Advertisment

ବଜେଟ୍‌ : ମଧ୍ୟବିତ୍ତଙ୍କ ଆଶା ଓ ପ୍ରାପ୍ତି

ଏ ସମସ୍ତ ଦେଖିଲେ ୨୦୨୩-୨୪ ପାଇଁ ଘୋଷିତ ବଜେଟ୍‌ ମଧ୍ୟବିତ୍ତ ଶ୍ରେଣୀକୁ ଯେତିକି ଆଶ୍ୱସ୍ତ କରିଛି ତାଠାରୁ ଅଧିକ ଅସ୍ୱସ୍ତି ଆଣିଛି। ଯେତିକି ଆଶା ସଂଚାର କରିଛି ତା’ ଠାରୁ ଅଧିକ ଆଶଙ୍କା ସୃଷ୍ଟି କରିଛି।

author-image
Debendra Prusty
ଅଦ୍ୟତନ ହୋଇଛି
Budget 2023

Budget 2023

ସଂବିଧାନ ମତେ ପ୍ରତିବର୍ଷ ଆଗତ ହେଉଥିବା ଦେଶର ବାର୍ଷିକ ଆୟବ୍ୟୟ ତାଲିକା ବା ବଜେଟ୍‌କୁ ସମସ୍ତ ବର୍ଗର ଜନସାଧାରଣ ଅପେକ୍ଷା କରି ରହିଥାନ୍ତି। କାରଣ ଏଥିରେ ଦେଶର ଅର୍ଥନୀତି ପ୍ରତିଫଳିତ ହେବା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଧାର୍ଯ୍ୟ ହୋଇଥାଏ। ମଧ୍ୟମ ବର୍ଗର ଆୟକାରୀଙ୍କର ଏହା ଉପରେ ବିଶେଷ ନଜର ଥାଏ। ପ୍ରାପ୍ତିର ଆଶା ଥାଏ। ଏହି ମଧ୍ୟମ ବର୍ଗ ଆୟକାରୀଙ୍କୁ ସଠିକ୍‌ ଭାବେ ନିର୍ଣ୍ଣୟ କଲାବେଳେ ଏଥିରେ ମଧ୍ୟ ତଳ (ନିମ୍ନ ମଧ୍ୟବିତ୍ତ) ମଧ୍ୟମ(ମଧ୍ୟବିତ୍ତ) ଓ ଉପର (ଉଚ୍ଚ ମଧ୍ୟବିତ୍ତ) ଆୟକାରୀ ଶ୍ରେଣୀ ଦେଖିବାକୁ ମିଳିଥାନ୍ତି। ଏହି ବର୍ଗଗୁଡ଼ିକର ବାର୍ଷିକ ମୋଟ ଆୟକୁ ଦେଖି ବିଭାଗୀକରଣ କରାଯାଇଥାଏ। ଯେଉଁମାନେ ଆୟକର ତାଲିକାଭୁକ୍ତ ନୁହନ୍ତି ଅର୍ଥାତ୍‌ ବାର୍ଷିକ ଆୟ ସରକାରଙ୍କୁ କର ଦେବାଭଳି ଯୋଗ୍ୟ ବିବେଚିତ ନୁହେଁ ଓ ଅଳ୍ପ ଆୟବୃଦ୍ଧିରେ ତାଲିକାଭୁକ୍ତ ହେବେ ସେମାନେ ସମସ୍ତେ ନିମ୍ନ ଆୟକାରୀ ଓ ଏଥିରେ କର୍ମଚାରୀ, ସରକାରୀ ଓ କଳକାରଖାନାରେ ତଥା ଖଣି ଖାଦାନ ନିୟୋଜିତ ଖଟିଖିଆ, ଛୋଟ ଦୋକାନୀ, ଓ ବିଭିନ୍ନ ସେବାକ୍ଷେତ୍ରରେ ନିୟୋଜିତ ସେବାକାରୀ ଅନ୍ତର୍ଭୁକ୍ତ। ଏମାନେ ବସ୍ତୁତଃ ପ୍ରତିବର୍ଷ ଆୟକର ଦେଇ ନଥାନ୍ତି ଅବା କର ପାଇଁ ରିଟର୍ଣ୍ଣ ଦାଖଲ କଲେ ମଧ୍ୟ ଜିରୋ ବା ନିଲ୍‌ ରିଟର୍ଣ୍ଣ ଦାଖଲ କରିଥାନ୍ତି। ମଧ୍ୟମ ବର୍ଗର ଆୟକାରୀ ବିଶେଷତଃ ସରକାରୀଙ୍କ ନିୟୋଜିତ ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ କର୍ମଚାରୀ, ଇଂଜିନିୟର, ଡକ୍ଟର, ଅଧ୍ୟାପକ, ଓକିଲ, କଳକାରଖାନାର ସୁପରିଭାଇଜର ଶ୍ରେଣୀ ଆଦି ଅନ୍ତର୍ଭୁକ୍ତ। ଏଥିରେ ମଧ୍ୟମ ଧରଣର ବ୍ୟବସାୟୀ, ହୋଟେଲ ମାଲିକ, କ୍ଷୁଦ୍ର ଶିଳ୍ପାଧିକାରୀ ଅନ୍ୟାନ୍ୟ କଂଟ୍ରାକ୍ଟର ଓ ବ୍ୟବସାୟୀ ରହିଥାନ୍ତି। ଯେଉଁମାନଙ୍କର ବାର୍ଷିକ ଆୟ ୨ କୋଟି ଟଙ୍କା ତଳକୁ ଥାଏ। ଉଚ୍ଚ ମଧ୍ୟବିତ୍ତ ବର୍ଗର ବାର୍ଷିକ ଆୟ ୨ କୋଟିରୁ ଅଧିକ ଓ ଅତ୍ୟୁଚ୍ଚ ଆୟକାରୀ ବର୍ଗ ଏହାଠାରୁ ଅଧିକ ଆୟ କରୁଥିବା ବ୍ୟବସାୟୀ, ଶିଳ୍ପପତି ପ୍ରଭୃତି ଥାନ୍ତି। ଏମାନେ ବ୍ୟକ୍ତିଗତ ଆୟ ଓ କମ୍ପାନୀ ଆୟ ଉପରେ ଉଭୟ କର ଦେଇଥାନ୍ତି।

