ସୂଚନା ଓ ପ୍ରଯୁକ୍ତ ବିଦ୍ୟା ପାଇଁ ଭାରତ ସରକାର ଆରମ୍ଭ କରିଥିବା ୧୭ ହଜାର କୋଟି ଟଙ୍କାର ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ଯୋଜନା ବା ପ୍ରଡକସନ ଲିଙ୍କଡ ଇନସେନଟିଭ ତା’ର ଜଲୱା ଦେଖାଇବା ଆରମ୍ଭ କରିଛି। ଏହି ଯୋଜନା ଯୋଗୁ ଚାଇନା ଉପରେ ପୂର୍ବରୁ ନିର୍ଭର କରୁଥିବା ଏକାଧିକ ଜଣାଶୁଣା ବ୍ରାଣ୍ଡ ଏବେ ଭାରତ ଆଡ଼କୁ ମୁହାଁଇଛନ୍ତି। କମ୍ପାନୀଗୁଡ଼ିକ ଭାରତରେ ଲାପଟପ ଉତ୍ପାଦନ କରିବା ପାଇଁ ଘରୋଇ ସଂସ୍ଥାଗୁଡ଼ିକ ସହ ଚୁକ୍ତି କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଚାଇନା ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହୋଇଥିବା ବେଳେ ଏପରି ଖବର ସାମ୍ନାକୁ ଆସିଛି।
ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଚାଇନା ଦ୍ରବ୍ୟ ଉପରେ ୨୪୫% ଟାରିଫ ଲାଗାଇବାରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଅବଶ୍ୟ ଚାଇନାରୁ ଆସୁଥିବା ଆଇଟି ହାର୍ଡୱେୟାରକୁ ଟ୍ରମ୍ପ ପ୍ରଶାସନ ଟାରିଫ ମୁକ୍ତ ରଖିଛନ୍ତି। ତଥାପି ବିଭିନ୍ନ କମ୍ପାନୀ ଭାରତୀୟ ଫାର୍ମ ଗୁଡ଼ିକ ସହ ସ୍ଥାନୀୟ ଉତ୍ପାଦନ ଚୁକ୍ତି ପାଇଁ ଆଲୋଚନା କରୁଛନ୍ତି। ମେ’ ମାସରେ ଟ୍ରମ୍ପ ପ୍ରଶାସନ କ୍ଷେତ୍ର ଭିତ୍ତିକ ଟାରିଫ ଲଗାଇବାର ଆଶଙ୍କା ଥିବାରୁ ଚାଇନାରେ ଥିବା ବିଭିନ୍ନ କମ୍ପାନୀ ଏବେଠାରୁ ଭାରତୀୟ ଉତ୍ପାଦନ ଫାର୍ମଗୁଡ଼ିକ ସହ ଆଲୋଚନା ଆରମ୍ଭ କରି ଦେଇଛନ୍ତି।
ଭାରତୀୟ ଉତ୍ପାଦନକାରୀ ନିଜର ଉତ୍ପାଦନ କ୍ଷମତାକୁ ଏଥିପାଇଁ ବୃଦ୍ଧି କରିବାରେ ଲାଗିଛନ୍ତି ଓ ସ୍ୱଳ୍ପ ଟାରିଫ ଏବଂ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଶ୍ୱସ୍ତରୀ ବ୍ରାଣ୍ଡଗୁଡ଼ିକୁ ଲାଭ ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି। ଅତିରିକ୍ତ ଭାବେ ସେମାନେ ୨୦ରୁ ୫୦% ସ୍ଥାନୀୟ ସାମଗ୍ରୀର ବ୍ୟବହାର କରି ସରକାରୀ ଚୁକ୍ତିରେ ଭାଗ ନେବାର ସୁଯୋଗ ମଧ୍ୟ ପ୍ରଦାନ କରୁଛନ୍ତି।
