Advertisment

ମାର୍ଚ୍ଚ ୧୫ ପରଠୁ ବନ୍ଦ ହୋଇଯିବ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ନିର୍ଦ୍ଦେଶ କ୍ରମେ ଅସ୍ଥାୟୀ ଭାବେ ବନ୍ଦ ହେବ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସେବା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆସନ୍ତାକାଲି ପରଠାରୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସେବା ବନ୍ଦ ହୋଇଯିବ। ଏନେଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ନିର୍ଦ୍ଦେଶ ଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିର୍ଦ୍ଦେଶ ଅନୁସାରେ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଡିପୋଜିଟ୍ ଏବଂ କ୍ରେଡିଟ୍ ଟ୍ରାଞ୍ଜାକ୍ସନ କାରବାର ମାର୍ଚ୍ଚ ୧୫ ପରଠାରୁ ବନ୍ଦ ହେବ। 

Advertisment

ନିୟମ ଉଲ୍ଲଂଘନ ଦର୍ଶାଇ ଆରବିଆଇ ଜାନୁଆରୀ ୩୧ରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ମଧ୍ୟ ନିବେଶକ, ଯେଉଁମାନେ ବ୍ୟାଙ୍କକୁ କେବଳ ଷ୍ଟକ୍ କାରବାର ପାଇଁ ବ୍ୟବହାର କରନ୍ତି, ସେମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। 

ଆରବିଆର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ସଠିକ୍ ପରିଚୟ ବିନା ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ହଜାର ହଜାର ଆକାଉଣ୍ଟ ଖୋଲା ଯାଇଥିଲା, ଯାହାଦ୍ୱାରା ଅର୍ଥ ହେରଫେର ଭଳି ବେଆଇନ କାରବାରର ଆଶଙ୍କା ଦେଖାଦେଇଥିଲା। ସୂଚନାନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ କର୍ତ୍ତୃପକ୍ଷଙ୍କ ସହ ଏହି ସୂଚନା ଶେଆର୍ କରାଯାଇଥିଲା। 

Advertisment

ଏହାର ଉତ୍ତରରେ ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା ଉଲ୍ଲେଖ କରିଛନ୍ତି ଯେ, ମାର୍ଚ୍ଚ ୧୫ ସୁଦ୍ଧା ଅସ୍ଥାୟୀ ଭାବେ ବନ୍ଦ ହେବାକୁ ଯାଉଥିବା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ଇଡି ଯାଞ୍ଚ କରିବ। ଗୋଟିଏ ପରିଚୟ ପ୍ରମାଣ (identification proof) ସହ ଏକାଧିକ ଆକାଉଣ୍ଟ ଲିଙ୍କ୍ ଥିବା ଜଣାପଡିଛି, ଏହି ସବୁ ଆକାଉଣ୍ଟରେ ବିପୁଳ ପରିମାଣରେ ଅର୍ଥ କାରବାର ହୋଇଛି। ଅନେକ ଆକାଉଣ୍ଟରେ ମଧ୍ୟ ସଠିକ୍ ପରିଚୟ ଦିଆଯାଇ ନାହିଁ। ତେଣୁ ଏ ଉପରେ ଯାଞ୍ଚ ପାଇଁ ଅସ୍ଥାୟୀ ଭାବେ ସେବାକୁ ବନ୍ଦ କରାଯାଉଥିବା ସଞ୍ଜୟ ମଲହୋତ୍ରା କହିଛନ୍ତି। 

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବନ୍ଦ ହେବା ପରେ କି ପରିବର୍ତ୍ତନ ହେବ?

  • ଗ୍ରାହକମାନେ ସେମାନଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ସକ୍ଷମ ହେବେ ନାହିଁ, କିନ୍ତୁ ମାର୍ଚ୍ଚ ୧୫ ପରେ ମଧ୍ୟ ଟଙ୍କା ଉଠାଣ କିମ୍ବା ଟ୍ରାନ୍ସଫର କରିପାରିବେ।
  • ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ସାଲାରି କ୍ରେଡିଟ୍, ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର କିମ୍ବା ସବସିଡି ଉପଲବ୍ଧ ହେବ ନାହିଁ, କିନ୍ତୁ ରିଫଣ୍ଡ, କ୍ୟାସବ୍ୟାକ୍ ଏବଂ ସ୍ୱିପ୍ ଇନ୍ ପାଇଁ ଅନୁମତି ମିଳିବ।
  • ମାର୍ଚ୍ଚ ୧୫ ପରେ ଗ୍ରାହକମାନେ ଟପ୍-ଅପ୍ କିମ୍ବା ୱାଲେଟରେ ଟଙ୍କା ଟ୍ରାନ୍ସଫର ଭଳି ସୁବିଧା ପାଇପାରିବେ ନାହିଁ। ଯଦି ସେମାନଙ୍କ ଆକାଉଣ୍ଟରେ ବାଲାନ୍ସ ଥାଏ, ତେବେ ପେମେଣ୍ଟ କରିପାରିବେ।
  • ଗ୍ରାହକମାନେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ସେମାନଙ୍କର FASTag ରିଚାର୍ଜ କରିପାରିବେ ନାହିଁ।
  • ପେଟିଏମ୍ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଏନସିଏମସି କାର୍ଡରେ ରିଚାର୍ଜ କିମ୍ବା ଟପ୍ ଅପ୍ ହେବ ନାହିଁ।
  • ମାର୍ଚ୍ଚ 15 ପରେ ଗ୍ରାହକମାନେ UPI କିମ୍ବା IMPS ମାଧ୍ୟମରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ।
RBI Paytm Paytm Payments Bank