Advertisment

ଏହି ତିନିବର୍ଗ ମିଶି ମଧ୍ୟବିତ୍ତ ବର୍ଗଭାବେ ପରିଗଣିତ ହୋଇଥାନ୍ତି। ମଧ୍ୟବିତ୍ତ ବର୍ଗର ଆୟ ହିଁ ଦେଶର ଦୁଇ ଗୋଟି ବିଶେଷ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ। ପ୍ରଥମତଃ ଏମାନଙ୍କର ଆୟର ସ୍ୱଚ୍ଛଳତା ବଜାରକୁ ଚଳଚଞ୍ଚଳ କରି ରଖିଥାଏ। କାରଣ ଏମାନଙ୍କର କ୍ରୟଶକ୍ତି ଓ ପ୍ରକ୍ରିୟା ଉତ୍ପାଦନର ବିକ୍ରି ବଢ଼ାଇଥାଏ। କେବଳ ଏଫ୍‌.ଏମ୍‌.ସି.ଜି. ନୁହେଁ ବିଜ୍ଞାପିତ ଅନେକ ସୌଖିନ ପଦାର୍ଥ କିଣିବାରେ ଏମାନେ ସଦା ତତ୍ପରଥାନ୍ତି। ଏହି କ୍ରୟ ଶକ୍ତି ଓ ପ୍ରକ୍ରିୟା ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଥାଏ ଓ ନିଯୁକ୍ତି କ୍ଷେତ୍ର ମଧ୍ୟ ପ୍ରଶସ୍ତ କରିଥାଏ। କେବଳ ସେତିକି ନୁହେଁ, ଏମାନେ ଜଣେ ଜଣେ ପ୍ରତ୍ୟକ୍ଷ ନିଯୁକ୍ତିଦାତା ଭାବେ ଅସଂଗଠିତ ଶ୍ରମିକ ନିଯୁକ୍ତିର ଏକ ସିଂହଭାଗ ସୃଷ୍ଟି କରିଥାନ୍ତି। ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟବିତ୍ତ ଆୟକାରୀ ହେଲେ ଅନେକ ନିଯୁକ୍ତି ସୃଷ୍ଟି କରିଥାନ୍ତି। ଘରୋଇ ଡ୍ରାଇଭର, ମାଳି, ବ୍ୟକ୍ତିଗତ ସେବାକାରୀ ଘରୋଇ ସେବାକାରୀ ଏପରିକି କମ୍ପ୍ୟୁଟର ଅପରେଟର, ସିକ୍ୟୁରିଟି ଗାର୍ଡ଼ ଆଦି ନିଯୁକ୍ତି ଦେଇଥାନ୍ତି। ମଧ୍ୟମବର୍ଗ ଯେତେ ସ୍ୱଚ୍ଛଳ ଓ ଆର୍ଥିକ ଅବସ୍ଥାରେ ସୁଦୃଢ଼ ହୁଏ ସେହି ପରିମାଣରେ ଦେଶର ବିକାଶ ସଂଗଠିତ ହୁଏ। ଦେଶର ଆର୍ଥିକ ସ୍ଥିତିରେ ସବ୍‌କା ସାଥ୍‌ ସବ୍‌କା ବିକାଶର ଯେଉଁ ସଂପର୍କ ଥାଏ ତାକୁ ପରଖିବାକୁ ହେଲେ ଏହି ମଧ୍ୟବିତ୍ତ ବର୍ଗର ସ୍ୱଚ୍ଛଳତା ଓ ସଂଖ୍ୟାବୃଦ୍ଧିକୁ ପ୍ରଥମେ ଦେଖାଯାଏ। ଏହିବର୍ଗ ବଜାରକୁ ଚଳଚଞ୍ଚଳ କରିବା, ଅସଂଗଠିତ ନିଯୁକ୍ତି କ୍ଷେତ୍ର ପ୍ରସ୍ତୁତ କରିବା ଏବଂ ଜମାରାଶି ବୃଦ୍ଧି ଘଟାଇ ବ୍ୟାଙ୍କମାନଙ୍କୁ ସୁଦୃଢ଼ କରିବାରେ ସହାୟତା ଦେଇଥାନ୍ତି। ଏଥିରେ ନିର୍ଦ୍ଦିଷ୍ଟ ଆୟକାରୀ ଗୋଷ୍ଠୀ ସଂଖ୍ୟା ବାରି ହୋଇ ଯାଉଥିଲେ ମଧ୍ୟ ଅନ୍ୟ ଆୟକାରୀମାନେ ବହୁ ସଂଖ୍ୟାରେ ଥାନ୍ତି। ଦେଶର ମୋଟ ୧୩୦ କୋଟି ଲୋକଙ୍କ ମଧ୍ୟରୁ ୮.୨୨ କୋଟି ଲୋକ ଆୟକରଦାତା ଯେଉଁମାନେ କି ବାର୍ଷିକ ଆୟକର ରିଟର୍ଣ୍ଣି ଦାଖଲ କରିଥାନ୍ତି ଏବଂ ଏହି ଆୟକରଦାତାଙ୍କ ମଧ୍ୟରୁ ପାଖାପାଖି ୬.୫ କୋଟି ଶୁନ(୦) କର ଦାତା। ଅବଶ୍ୟ ବର୍ତ୍ତମାନର କର ରିହାତି ହେବାପରେ ଏହି ଶୂନ୍ୟ କରଦାତାଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ବାର୍ଷିକ ୭ ଲକ୍ଷ ଟଙ୍କାରୁ କମ୍‌ ଆୟ କରୁଥିବା ଲୋକ ସଂଖ୍ୟା ପାଖାପାଖି ୧୦% ବାର୍ଷିକ ୧୦ ଲକ୍ଷ ଆୟ କରୁଥିବା ୧୮% ଏବଂ ୧୦ରୁ ୫୦ ଲକ୍ଷ ଟଙ୍କା ଆୟ କରୁଥିବା ଆୟକାରୀଙ୍କ ସଂଖ୍ୟା ମାତ୍ର ୭% ଓ ୫୦ ଲକ୍ଷ ଟଙ୍କାରୁ ୨ କୋଟି ଆୟ କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୧.୫% ଥିବାର ଜଣାଯାଏ।

