ନୂଆଦିଲ୍ଲୀ: ଗତ ପେବ୍ରୁଆରୀ ୨୫ରେ ସାମ୍ସଙ୍ଗ୍ ଭାରତରେ ଏକ ନୂଆ ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। ଯାହାର ନାଁ ହେଉଛି Galaxy M31। ଫୋନ୍ଟି ଲଞ୍ଚ୍ ହେବା ଦିନରୁ ଗ୍ରାହକ ଏହାକୁ କିଣିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର୍। ବର୍ତ୍ତମାନ୍ ଏହି ଫୋନ୍ର ବିକ୍ରି ଆରମ୍ଭ ହୋଇଯାଇଛି। ଏହି ଫୋନ୍ଟି Galaxy M30ର ଅପ୍ଡେଟ୍ ଭର୍ସନ୍। ଏହି ଫୋନ୍ର ବିଶେଷତ୍ତ୍ୱ ହେଉଛି ଏହାର 64MP କ୍ୱାଡ୍ କ୍ୟାମେରା ସେଟ୍ଅପ୍।
ଗତକାଲି ମଧ୍ୟାହ୍ଣ ୧୨ଟାରୁ କମ୍ପାନୀ Galaxy M31ର ବିକ୍ରି ଆରମ୍ଭ କରିଦେଇଛି। ଏହି ଫୋନ୍ଟିକୁ କମ୍ପାନୀ ଦୁଇଟି ଭ୍ୟାରିୟାଣ୍ଟ 6GB + 64GB ଓ 6GB + 128ରେ ଲଞ୍ଚ୍ କରିଛି। ଯାହାର ମୂଲ୍ୟ ଯଥାକ୍ରମେ ୧୫ ହଜାର ୯୯୯ ଟଙ୍କା ଓ ୧୬ ହଜାର ୯୯୯ଟଙ୍କା ରଖାଯାଇଛି। ଲଞ୍ଚ୍ ଅଫର୍ ଭାବେ କମ୍ପାନୀ ଏହି ଫୋନ୍ରେ ହଜାର ଟଙ୍କାର ଅତିରିକ୍ତ ରିହାତି ମଧ୍ୟ ଦେଉଛି। ଫଳରେ ଫୋନ୍ର ମୂଲ୍ୟର ୧୪ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇପାରିବ। ଗ୍ରାହକ ଏହି ଫୋନ୍ଟିକୁ ଆମାଜନ ଇଣ୍ଡିଆ, ସାମ୍ସଙ୍ଗର ଅଫିସିଆଲ୍ ୱେବସାଇଟ୍ ଓ କିଛି ରିଟେଲ୍ ଷ୍ଟୋର୍ରୁ କିଣିପାରିବେ।