ଶିଳ୍ପ ଜଗତର ସୂତ୍ର ଅନୁସାରେ, ଭାରତର ଉତ୍ପାଦନ କ୍ଷମତା ମୋଟ ଲାପଟାପ ଆମଦାନୀର ପ୍ରାୟ ୧୦ରୁ ୨୦% ସ୍ଥାନ ନେଇପାରେ। ଏହା ୨୦୨୪ ଆର୍ଥିକ ବର୍ଷରେ ୧୧ ବିଲିୟନ ଡଲାରରେ ପହଞ୍ଚି ଯାଇଥିଲା। ବର୍ତ୍ତମାନ ଘରୋଇ ଲାପଟପ ଉତ୍ପାଦନ ପ୍ରାୟ ୧ ବିଲିୟନ ଡଲାର ରହିଛି। ଆଇଟି ହାର୍ଡୱେୟାର ପ୍ରଡକସନ ଲିଙ୍କଡ ଇନସେନଟିଭ ବା ପିଏଲଆଇ ୨.୦କୁ ଭାରତ ସରକାର ୨୦୨୩ ମେ’ ୨୯ରେ ଆରମ୍ଭ କରିଥିଲେ।
୬ ବର୍ଷରେ ଏହି ଯୋଜନା ପାଇଁ ୧୭ ହଜାର କୋଟିର ବ୍ୟୟବରଦା ହୋଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସ୍ତରରେ ନିର୍ମିତ ଉତ୍ପାଦନର ମୂଳ ବିକ୍ରି ଉପରେ ପ୍ରାୟ ୫% ପ୍ରୋତ୍ସାହନ ପ୍ରଦାନ କରିବ। ଉତ୍ପାଦନକାରୀ ବାର୍ଷିକ ସ୍ଥାନୀୟ ସାମଗ୍ରୀର ବ୍ୟବହାରକୁ ବୃଦ୍ଧି କରିବା ଜରୁରୀ। ଏହାଦ୍ୱାରା ସେମାନେ ଅତିରିକ୍ତ ପ୍ରୋତ୍ସାହନ ମଧ୍ୟ ପାଇପାରିବେ। ସରକାର ଆଶା ରଖିଛନ୍ତି ଯେ ପିଏଲଆଇ ୨.୦ ପ୍ରାୟ ୩ ହଜାର କୋଟି ଟଙ୍କାର ନିବେଶକୁ ଆକୃଷ୍ଟ କରିବ। ଏହାର ଉତ୍ପାଦନ ମୂଲ୍ୟ ୩.୫ ଲକ୍ଷ କୋଟି ରହିବ। ସେହିପରି ଦେଶବ୍ୟାପୀ ଏଥିଯୋଗୁ ୪୭ ହଜାର ନିଯୁକ୍ତି ସୃଷ୍ଟି ହେବ।
Asus ନାମକ କମ୍ପାନୀ ନିକଟରେ VVDN ଟେକ୍ନୋଲୋଜିର ମାନେସର କେନ୍ଦ୍ରରେ ନିଜର ଆସେମ୍ବ୍ଲି ଲାଇନ ଖୋଲିଛି। ଏହାକୁ ଖୋଲିବା ପୂର୍ବରୁ ୬ ମାସ ଧରି କମ୍ପାନୀ VVDN ଟେକ୍ନୋଲୋଜି ସହ ମାପନୀୟତା ଓ ସ୍ଥାନୀୟ କରଣ ଉପରେ ଆଲୋଚନା କରିଥିଲା। ଭିଭିଡିଏନର ସିନିୟର ଭାଇସ ପ୍ରେସିଡେଣ୍ଟ ଗୌରବ ବାସୁ କହିଛନ୍ତି, ତାଙ୍କର ଉତ୍ପାଦନ କେନ୍ଦ୍ର ପ୍ରତି ୨୪୦ ସେକେଣ୍ଡରେ ଗୋଟିଏ ଲାପଟପ ଉତ୍ପାଦନ କରୁଛି।
ଏସ୍ୟୁଏସ୍ର ବ୍ୟବସାୟିକ ପିସି ଓ ସ୍ମାର୍ଟଫୋନ ବ୍ୟବସ୍ଥାର ଉପ ସଭାପତି ଦୀନେଶ ଶର୍ମା କହିଛନ୍ତି, “ଭାରତ ପ୍ରତି ଆମ ପ୍ରତିଶ୍ରୁତି ଅତ୍ୟନ୍ତ ଶକ୍ତିଶାଳୀ। ଆମେ ଯେତେବେଳେ ଉତ୍ପାଦନ ସପ୍ଲାଏ ଚେନ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାକୁ ଚେଷ୍ଟା କରିଥାଉ ସେତେବେଳେ ଖର୍ଚ୍ଚ ଦକ୍ଷତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏପରି ସ୍ଥିତିରେ ଆମକୁ ଯେତେ ଖର୍ଚ୍ଚ କମ ସୁବିଧା ଓ ପ୍ରୋତ୍ସାହନ ମିଳିବ ସେତେ ଭଲ।”