ବଜେଟରେ ଘୋଷିତ ଆୟକର ଓ ସରଚାର୍ଜ ରିହାତି ଯାହାକି ୫ କୋଟିରୁ ଅଧିକ ଆୟକାରୀଙ୍କ ପାଇଁ ମୋଟାମୋଟି ଭାବେ ମିଳିଛି, ତାହା ସବୁ ଉଚ୍ଚ ମଧ୍ୟବିତ୍ତ ବର୍ଗଙ୍କ ପାଇଁ। ସରଚାର୍ଜ ୩୭%ରୁ ୨୫%କୁ କମିଛି। ଟିକସ୍‌ ହାରର ସର୍ବୋଚ୍ଚ ସୀମା ୩୯%ରୁ ଅଧିକ ହେବନାହିଁ। ଭଲଭାବେ ବିଶ୍ଳେଷଣ କଲେ ମଧ୍ୟମ ବର୍ଗର ଆୟକାରୀଙ୍କୁ ଯାହାସବୁ ସୁଯୋଗ ମିଳିଛି ସେଥିରେ ଉଚ୍ଚ ଆୟକାରୀଙ୍କ ତୁଳନାରେ ନିମ୍ନ ଆୟକାରୀଙ୍କୁ କମ୍‌ ମିଳିଛି। କିଛି ଲୋକ କହୁଛନ୍ତି ଯେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କର ଛାଡ଼ ଓ ପୂର୍ବ ଆକଳନ ୫ ଲକ୍ଷରୁ ବଢ଼ି ୭ ଲକ୍ଷ ହୋଇଛି। ଟିକସ ଓକିଲଙ୍କର ପରାମର୍ଶ ନେଲେ ଏ କଥା ଠିକ୍‌ ନୁହେଁ। ସାତ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ମୋଟାମୋଟି ଆୟକର ନାହିଁ। କିନ୍ତୁ ନୂଆ ବ୍ୟବସ୍ଥାକୁ ଆପଣେଇ ଥିବା ପ୍ରତ୍ୟେକ ଆୟଦାତା ପୂର୍ବ ବ୍ୟବସ୍ଥାରେ ମିଳୁଥିବା ଅନେକ ସୁବିଧା ଆୟକର ଆଇନର ସେକ୍‌ସନ୍‌ ୧୦, ୧୬, ୮୦, ୮୦ବିବି, ୮୦ସି, ୮୦-ଡି, ୮୦-ଡିଡ, ୮୦-ଡିଡିବି, ୮୦-ଇ, ୮୦-ଜି, ୮୦-ଜିଜି, ୮୦-ସିସିଡି ଆଦି ଯେଉଁଥିରେ ମେଡ଼ିକେୟାର ଇନ୍‌ସ୍ୟୁରାନ୍‌ସ, ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଟିପୋଜିଟ୍‌ ଉପରେ କରଛାଡ଼, ଗୃହଋଣ ଉପରେ ଥିବା ଋଣ ଛାଡ଼ ସୁଯୋଗରୁ ବଂଚିତ ହେବେ। ଗୋଟିଏ ହିସାବ କଲେ ଦେଖାଯିବ ଯେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତି ବେଶୀରେ ୩୭ ହଜାର ୫୦୦ ଟଙ୍କା ରିହାତି ମିଳିଥିବାବେଳେ ନୂଆ ସ୍ଲାବ୍‌ ଆପଣେଇଲେ ଉପର ସ୍ତରର ଆୟକାରୀଙ୍କୁ ଅଧିକରୁ ଅଧିକ ରିହାତି ମିଳିଥିବା ଦେଖାଯାଏ। କରଦାତାମାନେ ୨୦୨୨-୨୩ ବର୍ଷ ପାଇଁ ଓ ୨୦୨୩-୨୪ ବର୍ଷପାଇଁ କରଦେବାବେଳେ ଓକିଲଙ୍କର ପରାମର୍ଶ ନେଲାବେଳେ ଜାଣି ପାରିବେ ଯେ ବାସ୍ତବରେ ସେମାନେ କେତେ ଉପକୃତ ହୋଇଛନ୍ତି।

Advertisment

ମଧ୍ୟବିତ୍ତ ବର୍ଗର ବିଶେଷ ଆଶା ଥାଏ ଯେ ତାଙ୍କର ଆୟରେ ସ୍ଥିରତା ରହିବ। ନିରନ୍ତର ଦରବୃଦ୍ଧି ଘଟିଲେ ଏହି ଆଶା ଫଳବତୀ ହୁଏ ନାହିଁ। ଆୟ ଅନୁସାରେ ବ୍ୟୟବୃଦ୍ଧି ଅଧିକ ହେଲେ ଆୟକାରୀ ବ୍ୟକ୍ତି ବା ପରିବାର ଅସ୍ଥିର ହୁଏ। ଆୟ ବୃଦ୍ଧି ତୁଳନାରେ ବ୍ୟୟବୃଦ୍ଧି ଘଟିବାର କାରଣରୁ ହିଁ ସଂପୂର୍ଣ୍ଣ ଆୟ ସୁରକ୍ଷିତ ନୁହେଁ। ଅଧିକନ୍ତୁ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବଡ଼ ଚିନ୍ତାର କାରଣ ହେଉଛି ରଖୁଥିବା ସଂଚୟ। ବ୍ୟାଙ୍କ ସୁଧ ହାର ଥରକୁ ଥର କମିବାରେ ଲାଗିଛି। ଏଣେ ବଜାର ଅନୁସାରେ ଟଙ୍କାର ମୂଲ୍ୟ ହ୍ରାସକୁ ବ୍ୟାଙ୍କରେ ଥିବା ଟଙ୍କା ମୂଲ୍ୟ କମିବା କ୍ଷତିର ଆଶଙ୍କା ବଢ଼ାଇଛି। ଅପରପକ୍ଷରେ ଆଣୁଥିବା ଋଣର ସୁଧହାର ବୃଦ୍ଧି ଘଟୁଛି। ବଜାର ଦର ବୃଦ୍ଧି ସହିତ ବ୍ୟାଙ୍କ ଋଣ ବା ଜମାର ସୁଧହାର ଖସୁଥିବା ପ୍ରତ୍ୟେକ ମଧ୍ୟବିତ୍ତ ପରିବାର ପାଇଁ ବଡ଼ ଚିନ୍ତାର କାରଣ ହୋଇଛି।

ଏବେ ଅଳ୍ପଦିନ ତଳେ କେନ୍ଦ୍ର ବିତ୍ତମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ସେ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି ଏବଂ ଏହି ମଧ୍ୟବିତ୍ତମାନଙ୍କ ଉପରେ ପଡ଼ୁଥିବା ଚାପ ସଂପର୍କରେ ଅବଗତ ଅଛନ୍ତି। ଅନେକ ଧାରଣା କରିଥିଲେ ଯେ ତାଙ୍କ ପ୍ରସ୍ତୁତ ବଜେଟ୍‌ ମଧ୍ୟବିତ୍ତ ବର୍ଗଙ୍କୁ ସୁହାଇଲାଭଳି ହେବ ଓ ଚାପମୁକ୍ତ କରିବ। ଯେଉଁକିଛି ରିହାତି ଆସିଛି ତା ମଧ୍ୟବିତ୍ତ ପରିବାରର ଅଭ୍ୟାସ ଓ ଆବଶ୍ୟକତାକୁ ନେଇ ବଜାରକୁ ଯିବ। ବଜାର ଚଳଚଞ୍ଚଳ ହେବ ଏବଂ ସରକାରଙ୍କର ଜି.ଏସ୍‌.ଟି ଆଦାୟ ବଢ଼ିବ। କିନ୍ତୁ ଆୟ ଅସ୍ଥିର ଓ କ୍ଷୀଣ ହେବାବେଳେ ଆୟ ବୃଦ୍ଧି ଘଟିଲେ ଏହି ମଧ୍ୟବିତ୍ତ ବର୍ଗ ଖୁବ୍‌ ବଡ଼ ସମସ୍ୟାର ସମ୍ମୁଖୀନ ହେବେ ହିଁ ହେବେ। ଏହି ବଜେଟ୍‌ରେ ଯେଉଁସବୁ ପଦାର୍ଥର ଦର ଶସ୍ତା ହେବ ବୋଲି କୁହାଯାଇଛି ତା’ଠାରୁ ଅନେକ ଆବଶ୍ୟକ ପଦାର୍ଥର ଦାମ୍‌ ବଢ଼ିଛି।

ଚାକିରି କ୍ଷେତ୍ରରେ ମଧ୍ୟ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଛି। ଆଉଟ୍‌ ସୋର୍ସିଂ ନିଯୁକ୍ତି ବୃଦ୍ଧି ପାଇବାରେ ଲାଗିଛି। ଅନେକ ନିଯୁକ୍ତି ଚୁକ୍ତିଭିତ୍ତିକ ହୋଇଥିବା ହେତୁ ଦରମା କ୍ଷେତ୍ର ମଧ୍ୟରେ ସ୍ଥିରତା ନାହିଁ। ଏକ ତଥ୍ୟ ସଂଗ୍ରହକାରୀ ସଂଗଠନର ମତ ଅନୁସାରେ ମଧ୍ୟବିତ୍ତ ଆୟକାରୀ ବର୍ଗର ପ୍ରାୟ ୬୧% ନିଯୁକ୍ତି କ୍ଷେତ୍ରର ସ୍ଥିରତା ନେଇ ଚିନ୍ତିତ ଓ ୫୦% ଆୟକାରୀଙ୍କ ଦରମା ବା ପ୍ରାପ୍ୟକୁ ନେଇ ଚିନ୍ତା ବଢ଼ିଛି। ଏହା ଗତ ପାଞ୍ଚ ବର୍ଷରେ ବୃଦ୍ଧି ପାଇଥିବା ଦେଖାଗଲାଣି ଓ ବର୍ତ୍ତମାନର ବଜେଟ୍‌ ଏହି ଦୁଇ ଅସ୍ଥିରତାକୁ ଅଧିକ ବଢ଼ାଇବାର ଆଶଙ୍କା ରହିଛି। ଏ ସମସ୍ତ ଦେଖିଲେ ୨୦୨୩-୨୪ ପାଇଁ ଘୋଷିତ ବଜେଟ୍‌ ମଧ୍ୟବିତ୍ତ ଶ୍ରେଣୀକୁ ଯେତିକି ଆଶ୍ୱସ୍ତ କରିଛି ତାଠାରୁ ଅଧିକ ଅସ୍ୱସ୍ତି ଆଣିଛି। ଯେତିକି ଆଶା ସଂଚାର କରିଛି ତା’ ଠାରୁ ଅଧିକ ଆଶଙ୍କା ସୃଷ୍ଟି କରିଛି।

ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ଅର୍ଥମନ୍ତ୍ରୀ

ଫୋ- ୯୪୩୮୩୬୦୮୪୯

Union Budget 2023 Budget2023