Advertisment

ବିରୋଧ କରିବା ମହଙ୍ଗା ପଡ଼ିଲା, ୨୮ କର୍ମଚାରୀଙ୍କୁ ବିଦା କଲା ଗୁଗଲ

‘ଗୁଗଲ’ ର Project Nimbusକୁ ବିରୋଧ କରିବା ଏହାର କର୍ମଚାରୀଙ୍କୁ ମହଙ୍ଗା ପଡ଼ିଲା। ୨୮ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇଲା କମ୍ପାନୀ।

author-image
Niharika Rout
Strike

Strike

‘ଗୁଗଲ’ ର Project Nimbusକୁ ବିରୋଧ କରିବା ଏହାର କର୍ମଚାରୀଙ୍କୁ ମହଙ୍ଗା ପଡ଼ିଲା। ୨୮ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇଲା କମ୍ପାନୀ। ସେମାନଙ୍କ ମଧ୍ୟରୁ ବହୁ ଜଣ ଗିରଫ ହୋଇଥିବା ବି ଜଣାଯାଇଛି। ଅଫିସ୍‌ ମଧ୍ୟରେ ଏପରି ଆଚରଣକୁ କଦାପି ବରଦାସ୍ତ କରାଯିବନି ଓ କମ୍ପାନୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

Advertisment

 ଇସ୍ରାଏଲ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ଗୁଗଲ Project Nimbus ଆରମ୍ଭ କରିଥିଲା। ମାତ୍ର ଗୁଗଲର କିଛି କର୍ମଚାରୀ ଏହାକୁ ତୀବ୍ର ବିରୋଧ କରି ଆସୁଥିଲେ। ଏପରିକି ସେମାନେ କମ୍ପାନୀର ଦୁଇଟି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।

ଗତ ମଙ୍ଗଳବାର କିଛି କର୍ମଚାରୀ ଗୁଗଲର କ୍ଳାଉଡ CEO ଥୋମାସ କୁରିଆନଙ୍କ ନ୍ୟୁୟର୍କସ୍ଥିତ କାର୍ଯ୍ୟାଳୟରେ ପ୍ରବେଶ କରିଥିବା ବେଳେ ସେଠାରୁ ପ୍ରାୟ ୮ ଘଣ୍ଟାର ଅଧିକ ସମୟ ପର୍ଯ୍ୟନ୍ତ ବାହାରି ନ ଥିଲେ। ଗୁଗଲ କାର୍ଯ୍ୟାଳୟରେ ଏପରି ଆଚରଣକୁ ବରଦାସ୍ତ କରାଯିବନି ବୋଲି ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଥିଲା। ଏହାପରେ ତୁରନ୍ତ ବିକ୍ଷୋଭରେ ସାମିଲ ହୋଇଥିବା ୨୮ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି ଗୁଗଲ। ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଆପେ ଆପେ କାର୍ଯ୍ୟାଳୟରୁ ବାହାରି ଯାଇଥିବା ବେଳେ ଆଉ କିଛି ଜଣଙ୍କୁ ଜୋରଜବରଦସ୍ତି ପୁଲିସ୍‌ ଉଠାଇ ନେଇଥିବା ଜଣାଯାଇଛି। 

Advertisment

ଏନେଇ କମ୍ପାନୀ ବିଜ୍ଞପ୍ତିରେ କୁହାଯାଇଥିଲା, କିଛି ଗୁଗଲ କର୍ମଚାରୀ କମ୍ପାନୀର ଦୁଇଟି କାର୍ଯ୍ୟାଳୟରେ ପଶି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସେମାନେ ଅଯଥାରେ କମ୍ପାନୀ ପରିସରରେ ରୁଣ୍ଡ ହୋଇଥିବା ବେଳେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏଥିସହ ସେମାନେ କମ୍ପାନୀର ପ୍ରପଟିକୁ କ୍ଷତି ପହଞ୍ଚାଇବା ସହ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହା ଅତ୍ୟନ୍ତ ଅଶୋଭନୀୟ ହୋଇଥିବା ବେଳେ କଦାପି ଗ୍ରହଣୀୟ ନୁହେଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ମାତ୍ର ଏହାକୁ କାଉଣ୍ଟର ଆଟାକ୍‌ କରି କମ୍ପାନୀରୁ ବିତାଡ଼ିତ ହୋଇଥିବା କର୍ମଚାରୀ ସୋଶାଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଗତ ୩ ବର୍ଷ ହେଲା କମ୍ପାନୀ କର୍ତ୍ତୃପକ୍ଷ ଆମ ଦାବି ଶୁଣୁ ନାହାନ୍ତି। ଶାନ୍ତିଶୃଙ୍ଖଳାର ସହ ପ୍ରତିବାଦ କରିବାକୁ ଆମେ ଅନୁମତି ମାଗିଥିବା ବେଳେ ତାହା ବି ମିଳୁନି । ତେଣୁ ଏହି ବିତାଡ଼ିତ ଘଟଣା ସମ୍ପୂର୍ଣ୍ଣ ଭାବେ ଏକପାଖିଆ ।

ଇସ୍ରାଏଲ ସରକାର, ଗୁଗଲ ଓ ଆମାଜନ ମଧ୍ୟରେ ୧.୨ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ ଏହାକୁ ଗୁଗଲର ବହୁ କର୍ମଚାରୀ ତଥା ସଙ୍ଗଠନ ବିରୋଧ କରୁଥିଲେ। ୨୦୨୧ ମସିହାରେ Project Nimbus ଆରମ୍ଭ ହୋଇଥିବା ବେଳେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଫିଲିପାଇନ୍ସ ଉପରେ ନଜର ରଖିବା ତଥା ସେଠାରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ଏହି ପ୍ରୋଜେକ୍ଟ ଉଦ୍ଦିଷ୍ଟ ଥିବା କୁହାଯାଉଥିଲା। ତେଣୁ ଗୁଗଲ କର୍ମଚାରୀ ଏହାକୁ ଜୋରଦାର ବିରୋଧ କରୁଛନ୍ତି ।

ପ୍ରଥମେ କମ୍ପାନୀର ବାର୍ଷିକ ସମ୍ମିଳନୀରେ ଜଣେ କର୍ମଚାରୀ ଚିତ୍କାର କରି ମୁଁ ଏପରି ପ୍ରଯୁକ୍ତି ବିଦ୍ୟା ବାହାର କରିବାକୁ ପ୍ରସ୍ତୁତ ନାହିଁ ଯାହାକି ନର ସଂହାରର ଶକ୍ତି ପ୍ରଦାନ କରିଥାଏ ବୋଲି କହିଥିଲେ। ଏହାପରେ ତୁରନ୍ତ ତାଙ୍କୁ କମ୍ପାନୀରୁ ବିତାଡ଼ିତ କରାଯାଇଥିଲା। 

Google