ଗୁରୁଗ୍ରାମର Syrma SGS ସହ ତାଇୱାନ ଭିତ୍ତିକ ଏଏସ୍ଆଇ ଭାରତରେ ଲାପଟପ ଉତ୍ପାଦନ ପାଇଁ ଚୁକ୍ତି କରିଛି। କଠୋର ଆମଦାନୀ ରେଗୁଲେସନ ଯୋଗୁ ଏମଏସ୍ଆଇ ଭାରତକୁ ଆସିଛି। Syrma SGS ଏମଡି ଯଶବୀର ସିଂହ ଗୁଜରାଲ କହିଛନ୍ତି, “ଏହି କ୍ଷେତ୍ରରେ ଥିବା କମ୍ପାନୀଗୁଡ଼ିକ ସୁଯୋଗର ଫାଇଦା ଉଠାଇବା ଦରକାର। ଆମ କମ୍ପାନୀ ଉତ୍ପାଦନ କ୍ଷମତା ବୃଦ୍ଧି କରି ଅନ୍ୟ ଲାପଟପ ବ୍ରାଣ୍ଡଗୁଡ଼ିକୁ ଆକର୍ଷିତ କରିବାକୁ ଚେଷ୍ଟା କରିବୁ।”
ତାମିଲନାଡୁରେ ଏଚପି ଲାପଟପ ଉତ୍ପାଦନ ସଂସ୍ଥାର ନୂଆ ଉତ୍ପାଦନ କେନ୍ଦ୍ର ଖୋଲିବା ପାଇଁ ଡିକ୍ସନ ଟେକ୍ନୋଲୋଜିକୁ ୧ ହଜାର କୋଟି ଟଙ୍କା ଦିଆଯାଇଛି। ଏହି କେନ୍ଦ୍ର ମେ’ ମାସରୁ ଚାଲୁ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ବାର୍ଷିକ ୨୦ ଲକ୍ଷ ଲାପଟପ ଉତ୍ପାଦନ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଡିକ୍ସନ ଅତିରିକ୍ତ ଭାବେ ଲେନୋଭୋ ଓ ଏସୟୁଏସ୍ ମଧ୍ୟ ଉକ୍ତ କେନ୍ଦ୍ରରେ ଲାପଟପ ଉତ୍ପାଦନ ପାଇଁ ଚୁକ୍ତି କରିଛି।
ଏସବୁ ଭିତରେ ଏସେରର ଘରୋଇ ଆବଶ୍ୟକତାର ୨୫ରୁ ୩୦% ଜିନିଷ ଡିକ୍ସନ ତା’ର ନୋଏଡା କେନ୍ଦ୍ରରେ ବି ଉତ୍ପାଦନ କରୁଛି। ସରକାରଙ୍କ ତଥ୍ୟ କହୁଛି ଯେ ୨୦୨୪ ଡିସେମ୍ବର ସୁଦ୍ଧା ପିଏଲଆଇ ୫୨୦ କୋଟି ଟଙ୍କାର ନିବେଶ ଆଣିଥିଲା। ଏହାଦ୍ୱାରା ଉତ୍ପାଦନ ମୂଲ୍ୟ ୧୦ ହଜାର କୋଟିରେ ପହଞ୍ଚିଛି ଓ ୩୯୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।
ପୂର୍ବରୁ ଏହି କାର୍ଯ୍ୟକ୍ରମରେ ସୀମିତ ଭାଗିଦାରୀ ଦେଖିବାକୁ ମିଳୁଥିଲା। ଏହାର କାରଣ ହେଲା ଯେ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ନିଜ ବିକ୍ରିର ଅଧିକାଂଶ ଜିନିଷ ଭାରତକୁ ଆମଦାନୀ କରନ୍ତି। ଚାଇନାରେ ଟାରିଫ ଲାଗିବା ପୂର୍ବରୁ ମିଳୁଥିବା ୪ରୁ ୫% ଉତ୍ପାଦନ ଖର୍ଚ୍ଚର ଫାଇଦା ସେମାନଙ୍କୁ ମିଳିଥାଏ। ଚାଇନାର ପ୍ରତିଷ୍ଠିତ କମ ଖର୍ଚ୍ଚ ଇକୋସିଷ୍ଟମ ବ୍ୟବସ୍ଥା ସତ୍ତ୍ୱେ ବିଶ୍ୱ ସ୍ତରୀୟ କମ୍ପାନୀ ଏବେ ଭାରତରେ ଗୋଟିଏ ସମାନ୍ତରଳ ଭିତ୍ତି ଭୂମି ତିଆରି କରିବାକୁ ଚାହୁଁଛନ୍ତି। ଏହାକୁ ସେମାନେ ବିକଳ୍ପ ଉତ୍ପାଦନ ବେସ୍ ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।