଙ୍ଗା ମାଡ଼ରେ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗକୁ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି କେନ୍ଦ୍ର ସରକାର ଗ୍ୟାସ ଦାମ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୧୬ ମେ’ ୧ରେ ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଲଞ୍ଚ ହୋଇଥିଲା। ୫ କୋଟି ମହିଳାଙ୍କୁ ଶସ୍ତାରେ ସିଲିଣ୍ଡର ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ଥିଲା।

Lpg Ujjala Gas Price Cabinet Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe